ଗୋଲ୍‌ଡେନ୍‌ ଲୋନ ଚିଟ୍‌ଫଣ୍ଡ ମାମଲା: ୨୭ହଜାର ଠକେଇ ଶିକାର, ୫%ଙ୍କୁ ନ୍ୟାୟ

୧୦ବର୍ଷ ଗଡ଼ିଲା, ଫାଇଲ୍ ତଳେ ୨୫ହଜାର ଦରଖାସ୍ତ

ଖୋର୍ଦ୍ଧା: ଦୁଇ ହଜାର ଟଙ୍କାର ଡିପୋଜିଟ୍‌ରେ ଚାରି ହଜାର ଟଙ୍କାର ମୁନାଫା। ଡବଲ ଲାଭର ଲୋଭ ଦେଖାଇ ଖୋର୍ଦ୍ଧାର ୨୭ହଜାର ୭୯୩ଜଣ ଲୋକଙ୍କୁ ଲୁଟିଥିଲା ଗୋଲ୍‌ଡେନ୍‌ ଲ୍ୟାଣ୍ଡ୍‌ ଚିଟ୍‌ଫଣ୍ଡ ସଂସ୍ଥା। ଦୀର୍ଘ ପ୍ରାୟ ୧୦ବର୍ଷ ପରେ ଏ ଚିଟ୍‌ଫଣ୍ଡ୍‌ରୁ ମାତ୍ର ୫ପ୍ରତିଶତ ଲୋକଙ୍କୁ ନ୍ୟାୟ ମିଳିଛି। ଠକାମିର ଶିକାର ହୋଇଥିବା ମୋଟ୍ ୨୭ହଜାର ଲୋକଙ୍କୁ ମଧ୍ୟରୁ ଜିଲ୍ଲା ପ୍ରଶାସନ ମାତ୍ର ୧୫୬୨ଜଣ ଲୋକଙ୍କୁ ଟଙ୍କା ଫେରାଇବାରେ ସକ୍ଷମ ହୋଇଛି। ଅବଶିଷ୍ଟ ୨୫ହଜାର ଲୋକଙ୍କର ଦରଖାସ୍ତ ସରକାରୀ ନାଲିଫିତା ତଳେ ଚପିଯାଇଛି। ୧୦ବର୍ଷରେ ଯଦି ମାତ୍ର ୫ପ୍ରତିଶତ ଲୋକଙ୍କୁ ନ୍ୟାୟ ମିଳୁଛି, ତେବେ ଜିଲ୍ଲାର ପୂରା ଜମାକାରୀଙ୍କୁ ଟଙ୍କା ଫେରାଇବାକୁ କେତେ ସମୟ ଲାଗିବ ତାହା ଜଳଜଳ ଦିଶୁଛି।

ଜିଲ୍ଲା ପ୍ରଶାସନର ତଥ୍ୟ ମୁତାବକ, ଏ ସଂସ୍ଥାରେ ଜିଲ୍ଲାର ସହରାଞ୍ଚଳ ଅପେକ୍ଷା ବେଶି ଅର୍ଥ ଲଗାଣ କରିଥିଲେ ଗାଁ ଲୋକ। ଚାରି ଭାଗରୁ ତିନି ଭାଗ ଟଙ୍କା ଆଦାୟ ହୋଇଥିଲା ଜିଲ୍ଲାର ଚାରିଗୋଟି ବ୍ଲକ୍‌ରୁ। ଜିଲ୍ଲାର ସର୍ବାଧିକ ବାଣପୁର ବ୍ଲକ୍‌ବାସୀ ଏ ସଂସ୍ଥାକୁ ଟଙ୍କା ଦେଇଥିଲେ। ମୋଟ୍ ୬ହଜାର ୯୮୨ଜଣ ଲୋକ ଠକେଇର ଶିକାର ହୋଇଥିଲେ। ତା’ ତଳକୁ ଥିଲା ଚିଲିକା ବ୍ଲକ୍‌। ଠକେଇର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ଥିଲା ୬ହଜାର ୮୦୦। ତୃତୀୟରେ ବୋଲଗଡ଼ ବ୍ଲକ୍‌ର ୬ହଜାର ୪୭ଜଣ ଲୋକ ଏ ସଂସ୍ଥାକୁ ବିଶ୍ବାସରେ ଟଙ୍କା ଦେଇଥିବା ବେଳେ ଟାଙ୍ଗୀ ବ୍ଲକ୍‌ର ବି ୩ହଜାର ୬୪୭ଜଣ ହିତାଧିକାରୀ ଏ ଠକସଂସ୍ଥା ହାବୁଡ଼ରେ ପଡ଼ିଥିଲେ।

ଏ ସଂସ୍ଥା ଏକ ଠକ ବୋଲି ଜଣାପଡ଼ିବା ପରେ ଲୋକେ ମୁଣ୍ଡରେ ହାତ ଦେଇଥିଲେ। ତୁଣ୍ଡ ଝାଳ ମୁଣ୍ଡରେ ମାରି ନିଜର ଉପାର୍ଜିତ ଧନ କେମିତି ଫେରି ପାଇବେ ସେଥିପାଇଁ ପ୍ରଶାସନକୁ ଫେରାଦ୍‌ ମଧ୍ୟ ହୋଇଥିଲେ। ତେଣୁ, ସଂସ୍ଥାର ସମ୍ପତ୍ତି ଜବତ କରି ଲୋକଙ୍କ ଧନ ଫେରାଇ ଦେବା ପାଇଁ ସରକାରୀସ୍ତରରେ  ଉଦ୍ୟମ ଆରମ୍ଭ ହୋଇଥିଲା। କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଫେରସ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସରକାର ଅଣ୍ଟା ଭିଡ଼ିଲା ପରେ ଲୋକେ ବେଶ୍ ଆଶବାଦୀ ଥିଲେ। କିନ୍ତୁ, ବର୍ଷକୁ ବର୍ଷ ଗଡ଼ିଲା ପରେ ଏ ଆଶା ଧୀରେ ଧୀରେ ନିରାଶା ଭରି ଦେଲାଣି। ଟଙ୍କା ଫେରସ୍ତ ପାଇବା ପାଇଁ ପ୍ରଶାସନକୁ ଜିଲ୍ଲାର ମୋଟ୍୨୭ହଜାର ୩୫୫ଜଣ ଲୋକ ନିଜର ଦରଖାସ୍ତ ଦେଇଥିବା ବେଳେ ସେଥିରୁ ଏଯାବତ୍‌ ମାତ୍ର ୧୫୬୨ଜଣ ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ଅବଶିଷ୍ଟ ୨୫ହଜାର ୭୯୩ଟି ଦରଖାସ୍ତ ଫାଇଲ୍ ତଳେ ଚପି ଯାଇଛି। ଏମିତିକି, ଗୋଟିଏ ଗୋଟିଏ ବ୍ଲକ୍‌ରେ ଏକ ପ୍ରତିଶତ ଲୋକ ବି ସେମାନଙ୍କ ଝାଳବୁହା ଟଙ୍କା ଫେରି ପାଇବାରେ ସକ୍ଷମ ହୋଇ ନାହାନ୍ତି। ପୂରା ଜିଲ୍ଲାର ପରିସଂଖ୍ୟାନ ତନଖିଲେ, ମାତ୍ର ୫ପ୍ରତିଶତ ଲୋକଙ୍କୁ ଟଙ୍କା ଫେରାଇ ଦିଆଯାଇଥିବା ଜଣାପଡ଼ିଛି।

ଟଙ୍କା ଫେରସ୍ତ ପ୍ରକ୍ରିୟା ଏତେ ଧିମାର କାରଣ କ’ଣ? ତା’ର ଉତ୍ତରରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରିଣୀ ମମତା ନାୟକ କହିଛନ୍ତି, ଦରଖାସ୍ତର ଦସ୍ତାବିଜ୍‌ ଠିକ୍‌ ନାହିଁ। କେଉଁଠି ଏକାଉଣ୍ଟ୍‌ ଭୁଲ୍‌ ରହୁଛି। ତେଣୁ, ଟଙ୍କା ଫେରସ୍ତ କରିବା ବିଳମ୍ବ ହେଉଛି। ତଥାପି, ପ୍ରାଥମିକତା ଭିତ୍ତିରେ ଲୋକଙ୍କ ଟଙ୍କା ଲୋକଙ୍କୁ ଫେରାଇବା ପାଇଁ ଉଦ୍ୟମ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି।

କେଉଁ ବ୍ଲକ୍‌ରୁ କେତେ ଟଙ୍କା ଫେରସ୍ତ ପାଇଛନ୍ତି
ବ୍ଲକ୍‌               ଠକେଇ ଶିକାର           ଟଙ୍କା ପାଇଲେ  
ବାଲିଅନ୍ତା         ୨୫                        ୨୦
ବାଲିପାଟଣା      ୧୫୦                      ୬୨
ବାଣପୁର         ୬୯୮୨                    ୧୬୯
ବେଗୁନିଆ        ୨୧୦୭                    ୩୦୭
ଭୁବନେଶ୍ବର      ୪୩୫                      ୩୯
ବୋଲଗଡ଼        ୬୦୪୭                    ୪୭୨
ଚିଲିକା            ୬୮୦୦                    ୬୫
ଜଟଣୀ           ୩୩୭                      ୪୭
ଖୋର୍ଦ୍ଧା           ୭୯୮                      ୪୧
ଟାଙ୍ଗୀ            ୩୬୭୪                    ୩୪୦
ମୋଟ୍             ୨୭,୩୫୫                 ୧,୫୬୨

ସମ୍ବନ୍ଧିତ ଖବର