ଲୋକଙ୍କ ସୁରକ୍ଷା ପାଇଁ ନାହାନ୍ତି ପୁଲିସ କର୍ମଚାରୀ, ୨୦% କର୍ମଚାରୀଙ୍କୁ ନେଇ ଚାଲିଛି ଥାନା

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁଠାରୁ ବେଶି ଚର୍ଚ୍ଚିତ ଓ ସମ୍ବେଦନଶୀଳ ପଂଚାୟତର ସୁରକ୍ଷାଭାର ମୁଣ୍ଡାଇଛି ଜୟପୁର ସଦରଥାନା। ଜୟପୁର ବ୍ଲକର ୨୨ଟି ପଂଚାୟତରୁ ୧୭ଟି ପଂଚାୟତର ୮୨ଟି ରାଜସ୍ବ, ୧୮୭ଟି ପଡ଼ା ଗାଁ ସହ ୧୪୦ବର୍ଗ ମାଇଲସ୍ ପରିଧିର ଦେଢ଼ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ରହିଛି ଏହି ଥାନା। ସ୍ପର୍ଶକାତର ଓ ସମ୍ବେଦନଶୀଳ ଥାନାରେ ମାତ୍ର ୨୦ ପ୍ରତିଶତ ୩୫ଜଣ କର୍ମଚାରୀ ରହିଛନ୍ତି। ଥାନାର ପରିଧି ସୀମାନ୍ତ ଗୋଟିଏ ପଟେ କଙ୍ଗା, ଘାଟଗୁମର, କୋଟାଛକ, ଦେଓଘାଟି, କେବିଡି, ହରଡ଼ାପୁଟ ଛକ ପର୍ଯ୍ୟନ୍ତ ୧୪୦ବର୍ଗ ମାଇଲସ ରହିଛି। ଗାନ୍ଧୀଛକରୁ ପାତ୍ରପୁଟ ଛକ ପର୍ଯ୍ୟନ୍ତ ଏନଏଚ ୩୨୬ ଓ ବାରିଣୀପୁଟରୁ ହରଡ଼ାପୁଟ ଏନଏଚ ୨୬ ଏହି ଥାନା ଅଂଚଳ ଦେଇ ଯାଇଛି। ଜୟପୁର ବିମାନବନ୍ଦର, ଜୟପୁର ରେଳବାଇ ଷ୍ଟେସନ ଓ ରେକ୍, ଏଫସିଆଇ, ଓପଟିସିଏଲ୍ ଗ୍ରୀଡ, କାଗଜକଳ, ଉପରକୋଲାବ ଜଳବିଦ୍ୟୁତ ପ୍ରକଳ୍ପ, କାଜୁ ଓ ଚାଉଳ ମିଲ ସହ ଆଇଟିଆଇ, ଘରୋଇ ଇଂଜନିୟରିଂ କଲେଜ, ପଲିଟେକ୍ନିକ୍, ଫାର୍ମାସୀ କଲେଜ, ୧୦ଟି ଛୋଟ ବଡ ବ୍ୟାଙ୍କ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଧିରେ ରହିଛି। ଏହି ଥାନା ଅଧିନରେ ଅତ୍ୟନ୍ତ ସମ୍ବେଦନଶୀଳ ଗାଁ ଭାବେ ଉମୁରୀ, ପାମ୍ପୁଣୀ, ବାମୁଣିଗାଁ, ଆମ୍ବାଗୁଡା, ବାରିଣୀପୁଟ,କୁମୁଲିପୁଟ, ଡାଙ୍ଗରା, ରଣ୍ଡାପାଲ୍ଲୀ, କଙ୍ଗା, ପାତ୍ରପୁଟ, ମୁଖିଖୁଡିପି, ବାଲିଆ, ଧନପୁର, ଅନ୍ତା, କଳାଗୁଡା, ଗଡ଼ପଦର, ବାୟାଗୁଡା ଆଦିକୁ ଚିହ୍ନଟ କରିଛି ପୁଲିସ । ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଅନ୍ତଃରାଜ୍ୟରେ ଉମୁରୀର ୨ଟି ଗ୍ୟାଙ୍ଗର ଦବଦବା ରହିଛି। ପତିଆରା ଲଢ଼େଇ ପାଇଁ ଉମୁରୀରେ ପୁଟିଛି ଗୁଳି ।

ପୁଲିସ ଏକ ମାମଲା ତଦନ୍ତ ବେଳେ ପାମ୍ପୁଣୀରୁ ବନ୍ଧୁକ ଓ ଖୋକା ବି ଜବତ କରିଥିଲା। ଥାନା ଅଂଚଳରେ ଗଂଜେଇ ମାଫିଆ, ଚାଲାଣକାରୀଙ୍କ ଠାରୁ ଆରମ୍ଭକରି ମାଉଜର ବ୍ୟବସାୟୀ କରିଡ଼ର କରି ଚଳପ୍ରଚଳ କରୁଛନ୍ତି । ଅପରପକ୍ଷରେ ଏତେ ବଡ ଥାନା ଅଂଚଳର ପରିଚାଳନା ପାଇଁ ଜଣେ ଇନିସପେକ୍ଟର, ୩ଜଣ ସବଇନିସପେକ୍ଟର, ୭ଜଣ ଏଏସଆଇ, ଜଣେ ମୁଖ୍ୟ କନେଷ୍ଟବଳ, ୧୮ଜଣ କନେଷ୍ଟବଳ, ଜଣେ ଚାଳକ କାର୍ଯ୍ୟରତ ରହିଛନ୍ତି। ୩୦ଜଣ ଓଏପିଏଫ୍ କନେଷ୍ଟବଲ ପଦବୀ ଖାଲି ପଡ଼ିଛି। ଗତ ମାର୍ଚ୍ଚରେ ସଂସଦରେ ସାଂସଦଙ୍କ ପୁଲିସ –ଜନତାର ଅନୁପାତ କେତେ ରହିବା ଦରକାର ପ୍ରଶ୍ନର ଉତ୍ତର କେନ୍ଦ୍ରଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରଖିଥିଲେ। ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ ତଥ୍ୟକୁ ଆଧାରକରି ଓଡିଶାରେ ପ୍ରତି ଲକ୍ଷେ ଜନତାଙ୍କ ପାଇଁ ୧୪୭ଜଣ ପୁଲିସ କର୍ମଚାରୀ ନିଯୁକ୍ତି ପାଇବା କଥା। କିନ୍ତୁ ୨୦୨୨ ଜାନୁଆରୀ ୧ତାରିଖ ସୁଦ୍ଧା ଓଡିଶାରେ ପ୍ରତି ଲକ୍ଷେ ଜନତାଙ୍କ ନିମନ୍ତେ ୧୨୨ଜଣ ପୁଲିସ କର୍ମଚାରୀ କାର୍ଯ୍ୟରତ ଅଛନ୍ତି।

ଏହି ଅନୁପାତ ଅନୁସାରେ ଜୟପୁର ସଦରଥାନାରେ ଦେଢ଼ ଶହରୁ ଉର୍ଦ୍ଧ୍ବ କର୍ମଚାରୀ ରହିବା କଥା। କିନ୍ତୁ ଏଠାରେ ୩୫ଜଣ ଜଣ କର୍ମଚାରୀ ରହିଛନ୍ତି। ଏହା ବାଦେ ବି ଗତ ବର୍ଷ ୪୦୪ଟି ବିଭିନ୍ନ ମାମଲା ରୁଜୁ ହୋଇଥିବା ବେଳେ ଏହି ବର୍ଷ ଆଜି ପର୍ଯ୍ୟନ୍ତ ୩୮୪ଟି ମାମଲା ରୁଜୁ ହୋଇଛି। କମ କର୍ମଚାରୀ ରହିଥିବାରୁ ୨୬୯ଟି ଗାଁକୁ ସବୁ ଦିନ ପାଟ୍ରୋଲିଂ କରିବା ବି ମୁସ୍କିଲ। ଯଦି ଥାନାର ଅନୁସଙ୍ଗିକ ଭିତ୍ତିଭୂମିକୁ ନଜର ପକାଇଲେ ପୁରୁଣା ଥାନାକୁ ମରାମତି କରି ରଂଗ ମାଖି ଦିଆଯାଇଛି। ଥାନାରେ ସେଭଳି ବଡ ମାଲଖାନା କିମ୍ବା ହାଜତ ନାହିଁ । ଡିଏନକେ ପ୍ରକଳ୍ପର ପୁରୁଣା ଘର ମଧ୍ୟରେ ଆମ୍ବାଗୁଡା ଓ କାଗଜକଳର ଘରେ ଗାଗାନାପୁର ପାଣ୍ଡି ଓ ପୁରୁଣା ସରକାରୀ ଘରେ କଙ୍ଗା ବିଟ୍ ହାଉସ୍ ଚାଲିଛି। ପ୍ରତି ମାସରେ ୪୦ଟି ମାମଲା ରୁଜୁ ହେଉଥିବାବେଳେ ଗତ ବର୍ଷ ୪୦୪ଟି ଏବଂ ଆଜି ପର୍ଯ୍ୟନ୍ତ ୩୮୪ଟି ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। କମ୍ କର୍ମଚାରୀ ଥିଲେ ହେଁ ଅଂଚଳବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପୁଲିସ ପ୍ରତି ଆସ୍ଥା ଓ ବିଶ୍ବାସ ରଖାଇବା ଦିଗରେ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର