ପ୍ରତ୍ୟେକ ସରକାର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଚାହାଁନ୍ତି। କିନ୍ତୁ, ଏଣେ ବିକାଶର ବେଗ ଯେତିକି ବୃଦ୍ଧି ପାଏ, ତା’ ସହିତ ତାଳ ଦେଇ ବିସ୍ଥାପନ ଓ ପୁନର୍ବାସ-ଅଭାବ ଜନିତ ସମସ୍ୟା ମଧ୍ୟ ସେତିକି ଉତ୍କଟ ହୋଇଥାଏ। ଏଭଳି ବିକାଶ-ପ୍ରେରିତ ବିସ୍ଥାପନ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଆନ୍ତି ଆଦିବାସୀ, ଦଳିତ ଓ ଗ୍ରାମାଞ୍ଚଳର ଗରିବ ଲୋକେ; ଏବଂ ଏହି କ୍ଷତି କେବଳ ଆର୍ଥିକ ସ୍ତରରେ ସୀମିତ ନ ରହି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରକୁ ମଧ୍ୟ ସଂପ୍ରସାରିତ ହୋଇଥାଏ। ଭାରତ ସମ୍ବନ୍ଧରେ ସୃଷ୍ଟ ଉଚ୍ଚ ଜି.ଡି.ପି. ଏବଂ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ଭଳି ବଖାଣ ଭିତରେ ହଜିଯାଏ ଲକ୍ଷ ଲକ୍ଷ ବିସ୍ଥାପିତଙ୍କ ଦୁର୍ଦ୍ଦଶାର ଗାଥାମାନ। ସୁତରାଂ, ଏହି ଗୁରୁତର ସମସ୍ୟାକୁ ଅଣଦେଖା ନ କରି ସେମାନଙ୍କ ଦୁର୍ଦ୍ଦଶାକୁ ଲାଘବ କରିବା ଲାଗି ଉଚିତ ବିମର୍ଶର ଯେ ଆବଶ୍ୟକତା ରହିଛି, ଏଥିରେ ଦ୍ବିରୁକ୍ତି ନାହିଁ।
ବିସ୍ଥାପନର କଥା ପଡ଼ିଲେ ତାହା ‘ପବ୍ଲିକ ଗୁଡ୍’ ବା ‘ଜନସାଧାରଣଙ୍କ ହିତ’ ଉଦ୍ଦେଶ୍ୟରେ କରାଯାଉଛି ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥାଏ; କିନ୍ତୁ ପ୍ରଶ୍ନ ଉଠେ ଯେ ଏଭଳି ବିକାଶ ଲାଗି ସର୍ବସ୍ୱ ହରାଇବା ବା ତ୍ୟାଗ କରିବାର ଦାୟିତ୍ବ କ’ଣ କେବଳ ଆଦିବାସୀ, ଦଳିତ ଓ ଦରିଦ୍ର ଲୋକେ ନେଇଛନ୍ତି? ପ୍ରତିଷ୍ଠିତ ଓ ପ୍ରତିପତ୍ତିଶାଳୀ ଲୋକେ କୌଣସି ‘ପବ୍ଲିକ୍ ଗୁଡ୍’ କାମ ଲାଗି ବିସ୍ଥାପିତ ହୁଅନ୍ତି କି? ପ୍ରାୟ ଦୁଇ ଦଶନ୍ଧି ତଳେ ଅର୍ଥାତ୍ ୨୦୦୦ ମସିହାରେ ମୁମ୍ବାଇରେ ଟ୍ରାଫିକ ସମସ୍ୟାକୁ ବାଗେଇବା ପାଇଁ ପ୍ରସ୍ତାବିତ ‘ପେଡାର ରୋଡ ଫ୍ଲାଏ ଓଭର’ ପ୍ରକଳ୍ପଟି ଲତା ମଙ୍ଗେସକର, ଆଶା ଭୋଁସଲେ ଓ ସ୍ଥାନୀୟ କେତେକ ପ୍ରତିପତ୍ତିଶାଳୀ ଲୋକଙ୍କ ବିରୋଧ ଯୋଗୁଁ ବାତିଲ ହୋଇଯାଇଥିଲା। ଏଥିରୁ କି ସଂକେତ ମିଳେ? ପ୍ରକାଶ ଥାଉ କି ଆଦିବାସୀ, ଦଳିତ ଓ ଦରିଦ୍ର ଲୋକେ ବିସ୍ଥାପନ ପରେ ଅଧିକ ଗରିବ ହୋଇଯାଆନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମାନବ ବିକାଶର ପ୍ରତିଟି ପରିମାପକରେ ସେମାନେ ପଛରେ ପଡ଼ିଯାଆନ୍ତି। ଏହା ଛଡ଼ା, ଏହି ଶ୍ରେଣୀର ବିସ୍ଥାପିତମାନେ ଭୂମିହୀନତା, ବେକାରି, ବାସହୀନତାର ଶିକାର ହୁଅନ୍ତି। ଖାଦ୍ୟ ଅସୁରକ୍ଷା, ଚିକିତ୍ସା ଅଭାବ ଏବଂ ସାମାଜିକ ଓ ସାଂସ୍କୃତିକ ସଂକଟ ଦ୍ବାରା ଆକ୍ରାନ୍ତ ହୁଅନ୍ତି। ତେଣୁ ବିସ୍ଥାପିତମାନଙ୍କ ଉଚିତ ପୁନର୍ବାସ ପ୍ରତି ଧ୍ୟାନ ଦିଆଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହେଉଛି ପୁଞ୍ଜିପତିମାନଙ୍କୁ ସୁହାଇଲା ଭଳି ବିକାଶକୁ ଅଗ୍ରାଧିକାର ନ ଦେବା ଓ ତଜ୍ଜନିତ ଅବିଚାରିତ ବିସ୍ଥାପନକୁ ରୋକିବା।
ସ୍ୱାଧୀନତା ପୂର୍ବରୁ ଦେଶରେ ବିସ୍ଥାପନ ଓ ପୁନର୍ବାସ ସମସ୍ୟା ସେତେ ଗୁରୁତର ନ ଥିଲା, କାରଣ ସେତେବେଳେ ଜନସଂଖ୍ୟାର ସାନ୍ଦ୍ରତା କମ୍ ଥିଲା। ସୁତରାଂ, ପୁନର୍ବାସ ପାଇଁ ଜମିର ଉପଲବ୍ଧତା ଅଧିକ ଥିଲା। ସ୍ୱାଧୀନତା ପରେ ବିକାଶ ଲାଗି ବିଭିନ୍ନ ପ୍ରକଳ୍ପର ରୂପାୟନ ଆବଶ୍ୟକ ହେଲା, ଯେଉଁଥି ପାଇଁ ବିକାଶ-ପ୍ରେରିତ ବିସ୍ଥାପନ ଅଧିକ ତ୍ୱରାନ୍ୱିତ ହେବାକୁ ଲାଗିଲା। କିନ୍ତୁ ବିଡ଼ମ୍ନନା ହେଲା, ବିସ୍ଥାପିତମାନଙ୍କ ସମୁଚିତ ପୁନର୍ବାସକୁ ସୁନିଶ୍ଚିତ କରିବା କ୍ରମେ ପ୍ରାଥମିକତା ହରାଇବାକୁ ଲାଗିଲା। ସାରା ଦେଶରେ ଆଜି ଯାଏଁ କେଉଁ ପ୍ରକଳ୍ପରେ କେତେ ଲୋକ ବିସ୍ଥାପିତ ବା ପ୍ରଭାବିତ ହୋଇଛନ୍ତି ଓ ସେମାନଙ୍କର ପୁନର୍ବାସ ପାଇଁ କ’ଣ କରାଯାଇଛି, ସେ ନେଇ ନିର୍ଭରଯୋଗ୍ୟ ତଥ୍ୟ କେଉଁଠି ଉପଲବ୍ଧ ନାହିଁ। ତେବେ ଗବେଷକ ୱାଲଟର ଜେ. ଫର୍ଣ୍ଣାଣ୍ଡେଜଙ୍କ ଆକଳନ ଅନୁସାରେ ୧୯୫୧ରୁ ୧୯୯୦ ମଧ୍ୟରେ ସାରା ଦେଶରେ ପ୍ରାୟ ୨.୧୩ କୋଟି ଲୋକ ବିସ୍ଥାପିତ ହୋଇଥିଲେ ବା ଜୀବିକା ହରାଇଥିଲେ। ନଦୀ ବନ୍ଧ ଓ ଖଣି ପ୍ରକଳ୍ପଗୁଡ଼ିକ ଦ୍ବାରା ବିସ୍ଥାପିତ ଓ ପ୍ରଭାବିତଙ୍କ ମଧ୍ୟରୁ ୪୦% ଆଦିବାସୀ ହୋଇଥିବା ବେଳେ ଅଭୟାରଣ୍ୟଗୁଡ଼ିକ ପାଇଁ ହୋଇଥିବା ବିସ୍ଥାପନର ୯୦% ଥିଲେ ଆଦିବାସୀ। ସେହିପରି ବିସ୍ଥାପିତ ଦଳିତଙ୍କ ହାର ଥିଲା ୨୦ ପ୍ରତିଶତ। ତେବେ ୧୯୯୧ରେ ଅର୍ଥନୈତିକ ଉଦାରୀକରଣ ପରେ ଘରୋଇ ପୁଞ୍ଜି ନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା, ଯଦ୍ଦ୍ୱାରା ବିସ୍ଥାପିତଙ୍କ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୫ କୋଟିରେ ପହଞ୍ଚି ସାରିଲାଣି। ଏମାନଙ୍କ ମଧ୍ୟରୁ ଏବେ ବି ଏକ କୋଟିରୁ ଅଧିକ ବିସ୍ଥାପିତଙ୍କର ସମୁଚିତ ପୁନର୍ବାସ ହୋଇପାରିନାହିଁ। ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ଓ ଏହି କାରଣରୁ ବିସ୍ଥାପନ ସମସ୍ୟା ଅଧିକ ଜଟିଳ ହୋଇପଡ଼ିଛି।
ଆଦିବାସୀ ଅଧ୍ୟୁଷିତ ଓଡ଼ିଶାରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ହୀରାକୁଦ ନଦୀ ବନ୍ଧଠାରୁ ଆରମ୍ଭ କରି ଏ ଯାଏଁ ବିଭିନ୍ନ ପ୍ରକଳ୍ପ ଲାଗି ଲୋକମାନଙ୍କୁ ବାରମ୍ୱାର ବିସ୍ଥାପନର ସମ୍ମୁଖୀନ ହେବାକୁ ପଡ଼ିଛି। ଓଡ଼ିଶାରେ ଗଚ୍ଛିତ ପ୍ରଚୁର ଖଣିଜ ସମ୍ପଦ, ଜଙ୍ଗଲ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ବିଭିନ୍ନ ସମୟରେ ଦେଶ ଓ ବିଦେଶର ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିଆସିଛି। ଖଣି ଓ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପୁଞ୍ଜିପତିମାନେ ଆଗେଇ ଆସୁଛନ୍ତି। ନଦୀ ବନ୍ଧ, ଅଭୟାରଣ୍ୟ ଲାଗି ସରକାରୀ ଭାବେ ବିପୁଳ ପୁଞ୍ଜି ବିନିଯୁକ୍ତ ହୋଇଛି। ଏହି ସବୁ କାରଣରୁ ବିସ୍ଥାପନ ବୃଦ୍ଧି ପାଇ ଚାଲିଛି। ହୀରାକୁଦ ନଦୀ ବନ୍ଧ ପରିଯୋଜନାରେ ୨୨,୧୪୪ ପରିବାର ବିସ୍ଥାପିତ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪,୭୪୪ ପରିବାରକୁ ଥଇଥାନ କରାଯାଇପାରିଛି। ଏହା ଦୁର୍ଭାଗ୍ୟଜନକ। ସେହିପରି ବାଲିମେଳା, ଅପର କୋଲାବ, ଇନ୍ଦ୍ରାବତୀ, ଶାଳନ୍ଦୀ, ସୁବର୍ଣ୍ଣରେଖା, ରେଙ୍ଗାଲି ଆଦି ବିଭିନ୍ନ ନଦୀ ବନ୍ଧ ପରିଯୋଜନାରେ ବିସ୍ଥାପିତଙ୍କ ମଧ୍ୟରୁ ଅଧିକାଂଶଙ୍କ ଥଇଥାନ ଆଜି ସୁଦ୍ଧା ସନ୍ତୋଷଜନକ ଭାବେ ହୋଇ ପାରିନଥିବାର ଅଭିଯୋଗ ହୁଏ। ରାଉରକେଲା ଇସ୍ପାତ କାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ଲାଗି ଲୋକମାନେ ନିୟମିତ ଅନ୍ତରାଳରେ ବିସ୍ଥାପିତ ହୋଇ ଚାଲିଛନ୍ତି। କୋରାପୁଟ ଓ ହୀରାକୁଦରେ ଅନେକ ଲୋକ ତ ଏକାଧିକ ଥର ବିସ୍ଥାପିତ ହୋଇ ଥିବାର ଦୃଷ୍ଟାନ୍ତ ରହିଛି। ଏକ ଅଧ୍ୟୟନ ଅନୁସାରେ ଓଡ଼ିଶାରେ ୧୯୫୦ରୁ ୧୯୯୩ ମସିହା ମଧ୍ୟରେ ବିଭିନ୍ନ ପରିଯୋଜନାରେ ୧,୪୪୬ଟି ଗ୍ରାମର ୮୧,୧୭୬ ପରିବାର ବିସ୍ଥାପିତ ହୋଇଛନ୍ତି। ଇତିମଧ୍ୟରେ ଓଡ଼ିଶାରେ ବିସ୍ଥାପିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇସାରିଲାଣି; ଅଥଚ ଏ ନେଇ ସଠିକ୍ ହିସାବ କେଉଁଠି ହେଲେ ନାହିଁ। ଜୀବନ-ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀମାନେ ବିସ୍ଥାପନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି; ସେମାନଙ୍କ ଭିତରୁ ମହିଳାମାନଙ୍କ ଜୀବିକା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପରିଲକ୍ଷିତ ହେଉଛି।
ନିକଟରେ ‘ଲୋକଶକ୍ତି ଅଭିଯାନ’ ସଂଗଠନ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନଶୁଣାଣି ମାଧ୍ୟମରେ ବିସ୍ଥାପିତମାନଙ୍କର ବିଭିନ୍ନ ସମସ୍ୟାକୁ ଲିପିବଦ୍ଧ କରି ପ୍ରସ୍ତୁତ ହୋଇଥିବା ରିପୋର୍ଟଟି ଉନ୍ମୋଚିତ ହୋଇଛି। ନୂତନ ଜାତୀୟ ବିସ୍ଥାପନ ନୀତିର ପ୍ରଣୟନ ଉପରେ ଏହି ରିପୋର୍ଟ ଗୁରୁତ୍ୱ ଆରୋପ କରିଛି। ସେଥିରେ ‘ଜାତୀୟ ମହିଳା କମିସନ’, ‘ଜାତୀୟ ମାନବାଧିକାର କମିସନ’ ଢାଞ୍ଚାରେ ଏକ ‘ଜାତୀୟ ବିସ୍ଥାପିତ ଅଧିକାର କମିସନ’ ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାର ରାଜ୍ୟସ୍ତରୀୟ କମିସନ ବି ଗଠିତ ହେବ। କମିସନଙ୍କ ନିକଟରେ ବିସ୍ଥାପନ ଓ ପୁନର୍ବାସ ସଂକ୍ରାନ୍ତ ସମସ୍ତ ତଥ୍ୟ ରହିବ। ଅନେକ ସମୟରେ ବିସ୍ଥାପନ ପୂର୍ବରୁ ଲୋକମାନେ ପୁଲିସ ଓ କମ୍ପାନିର ଗୁଣ୍ଡାଙ୍କ ଦ୍ୱାରା ଅକଥନୀୟ ଦମନର ଶିକାର ହେଉଥିବା ଦେଖିବାକୁ ମିଳେ। ବିସ୍ଥାପିତମାନଙ୍କ ପାଇଁ ବାସଗୃହ ଓ ଅନ୍ୟାନ୍ୟ ସର୍ବନିମ୍ନ ସୁବିଧା ସୁନିଶ୍ଚିତ ନ କରି ସେମାନଙ୍କୁ ବଳପୂର୍ବକ ବିସ୍ଥାପିତ କରାଯାଉଥିବାର ଦୃଷ୍ଟାନ୍ତ ବିରଳ ନୁହେଁ। ବିସ୍ଥାପନ ପରେ ମଧ୍ୟ ଉଚିତ କ୍ଷତିପୂରଣ ଓ ନ୍ୟାୟ ପାଇବା ପାଇଁ ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ଆରମ୍ଭ କରି ନ୍ୟାୟାଳୟ ପର୍ଯ୍ୟନ୍ତ ଦୌଡ଼ିବାକୁ ହୋଇଥାଏ, ଯେଉଁଥିରେ ସେମାନେ ଖର୍ଚ୍ଚାନ୍ତ ହୁଅନ୍ତି ସିନା, ସେମାନଙ୍କ ଦୁର୍ଦ୍ଦଶାର ଅନ୍ତ ଘଟି ନଥାଏ। ବିସ୍ଥାପିତଙ୍କ ଅଭିଯୋଗ ଶୁଣାଣି କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି କମିସନକୁ କ୍ଷମତା ପ୍ରଦାନ କରା ଯାଇପାରିବ। ବିସ୍ଥାପନ ସମସ୍ୟାକୁ ଲାଘବ କରିବା ପାଇଁ ‘ଜାତୀୟ ରାଜପଥ ଆଇନ, ୧୯୫୬’, ‘ଜଙ୍ଗଲ ଅଧିକାର ଆଇନ, ୨୦୦୬’, ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ ଭଳି ଆଇନର ପ୍ରାବଧାନଗୁଡ଼ିକ ଠିକ୍ ରୂପେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା କମିସନ ନିରୀକ୍ଷଣ କରିପାରିବେ।
୧୯୫୧ ମସିହାରେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ଅନେକ ଜମିଦାର ଓ ବିତ୍ତଶାଳୀ ଲୋକ ଭାଗ ନେଇ ସେମାନଙ୍କ ଜମି ଦାନ କରିଥିଲେ, ଯାହା ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ‘ସର୍ବଜନ ହିତ’ ଉଦ୍ଦେଶ୍ୟରେ ସେମାନଙ୍କ ଏହି ବଦାନ୍ୟତା ଉଚ୍ଚ ପ୍ରଶଂସିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ‘ପବ୍ଲିକ୍ ଗୁଡ୍’ ବା ‘ସର୍ବଜନ ହିତାୟ’ର ଦ୍ୱାହି ଦେଇ ଦେଶ ନିର୍ମାଣ ଲାଗି ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଭିଟାମାଟି ସମେତ ସର୍ବସ୍ୱ ହରାଇ ନିଃସ୍ୱ ହେବାକୁ ବାଧ୍ୟ କରାଗଲା। କିନ୍ତୁ, ସେମାନଙ୍କ ତ୍ୟାଗକୁ ସ୍ବୀକାର କରି ସେମାନଙ୍କ ଲାଗି ସମୁଚିତ ପୁନର୍ବାସର ବ୍ୟବସ୍ଥା କରାଗଲା ନାହିଁ କି ଏ ଯାବତ୍ କରାଯାଉନାହିଁ।
ଏହି ପ୍ରବାନ୍ଧିକର ମତରେ ବିସ୍ଥାପିତମାନଙ୍କ ତ୍ୟାଗ ପ୍ରତି ଦେଶ କୃତଜ୍ଞ ରହିବା ଉଚିତ। ପ୍ରତ୍ୟେକ ପ୍ରକଳ୍ପ ନିକଟରେ ବିସ୍ଥାପିତ ଲୋକଙ୍କ ନାମ ସମ୍ୱଳିତ ଏକ ଫଳକ ଲଗାଯାଇପାରେ। ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ପରିବାରର ଅନ୍ତତଃ ଜଣେ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କଥା କୁହାଯାଉଥିଲେ ବି ଆବଶ୍ୟକ ଯୋଗ୍ୟତା ଓ ଦକ୍ଷତା ଅଭାବରୁ ସେମାନେ ନିଯୁକ୍ତି ଲାଭରୁ ବଞ୍ଚିତ ହେଉଛନ୍ତି ବା ସର୍ବନିମ୍ନ ପାହ୍ୟାର ଚାକିରି ପାଉଛନ୍ତି। ତେଣୁ ବିସ୍ଥାପିତମାନଙ୍କୁ କେବଳ ଚାକିରି ନୁହେଁ, ବରଂ ସେମାନଙ୍କୁ ବିକାଶରେ ଅଂଶୀଦାର କରାଯିବା ଉଚିତ, ଯହିଁରେ ସେମାନେ ଲାଭାଂଶ ପାଇବେ। ସେହିପରି ଭିତ୍ତିଭୂମି ବିକାଶ ଲାଗି ହେଉଥିବା ବିସ୍ଥାପନରେ ଭିତ୍ତିଭୂମି ନିର୍ମାଣ ପରେ ମିଳୁଥିବା ଆର୍ଥିକ ଲାଭର ଏକ ନିର୍ଦ୍ଦିଷ୍ଟ ଅଂଶ ବିସ୍ଥାପିତ ପରିବାରଗୁଡ଼ିକୁ ପ୍ରଦାନ କରାଯିବା ଆବଶ୍ୟକ। ରାଜ୍ୟକୁ ବିଜୁଳି ଆଲୁଅରେ ଆଲୋକିତ କରିବା ଉଦ୍ଦେଶ୍ୟରେ ନିର୍ମିତ ହୀରାକୁଦ ନଦୀବନ୍ଧ ପାଇଁ ନିଜ ପରିବାରର ଭବିଷ୍ୟତକୁ ଅନ୍ଧକାରର ଗର୍ତ୍ତ ଭିତରକୁ ଠେଲି ଦେଇଥିବା ବିସ୍ଥାପିତଙ୍କ କଥା ସମାଜ ଓ ପ୍ରଶାସନ ପୂରାପୂରି ଭୁଲି ଯାଇଛନ୍ତି। ଏହା କୃତଘ୍ନତା ବ୍ୟତୀତ ଆଉ କିଛି ନୁହେଁ। ବିକାଶ ଏବଂ ଅନ୍ତର୍ଭୁକ୍ତୀ ବିକାଶ କଥା ଏବେ ବହୁତ ଉଠୁଛି, ଯେଉଁ ପରିପ୍ରେକ୍ଷୀରେ ବିସ୍ଥାପିତମାନଙ୍କ ପ୍ରତି ଗୁରୁତ୍ବ ଆରୋପ ପ୍ରାଥମିକତା ପାଇଥାଏ।
ମୋ: ୯୪୩୭୦୩୮୦୧୫
ସରଳ ବିଚାର: ବିସ୍ଥାପିତଙ୍କ ପ୍ରତି ଅକୃତଜ୍ଞ କାହିଁକି?
ସରଳ କୁମାର ଦାସ