କ‌ରୋନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ସୀମା ସିଲ୍‌: ଲାଗିଲା ଚେକ୍‌ ପୋଷ୍ଟ୍‌, ଯାଞ୍ଚ୍‌ ଜୋର୍‌ଦାର

ରାଉରକେଲା: ଜିଲ୍ଲାର ଦୈନିକ ସଂକ୍ରମଣ ହଜାରେ ଟପିବାପରେ ନିଦରୁ ଉଠିଛି ଜିଲ୍ଲା ପ୍ରଶାସନ। ବିଳମ୍ବରେ ହେଉପଛେ ଶେଷରେ ଜିଲ୍ଲାର ସୀମାକୁ ସିଲ୍‌ କରିଦିଆଯାଇଛି। ସୁନ୍ଦରଗଡ଼ର ସୀମାବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫଲରେ ପୋଡ଼ାଶୀ ରାଜ୍ୟ ଝାଡ଼ଖଣ୍ଡ-ଛତିଶଗଡ଼କୁ ଯେଉଁ ଅବାଧ ଚଳପ୍ରଚଳ ଲାଗିରହିଥିଲା, ତାହା ବନ୍ଦ ହୋଇଯାଇଛି। ଏହାଦ୍ବାରା ବହୁମାତ୍ରା ସଂକ୍ରମଣକୁ ରୋକାଯାଇପାରିବ।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସୀମାନ ଛତିଶଗଡ଼-ଝାଡ଼ଖଣ୍ଡ ସହିତ ମିଶିଛି। ଏହି ପଡ଼ୋଶୀ ରାଜ୍ୟକୁ ଯିବାକୁ ୭ଟି ମୁଖ୍ୟ ରାସ୍ତା ରହିଛି। ସେଗୁଡ଼ିକ ହେଲା-‌ଛତିଶଗଡ଼ ଯିବାକୁ ହେମଗିର ବ୍ଲକର ଟପରିଆ, ବାଲିଶଙ୍କରା ବ୍ଲକର ତେଲିଯୋର ଓ ଲୁଲକିଡ଼ିହି, ବଡ଼ଗାଁ ବ୍ଲକର ସଲଙ୍ଗାବାହାଲ, ବୀରମିତ୍ରପୁର ପାତାଲକାଣ୍ଡ୍‌, ବିଶ୍ରା ବ୍ଲକର ମହୀପାଣି ଓ ସୋରଡ଼ା। ଏତଦ୍‌ବ୍ୟତୀତ ଏକାଧିକ ଚୋରାପଥ ରହିଛି। ତେବେ ଏହି ପ୍ରମୁଖ ୭ଟି ରାସ୍ତା ଦେଇ ପ୍ରତ୍ୟହ ଝାଡ଼ଖଣ୍ଡ-ଛତିଶଗଡ଼କୁ ଶହଶହ ଲୋକ ଯିବାଆସିବା କରିଥାନ୍ତି। ବିଶେଷକରି ରାଉରକେଲା-ବନ୍ଧମୁଣ୍ଡା-ବିଶ୍ରା-ମହୀପାଣି-ଜରୈକେଲା ଦେଇ ଝାଡ଼ଖଣ୍ଡର ମନୋହରପୁର ଦେଇ ଯାଇଥାନ୍ତି। ଏହାସହ ବିଶ୍ରା ବ୍ଲକର ସୋରଡ଼ା-ଝାଡ଼ଖଣ୍ଡର ଆନନ୍ଦପୁର ରାସ୍ତା ଓ ବାଲିଶଙ୍କରା ତେଲିଯୋର ଦେଇ ଗମନାଗମନ ଲାଗିରହିଥାଏ।

 

କୋଭିଡ୍‌ ତୃତୀୟ ଲହର ଆରମ୍ଭ ହେବାଦିନଠାରୁ ପୋଡ଼ାଶୀ ରାଜ୍ୟ ପୁଲିସ ଦ୍ବାରା ସୀମାନ୍ତରେ ଯାଞ୍ଚ ଆରମ୍ଭ କରାଯାଇଥିଲା। ଅପରପକ୍ଷରେ ଓଡ଼ିଶା ସୀମା ମୁକୁଳା ପଡ଼ିଥିଲା। ଏନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସୀମା ସିଲ୍‌ ଦାବି ଉଠିଥିଲା। ଏହି କ୍ରମରେ ରାଉରକେଲା ପୁଲିସ ପକ୍ଷରୁ ଦୁଇ ଦିନ ପୂର୍ବେସୀମାନ୍ତ ସୋରଡ଼ା ଓ ପହୀପାଣିଠାରେ ଚେକ୍‌ ପୋଷ୍ଟ୍‌ ସ୍ଥାପନ କରାଯାଇଛି। ଏବେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଅନ୍ୟ ୫ଟି ସୀମାବର୍ତ୍ତୀ ଅଞ୍ଚଳ, ଯଥା-ଟପରିଆ, ତେଲିଯୋର, ଲୁଲକିଡ଼ିହି, ବୀରମିତ୍ରପୁର, ସଲଙ୍ଗାବାହାଲଠାରେ ଚେକ୍‌ ପୋଷ୍ଟ୍‌ ସ୍ଥାପନ କରାଯାଇଛି। କେବଳ ଡବଲ ଡୋଜ୍‌ ଟିକା ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ସୁନ୍ଦରଗଡ଼ ସୀମାକୁ ପ୍ରବେଶ ଅନୁମତି ଦିଆଯାଉଛି। ଯେଉଁମାନେ ମାନଦଣ୍ଡ ପୂରଣ କରିପାରୁନାହାନ୍ତି, ସେମାନଙ୍କୁ ସୀମାରୁ ଫେରାଇଦିଆଯାଉଛି। ଏତଦ୍‌ବ୍ୟତୀତ ଆନସୁଙ୍ଗିକ କାଗଜପତ୍ରଧାରୀ ଆଗନ୍ତୁକଙ୍କର ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଉଛି। ସମସ୍ତ ଚେକ୍‌ ପୋଷ୍ଟ୍‌ରେ ପୁଲିସ୍‌, ଆରଟିଓ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ରହି ଯାଞ୍ଚ କରିବା ସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର