ସୁନ୍ଦରଗଡ଼ ପୌର କର୍ତ୍ତୃପକ୍ଷଙ୍କ ମନମାନୀ: ପ୍ରକଳ୍ପ ବିଲ୍ ପାଇଁ ଆଉ କେତେ ବର୍ଷ ଦୌଡ଼ିବେ ଠିକାଦାର !

ସୁନ୍ଦରଗଡ଼: ୩ ବର୍ଷ ତଳେ ସୁନ୍ଦରଗଡ଼ ପୌର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କିଛି ସ୍ବୟଂ ସହାୟିକା ଗୋଷ୍ଠୀ ଓ ଠିକାଦାର ସହରାଞ୍ଚଳରେ ପ୍ରାୟ କୋଟିଏ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମ ସମ୍ପାଦନ କରିଥିଲେ। କିନ୍ତୁ କାମ ସାରି ବିଲ୍ ପାଇଁ ଗଲା ବେଳକୁ ଆଜିକାଲି କହି ଦିନ ଗଡ଼ାଇ ନେଇ ଚାଲିଲେ କର୍ତ୍ତୃପକ୍ଷ। ଏହା ମଧ୍ୟରେ ଅନେକ ଅଧିକାରୀ ବଦଳି ଗଲେଣି, କିନ୍ତୁ ବିଲ୍ ମିଳୁନି। ଠିକାଦାର ଓ ସ୍ବୟଂ ସହାୟିକା ଗୋଷ୍ଠୀ ଦୌଡ଼ିଦୌଡ଼ି ନୟାନ୍ତ। ଏ ନେଇ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ପରେ ଉପଜିଲ୍ଲାପାଳ ପୌର ନିର୍ବାହୀ ଅଧିକାରୀଙ୍କୁ ମାଗିଛନ୍ତି ରିପୋର୍ଟ।

କୋଭିଡ୍ ମହାମାରୀ ସମୟରେ ସହରାଞ୍ଚଳରେ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ଜିଲ୍ଲାପାଳ ତଥା ପୌର ଅଧିକାରୀଙ୍କ ପରାମର୍ଶରେ ବିଭିନ୍ନ ଉନ୍ନୟନମୂଳକ କାମ କରାଯାଇଥିଲା। ପ୍ରାୟ କୋଟିଏ ଟଙ୍କାର ରାସ୍ତା, ପୋଖରୀ, ନାଳୀ ଆଦି କାମ କରାଯାଇଥିଲା। ସ୍ବୟଂ ସହାୟିକା ଗୋଷ୍ଠୀ ଓ କିଛି ଠିକାଦାରଙ୍କ ହାତରେ ସମ୍ପାଦନ ଦାୟିତ୍ବ ଦିଆଯାଇଥିଲା। ଠିକ୍ ସମୟରେ କାମ ମଧ୍ୟ ସାରି ଦେଇଥିଲେ ସ୍ବୟଂ ସହାୟିକା ଗୋଷ୍ଠୀ ଓ ଠିକାଦାର। ହେଲେ ବିଲ୍ ପାଇଁ ପୌରପାଳିକାରେ ପାଖରେ ପହଞ୍ଚିଲା ବେଳକୁ କର୍ତ୍ତୃପକ୍ଷ ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଲେ। ଠିକ୍ ଏହି ସମୟରେ ତତ୍କାଳୀନ ପୌର ନିର୍ବାହୀ ଅଧିକାରୀ ଅଶୋକ ମିଶ୍ର ଏକ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ପଡ଼ି ଜେଲ୍ ଚାଲିଯିବା ପରେ ପ୍ରଦୀପ ଶାହା ନୂଆ ନିର୍ବାହୀ ଅଧିକାରୀ ଭେିବେ ଯୋଗ ଦେଇଥିଲେ। କିନ୍ତୁ ଏହା ତାଙ୍କ ସମୟର କାର୍ଯ୍ୟ ନୁହେଁ ଓ ସ୍ବଚ୍ଛତା ନଥିବା କହି ବିଲ୍ ଦେବାକୁ ମନା କରିଦେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ବିଭିନ୍ନ ବିଭାଗର ଏକ ବୈଷୟିକ ଦଳ ସରଜମିନ ତଦନ୍ତ କରି ରିପୋର୍ଟ ଦେବା ପରେ ଠିକାଦାର ଓ ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଲ୍ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ସମୟରେ ହଠାତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଶାହାଙ୍କ ବଦଳି ହେବାରୁ ପ୍ରକ୍ରିୟା ଅଟକି ଯାଇଥିଲା।

ଏହା ପରେ ଯୋଗ ଦେଇଥିଲେ ମଧୁସ୍ମିତା ସିଂ, ସେ ବିଲ୍କୁ ପକାଇ ରଖିଲେ। ଠିକାଦାର ଓ ସ୍ବୟଂ ସହାୟିକା ଗୋଷ୍ଠୀ ଆସି ବହୁବାର ଅନୁରୋଧ କରିଥିଲେ ମଧ୍ୟ ସେ ଶୁଣି ନଥିଲେ। ତେବେ ଅଧିକାରୀ ମଧୁସ୍ମିତା କିଛି ମାସ ପାଇଁ ତାଲିମରେ ଚାଲିଯିବା ପରେ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡଙ୍କୁ ପୌର ନିର୍ବାହୀ ଅଧିକାରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ତାଙ୍କ ଦୃଷ୍ଟିକୁ ଏକଥା ଯିବା ପରେ ସେ ନିଜେ ସମସ୍ତ ପ୍ରକଳ୍ପର ତଦାରଖ କରି ବିଲ୍ ଦେବାକୁ ପ୍ରକ୍ରିୟା ଚଲାଇଥିଲେ। କିନ୍ତୁ ମଧୁସ୍ମିତା ସିଂ ଫେରିବା ପରେ ବିଲକୁ ପୁଣି ଅଟକାଇ ଦେଇଥିଲେ। ଏପରିକି ନୂଆ ପୌରପରିଷଦ ବୈଠକରେ ଏ ନେଇ ପ୍ରସ୍ତାବ ଗୃହୀତ ହେବା ପରେ ମଧ୍ୟ ସେ ତାକୁ ବିନା କାରଣରେ ପକାଇ ରଖିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ତନୟା ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ‘ଏସବୁ କାମ ଠିକ୍ ଭାବେ ହୋଇଛି, ପୌରପରିଷଦ ବୈଠକରେ ମଧ୍ୟ ବିଲ୍ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। କିନ୍ତୁ କେଉଁଠି, କାହିଁକି ଅଟକିଛି ସେ ସମ୍ପର୍କରେ ଆଲୋଚନା କରାଯିବ ଓ ଶୀଘ୍ର ପଦକ୍ଷେପ ନିଆଯିବ’ ବୋଲି କହିଥିଲେ।

ସମ୍ବନ୍ଧିତ ଖବର