ମହିଳାଙ୍କୁ ମାଡ଼ ମାରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରଫ

ଖୋର୍ଦ୍ଧା: ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରିବା ଘଟଣାରେ ଆଜି ପୁରୀ ଜିଲ୍ଲା କଣାସ ବ୍ଲକର ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ସଦରଥାନା ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ସୂଚନାନୁସାରେ, ସଦର ଥାନା ଅନ୍ତର୍ଗତ ବରମପୁରା ଗାଁରେ ରମେଶ ବଡ଼ଜେନା (୪୯) ତାଙ୍କ ପଡ଼ୋଶୀ ଜଣେ ମହିଳାଙ୍କ ପାଣି ଟ୍ୟାପ୍ରୁ ପାଣି ନେବାକୁ କେନ୍ଦ୍ର କରି ବିବାଦ ହୋଇଥିଲା । ଏଥିରେ ରମେଶ ମହିଳାଙ୍କୁ ଆକ୍ରମଣ କରି ଆହତ କରିଥିଲେ । ଏହି ଘଟଣାରେ ମହିଳାଜଣକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ୬୩/୨୦୨୧ରେ ଏକ ମାମଲା ରୁଜୁ କରିବା ସହ ରମେଶଙ୍କୁ ଥାନାକୁ ପଚରାଉଚୁରା ପାଇଁ ଡକାଇଥିଲେ ।

କିନ୍ତୁ ଏହାକୁ ରମେଶ ଏଡ଼ାଇ ଚାଲିଥିଲେ । ଶେଷରେ ପୁଲିସ ଗାଁରେ ପହଂଚି ତାଙ୍କୁ ଆଜି ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ଏନେଇ ସଦର ଥାନା ଅଧିକାରୀ ଅନିତା ସାହୁ କହିଛନ୍ତି, ରମେଶ ବର୍ତମାନ କଣାସ ବ୍ଲକରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାମ କରନ୍ତି । ତାଙ୍କ ବିରୋଧରେ ପୂର୍ବରୁ ଦୁଇଟି ୧୦୮/୨୦୧୮ ଓ ୧୦୯/୨୦୧୮ ଅପରାଧିକ ମାମଲା ରହିଛି ।

ସମ୍ବନ୍ଧିତ ଖବର