କମବେଡା ମଣ୍ଡିରୁ ୩୨ କ୍ବିଣ୍ଟାଲ ଧାନ ଜବତ କଲା ଯୋଗାଣ ବିଭାଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜିଲ୍ଲାରେ ଯେଭଳି ମଣ୍ଡି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକାରୀ ହେବ ସେନେଇ ଜୋରଦାର ଉଦ୍ୟମ ଚଳାଉଥିବା ବେଳେ କାମବେଡା ମଣ୍ଡିରେ ଦଲାଲ ମାନେ କିପରି ନିଜର ଧାନକୁ ମଣ୍ଡିରେ ବିକ୍ରି କରିବା ନେଇ ଯୋଜନା କରୁଛନ୍ତି ସେନେଇ ଖବର ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ନିର୍ଦେଶକ୍ରମେ କୋରକୋଣ୍ଡା ଯୋଗାଣ ଅଧିକାରୀ ବିମକେଶ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଧାନ ଜବତ କରିଛି। ମାଲକାନଗିରି ଜିଲ୍ଲାରେ ଚାଲିଥିବା ୬୫ ମଣ୍ଡିରେ ଆଜି ପର୍ଯ୍ୟନ୍ତ ସୁରୁଖୁରୁରେ ଧାନ କିଣା ଚାଲିଥିବା ବେଳେ କାଁଭାଁ ମଣ୍ଡିରେ ଦଲାଲ ମାନେ ସକ୍ରିୟ ହୋଇ ନିଜର ଗଚ୍ଛିତ ଧାନକୁ ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି। ତେବେ ଏନେଇ ଜିଲ୍ଲା ଯୋଗାଣ ବିଭାଗ ସବୁ ମଣ୍ଡି ଉପରେ ନଜର ରଖିଛି।କୋରକୋଣ୍ଡା ବ୍ଲକର କାମବେଡା ମଣ୍ଡିରେ ଏମଭି-୪୯ ଗ୍ରାମର ଗଣେଶ ହଲଦାର ନାମକ ଦଲାଲ ମଣ୍ଡିରେ ୩୨ କ୍ବିଣ୍ଟାଲ ଧାନ ବିକ୍ରି କରିବାକୁ ଚେଷ୍ଟା କରୁଥିଲା। ଯୋଗାଣ ବିଭାଗ ଖବର ପାଇ ଚଢ଼ାଉ କରି ସବୁ ଧାନକୁ ଜବତ କରିଛି।

ଏହା ପୂର୍ବରୁ କୋରକୋଣ୍ଡା ବ୍ଲକର ବିଭିନ୍ନ ମଣ୍ଡିରେ ଚଢ଼ାଉ କରାଯାଇ ଯୋଗାଣ ବିଭାଗ ଧାନ ଜବତ କରି ସାରିଛି। ମଣ୍ଡି ଆରମ୍ଭ ପୂର୍ବରୁ ଗରିବ ଚାଷୀଙ୍କ ଠାରୁ କମ୍ ଦରରେ ଧାନ ଖରିଦ କରି ଧାନ ଚାଷ କରି ପାରିନଥିବା ଚାଷୀଙ୍କୁ ଧରି ସେମାନଙ୍କ ନାମରେ ପଞ୍ଜୀକରଣ କରି ଟୋକେନ ପାଇବା ପରେ ଧାନକୁ ବିକ୍ରି କରିଥାନ୍ତି। ତେବେ ଯୋଗାଣ ବିଭାଗ ମୋଟ ୨୦୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଧାନକୁ ଜବତ କରିବା ପରେ କୋରକୋଣ୍ଡାର ଏକ ଧାନ ମିଲକୁ ପଠାଇ ଦେଇଥିବା ଜଣାପଡିଛି। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି। ତେବେ ଅନ୍ୟ ଦୁର୍ଗମ ମଣ୍ଡି ଗୁଡାକରେ ମଧ୍ୟ ଚଢାଉ କରାଗଲେ ବହୁ ଦଲାଲ ଧରାପଡିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବିଶେଷ କରି କାଲିମେଳା ଏବଂ ପଡିଆ ବ୍ଲକ ର ବିଭିନ୍ନ ମଣ୍ଡିରେ ଏବେ ଦଲାଲ ସକ୍ରିୟ ଥିବାବେଳେ ଯୋଗାଣ ଅଧିକାରୀ ମାନେ କିପରି ଜାଣି ପାରୁନାହାଁନ୍ତି ତାହା ଏବେ ତଦନ୍ତ ସାପେକ୍ଷ। ଭିତିରିଆ ସଲାସୁତରାରେ ମଣ୍ଡି ଚାଲିଥିବା ଜଣାପଡିଛି। ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଚଢ଼ାଉ ହେଲେ ସବୁ ପଦାକୁ ଆସିବ ବୋଲି ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର