ବନ୍ଦ ପାଳନ: ଚକ ଗଡ଼ିଲାନି ଓ ଅଫିସ ଖୋଲିଲାନି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଭାରତ ବନ୍ଦ ଯୋଗୁଁ ଆଜି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନୂତନ କୃଷକ ଶ୍ରମିକ ଓ ଜନ ବିରୋଧୀ ନୀତି ପ୍ରତିବାଦରେ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ କରାଯାଇଥିଲା ।

ଆଜି ଭବାନୀପାଟଣା ସହରରେ କଳାହାଣ୍ଡି ଲଘୁଯାନ ଚାଳକ ସଂଘ, ଓଡିଶା ନିର୍ମାଣ ଶ୍ରମିକ ସଂଘ, ଏଆଇଟିୟୁସି, କଂଗ୍ରେସ ଓ ବିଭିନ୍ନ ସଂଘ ପକ୍ଷରୁ ଭବାନୀପାଟଣା ସହରର କଲେଜ ଛକ, ଘୋଡାଘାଟ ଛକ, ନକଟିଗୁଡା ଛକ ସମେତ ସହରର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ୨୬ ଉପରେ ଧାରଣା ଓ ପିକେଟିଂ ହୋଇଥିଲା । ଜାତୀୟ ରାଜପଥ ୨୬ ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ଭବାନୀପାଟଣା ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟବସାୟୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିଲା । ସହରରେ କେବଳ ଦୁଇ ଚକିଆ ଯାନକୁ ଛାଡି ସମସ୍ତ ଭାରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । କଂଗ୍ରେସ ପକ୍ଷରୁ ଯୁବନେତା ଶାଗରଚରଣ ଦାସଙ୍କ ନେତୃତ୍ୱରେ ଶାଗର ପଟ୍ଟନାୟକ, ମହମ୍ମଦ ମହସିନ, ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାଜିଦ, ପରମାନନ୍ଦ ମାଝୀ, ରାଜେଶ ଦୀପ, ସରୋଜ ବାଗ, ପ୍ରୀତମ ବେହେରା, ବ୍ରଜ ସାହୁ, ଦିଲୁ ନାଏକ ପ୍ରମୁଖ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା ।

ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ବସ ଚଳାଚଳ ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହୋଇଥିଲେ ।

ସମ୍ବନ୍ଧିତ ଖବର