ସତର ଟିକାକରଣ

କହିବାର ଅଛି - ଦାଶ ବେନହୁର

ଗଣତନ୍ତ୍ର ମିଛ ଶିଖାଏ ବୋଲି କହିଲେ ସେ କଥା କିଏ କ’ଣ ବିଶ୍ବାସ କରିବ? ଅଥଚ ତାହା ହିଁ ସତ୍ୟ। ଏଇ ଶିଖା‌ଣ ଏତେ ଦୁର୍ବାର ଯେ ତାହା ଯେ କୌଣସି ରାଷ୍ଟ୍ରକୁ ସହଜରେ କବଳିତ କରି ନିଏ। ତେଣୁ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଲାଗି ଏବେ ଆଧୁନିକ କାଳରେ ଯଦି ସବୁଠାରୁ କିଛି ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଅଛି ତେବେ ତାହା ହେଉଛି ସତର ଟିକାକରଣ।

ଗ୍ରୀକ୍‌ ସଭ୍ୟତା ସହ ଯୋଡ଼ି ଅଢ଼େଇ ହଜାର ବର୍ଷ ତଳୁ ଗଣତନ୍ତ୍ରର ଜନ୍ମ ବୋଲି ଯେତେ ଦାବି କଲେ ମଧୢ ଏହାର ଗ୍ରହଣୀୟତା ଆସିଛି ଅଷ୍ଟାଦଶ ଶତାବ୍ଦୀ ପରେ। ଆଜି ସାରା ପୃଥିବୀରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସର୍ବତ୍ର ରାଷ୍ଟ୍ରନୀତିର ନୂଆ ଧର୍ମ ପାଲଟିଛି। ଏହାକୁ ଶ୍ରେଷ୍ଠ ବୋଲି କହି ହଜାର ହଜାର ବର୍ଷ ତଳର ପୁରୁଣା ଶାସନିକ ପ୍ରୟୋଗଗୁଡ଼ିକୁ ହଟେଇ ଦିଆଯାଇଛି। ଲୋକ ହିତକାରୀ, ପ୍ରଗତିର ବାହକ, ସାମାଜିକ-ନ୍ୟାୟ-ପ୍ରଦାନକାରୀ ଓ ବ୍ୟକ୍ତି-ସ୍ବାତନ୍ତ୍ର୍ୟର ସର୍ବଶ୍ରେଷ୍ଠ ରକ୍ଷକ ଭାବରେ ଗଣତନ୍ତ୍ରକୁ ଅଭିହିତ କରାଯାଇଛି।

ଅଥଚ ପ୍ଲାଟୋ, ଆରିଷ୍ଟଟଲ୍‌, ରୁଷୋ ଆଦି ବିଶ୍ବ ପ୍ରସିଦ୍ଧ ରାଷ୍ଟ୍ରନୀତି ଆଲୋଚକମାନେ କେହି ଏ ବ୍ୟବସ୍ଥାକୁ ସମର୍ଥନ କରିନାହାନ୍ତି। ସକ୍ରେଟିସ୍‌ଙ୍କୁ ପାଶ୍ଚାତ୍ୟ ଜଗତ୍‌ର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଚିନ୍ତକ ଭାବରେ ସମସ୍ତେ ଗ୍ରହଣ କରନ୍ତି। ଅବଶ୍ୟ କେଉଁଠାରେ ସେ ଧାଡ଼ିଟିଏ କିଛି ଲେଖିଯାଇ ନାହାନ୍ତି। ଯାହା କହିଛନ୍ତି ତାହାକୁ ଲେଖିରଖିଛନ୍ତି ପ୍ଲାଟୋଙ୍କ ଭଳି ତାଙ୍କର ଜଣେ ପ୍ରମୁଖ ଶିଷ୍ୟ। ପ୍ଲାଟୋଙ୍କ କହିବା ଅନୁସାରେ ‘‘ଗଣତନ୍ତ୍ର ଗୋଟିଏ ମନଭୁଲାଣିଆ ବ୍ୟବସ୍ଥା ଯେଉଁଠି ବିଭିନ୍ନତା ଓ ଅବ୍ୟବସ୍ଥା ଭିତରେ କିଛି ଅବିମୃଶ୍ୟକାରୀ ନେତା ସମାନ, ଅସମାନ ଲୋକଙ୍କୁ ଏକାଠି କରି ସମାନତା ବାଣ୍ଟନ୍ତି’’ ବୋଲି ସକ୍ରେଟିସ୍‌ କହିଯାଇଛନ୍ତି।

ରାଷ୍ଟ୍ର କଥା କହିଲାବେଳେ ବାରମ୍ବାର ଆମକୁ ପାଶ୍ଚାତ୍ୟ ଜଗତ୍‌ର ଉଦାହରଣ ଦେବାକୁ ହୁଏ। ତା’ର ମୂଳ କାରଣ ହେଲା ରାଷ୍ଟ୍ର-ବ୍ୟବସ୍ଥ‌ା ପାଶ୍ଚାତ୍ୟ ଜଗତ୍‌ର ଉଦ୍ଭାବନ ଯାହାକୁ ପ୍ରାଚ୍ୟ ଭୂଖଣ୍ତ କାଳକ୍ରମେ ଗ୍ରହଣ କରିନେଇଛି। ତେଣୁ ଦେଶ, ରାଷ୍ଟ୍ର, ଗଣତନ୍ତ୍ର, ବ୍ୟକ୍ତି-ସ୍ବାଧୀନତା, ସମାନତା କଥା କହିଲାବେଳେ ଆମକୁ ସେମାନଙ୍କ ବିଚାରଧାରାର ଆଲୋଚନା କରିବାକୁ ପଡ଼େ। ଗଣତନ୍ତ୍ର ପାଶ୍ଚାତ୍ୟ-ଭୂମିର ଉଦ୍ଭାବନ ମାତ୍ର ଏବେ ଏହା ସମଗ୍ର ବିଶ୍ବର ଗ୍ରହଣୀୟ ଶାସନଧାରାରେ ପରିଣତ ହୋଇଛି। କିନ୍ତୁ ସାବଧାନ ନ ହେଲେ ଏହା ଯେ ରାଜତନ୍ତ୍ର, ଅଭିଜାତତନ୍ତ୍ର, ଫାସିବାଦୀ-ଶାସନ ଓ ସାମରିକତନ୍ତ୍ରରୁ ଅଧିକ ଭୟାନକ ହୋଇ ଉଠିବ ତାହା ସମସ୍ତେ ହୃଦୟଙ୍ଗମ କରିବା ଆବଶ୍ୟକ।

ଗଣତନ୍ତ୍ରକୁ ମିଛ ସହଜରେ କବଳିତ କରେ। ଏହା ସେତେବେଳକା ଦାର୍ଶନିକଙ୍କ ଦୃଷ୍ଟିକୁ ମଧୢ ଆସିପାରିନାହିଁ। ବିଲାତର ଦାର୍ଶନିକ ଜନ୍‌ ଷ୍ଟୁଆର୍ଟ ମିଲ୍‌ଙ୍କୁ ଜଣେ ଗଣତନ୍ତ୍ର ସପକ୍ଷବାଦୀ ବିଜ୍ଞ ଆଲୋଚକ ଭାବରେ ସମସ୍ତେ ଗ୍ରହଣ କରନ୍ତି। ଅଥଚ ସେ ହିଁ ଏ ବ୍ୟବସ୍ଥାରେ ଥିବା ଅସୁବିଧାଗୁଡ଼ିକୁ ଅଧିକ ପ୍ରାଞ୍ଜଳ କରି ଆମ ଆଗରେ ରଖିଯାଇଛନ୍ତି।
ଜଣିକିଆ ମଣିଷ ମାତ୍ରେ ସ୍ବାର୍ଥୀ। ଅହରହ ସେ ନିଜର ଲାଭ ହିଁ ଖୋଜୁଥାଏ। ଅତଏବ ଜଣର ସ୍ବାର୍ଥକୁ ପ୍ରତିହତ କରିବା ଲାଗି ଗଣର ବିଚାର ସର୍ବାଦୌ ଆବଶ୍ୟକ। ସେମିତି ବିକାଶ ଆସିଲେ ମଣିଷ ଖୁସି ହୁଏ। ଏ ବିକାଶ ବ୍ୟକ୍ତି-ସ୍ବାଧୀନତା ବିନା ଅସମ୍ଭବ ବୋଲି ମତ ଦେଇଛନ୍ତି ମିଲ୍‌। ହେଲେ ଗଣ-ବିଚାରରୁ ସ˚ଖ୍ୟାଗରିଷ୍ଠଙ୍କର ସ୍ବେଚ୍ଛାଚାରିତା ଓ ବ୍ୟକ୍ତି-ସ୍ବାଧୀନତାରୁ ଉଚ୍ଛୃଙ୍ଖଳତା ଯେ ଗଣତନ୍ତ୍ରକୁ କବଳିତ କରିନିଏ ଏ ସମ୍ପର୍କରେ ସେ ଥିଲେ ବେଶ୍‌ ସଚେତନ।

ଏବେ ସେ ସବୁ ବିଚାରକୁ ପଛରେ ରଖି ଆମେ ସମସାମୟିକ କାଳକୁ ଆସିବା। କାରଣ ଅତୀତ‌େର କ’ଣ ଥିଲା ଓ କ’ଣ ହୋଇଛି ତାହା ଉଦାହରଣୀୟ ହେଲେ ମଧୢ ବର୍ତ୍ତମାନର ଘଟଣାବଳୀ ଆଧାରରେ ଆମକୁ ସବୁକଥା ପରଖିବାକୁ ପଡ଼ିବ। ସେଇଥିପାଇଁ ତ କୁହାଯାଇଛି ଯେ କୌଣସି ବିଚାରରେ ସ୍ଥିର ହୋଇ ରହିଯିବା ଅପେକ୍ଷା ଆଶାବାଦୀ ହୋଇ ଆଗକୁ ଆଗେଇବା ଭଲ ଓ ଶୁଭଙ୍କର।

ଆଜି ସାରା ବିଶ୍ବରେ ପ୍ରତିଟି ଦେଶର ଗଣତନ୍ତ୍ର ଆବଶ୍ୟକତା ଆଧାରରେ ନିର୍ବାଚନ ରଣରେ ପ୍ରମତ୍ତ। ନିର୍ବାଚନ ହିଁ ପାଲଟିଛି ଗଣତନ୍ତ୍ରର କଷଟି ପଥର। ନିର୍ବାଚନକୁ ନେଇ ଯେତେ ସବୁ ଝଡ଼, ହି˚ସା, ପ୍ରତିହି˚ସା ଏବ˚ ମିଛ ସତ। ରାଜନୀତି କ୍ଷେତରେ ନିର୍ବାଚନ ଅସଲ ଚାଷ। ଚାଷ ଭଲ ତ ଅମଳ ଭଲ। ମଞ୍ଜି ବା ବିହନ ଏଠାରେ ଗୌଣ। ମୂଳ ହେଉଛି ଚାଷ। ଜନମତର ଲଙ୍ଗଳରେ ଏ ଚାଷ ହୁଏ। ଯେ ଯେତେ ଲଙ୍ଗଳେଇ ପାରିଲା ତା’ର ଚାଷ ସେତେ ଗଭୀର, ସେତେ ସଫଳ।

ହିସାବ କରି ଦେଖିଲେ ଜଣାପଡ଼ିବ ଯେ ଜନମତ ଲଙ୍ଗଳର କଣ୍ଟିରେ ହାତ ପକେଇବା ପାଇଁ ଯେତେସବୁ ବାଡ଼ିଆପିଟା। କୋଟି କୋଟି ଟଙ୍କାର ଅପବ୍ୟୟ ଠାରୁ ଆରମ୍ଭ କରି ହି˚ସା, ଦଙ୍ଗା ଫସାଦ୍‌, ମିଛ ବିଜ୍ଞାପନ, ପ୍ରତିଶ୍ରୁତି, ଇତିହାସର ପୁନର୍ଲିଖନ, ଗୋଇ ଖୋଳାଖୋଳି, କୁମ୍ଭୀର କାନ୍ଦଣା। ସବୁ ଏଇ ଲଙ୍ଗଳ ପାଇଁ। ‘‘ଲଙ୍ଗଳ ଯାହାର ଜମି ତାହାର’’ କଥାଟି ଗଣତାନ୍ତ୍ରିକ ରାଜନୀତିରେ ଯେତେ ଫଳବତୀ ତାହା ପ୍ରକୃତ ମାଟି-ଚାଷ ବା ମୌଳିକ କୃଷି କ୍ଷେତ୍ରରେ ସଚରାଚର ଅନୁପସ୍ଥିତ।

ଭାରତ ପରିପ୍ରେକ୍ଷୀରେ ଆଲୋଚନା କଲେ ଆଜି ସବୁ ରାଜନୈତିକ ଦଳ ଗୋଟିଏ ଗୋଟିଏ ମିଛର ଖଣି। ସେମାନେ ଜାଣିଛନ୍ତି, ସତକଥା ଠାରୁ ଚୁଗୁଲି ହିଁ ଅଧିକ ବେଗଗାମୀ ଓ ପ୍ରଭାବଶାଳୀ। ମଇଳା କରିବା ସହଜ, ସଫା କରିବା କଷ୍ଟ। ସତ ଠାରୁ ମିଛର ମିଠା ଖୁବ୍‌ ଆକର୍ଷଣୀୟ। ଅତଏବ କ୍ଷମତାକୁ ଆସିବା ପାଇଁ ଓ କ୍ଷମତାରେ ରହିବା ଲାଗି ମିଛକୁ ସେମାନେ ଆୟୁଧ କରନ୍ତି। କ୍ରିକେଟ୍‌ ବିଷୟରେ କହିଲା ଭଳି ଏମାନେ ମିଛ ଖାଆନ୍ତି, ମିଛ ଖୁଆନ୍ତି, ମିଛ ଶୁଅନ୍ତି ଓ ମିଛ ବଞ୍ଚନ୍ତି। ଭାରତ ବିଭାଜିତ ହେଲାବେଳେ ବି ରାଜନୀତିକ ଦଳମାନେ ସାଧାରଣ ଜନତାଙ୍କୁ ମିଛରେ ରଖିଥିଲେ। ଡାହା ମିଛ କୁହାଯାଇଥିଲା ଅହି˚ସାପୁରୁଷ ଗାନ୍ଧୀଙ୍କୁ। ସ୍ବାଧୀନତା ଲାଭ ପୂର୍ବରୁ ବିଭାଜନ ବେଳର ଅକଳ୍ପନୀୟ ହାଣକାଟ ସମ୍ପର୍କରେ ଗାନ୍ଧୀଜୀ ଜାଣିବାକୁ ଚାହିଁବାରୁ ତାଙ୍କରି ଲୋକେ ସେତେବେଳେ ଐତିହାସିକ ମିଛ ହିଁ କହିଥିଲେ। ଧର୍ମ ଆଧାରରେ ଦେଶ ଗଢ଼ି ଆମେ ଅଲଗା ହୋଇଗଲେ ଜନ୍ନତର ସ୍ବାଦ ଚାଖିବା ବୋଲି ଗୋଟାଏ ବିରାଟ ମିଛ ମାଧୢମରେ ହିଁ ଭାରତର ପୁରୁଣା ଘରଟାକୁ ଭାଙ୍ଗି ଖଣ୍ତ ଖଣ୍ତ କରିଦିଆଗଲା।

ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କ’ଣ କେବଳ ଗଣତନ୍ତ୍ରରେ ମିଛ ଫଳିବା ସହଜ, ଆଉ କେଉଁ ତନ୍ତ୍ରରେ ନୁହେଁ? ଏ କଥାଟି ଏବେ ଜଳ ଜଳ ସତ। ତାହା ହିଁ ଆଜିର ସବୁଠାରୁ ବଡ଼ ବିଡ଼ମ୍ବନା।

ପ୍ରଥମେ ରାଜତନ୍ତ୍ର କଥାଟିକୁ ବିଚାର କରାଯାଉ। ଜଣେ ରାଜା ବା ମହାରାଜା ମିଛ କହିବେ କାହିଁକି? ସେ ଜାଣନ୍ତି ମାଟି ତାଙ୍କର, ଶାସନ ତାଙ୍କର। କାହା ମତ ଉପରେ ତାଙ୍କର ସ୍ଥିତି ନିର୍ଭରଶୀଳ ନୁହେଁ। ଅତଏବ ଦୁର୍ଭିକ୍ଷରେ ବା ବନ୍ୟାରେ କେତେ ମଲେ ସେ କଥା ଲୁଚେଇବାର ଆବଶ୍ୟକତା ତାଙ୍କର ନ ଥାଏ। ଲୋକଙ୍କୁ ଆପଣା ପଟକୁ ନେବା ଲାଗି ତାଙ୍କର ମିଛାଶ୍ରୟ ଲୋଡ଼ା ନାହିଁ। ପୂର୍ବରୁ ଥିବା ଶାସକଙ୍କ ସମ୍ପର୍କରେ ପ୍ରତାରଣା ବା ପ୍ରାୟୋଜିତ ଇତିହାସ ଲେଖିବା ଦରକାର ପଡ଼େନାହିଁ ତାଙ୍କର। ଯଦି କେହି ରାଜତନ୍ତ୍ରୀ ଶାସକ ମିଛ କହି ଆପଣାର ବଡ଼ପଣ ସାବ୍ୟସ୍ତ କରନ୍ତି ତାହା ଦୋସରା କଥା, ମାତ୍ର ଗାଦିରେ ରହିବା ପାଇଁ ତାଙ୍କର ମିଛ ଦରକାର ପଡ଼େନାହିଁ। ସେଇଭଳି ସମସ୍ତ ଅଗଣତାନ୍ତ୍ରିକ ଶାସନ। ହୁଏ’ତ ଶାସନକୁ ଆସିବା ପାଇଁ ମିଥ୍ୟାର ଆଶ୍ରୟ ନିଆଯାଇଥାଇପାରେ ହେଲେ ତେଣିକି ମିଥ୍ୟା ଆବଶ୍ୟକ ପଡ଼େନାହିଁ। ସୁଶାସନ ନଚେତ୍ ଅତ୍ୟାଚାର ହୋଇପଡ଼େ ସେ ଭଳି ଶାସନର କ୍ରମ ପରିଣତି।

ଏ କଥା ମୋଟେ ଭାବିବା ଉଚିତ ନୁହେଁ ଯେ ଅଗଣତାନ୍ତ୍ରିକ ଶାସନରେ ମୋଟେ ମିଛ ନ ଥାଏ। ସେଥିରେ ଯାହା କିଛି ମିଛ ତାହା ସର୍ବୋଚ୍ଚ ଶାସକଙ୍କୁ ନେଇ ଘଟେ। ମାତ୍ର ଗଣତନ୍ତ୍ରରେ ମିଛ ହିଁ ପାଲଟେ ଶାସନର ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷର ସ୍ବାଭାବିକ ପରିଣତି।

ମିଛର ଆରମ୍ଭ ହୁଏ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିରୁ। କିଏ ସର୍ବହରାର ଶାସନ ଡୁହା ଦେଇ କ୍ଷମତାକୁ ଆସେ ତ କିଏ କହେ ମୁଁ ଆସିଲେ ଗରିବୀ ହଟେଇ ଦେବି। ଆଉ କିଏ କହେ ସବୁ କଳାଟଙ୍କା ଖୋଳି ବାହାର କରିଆଣିବି। ନିର୍ବାଚନର ଇସ୍ତାହାର ତିଆରି କରୁଥିବା ବଡ଼ମୁଣ୍ତମାନେ ବି ଜାଣିଥା’ନ୍ତି ଯେ ଏଥିରେ ସତ୍ୟ ଅପେକ୍ଷା ଅସତ୍ୟ ଅଧିକ। ତା’ପରେ ଆରମ୍ଭ ହୁଏ ଶାସନର ଦିନ ଗଣନା। ଶହେ ଦିନରେ ଏତେ ବଦଳିଗଲା ଦେଶ, ଆୟ ଏତେ ବଢ଼ିଗଲା, ସୁଖର ସୂଚିପତ୍ରରେ ଅନୁପାତ ଏତେ ସ˚ଖ୍ୟାର ସୂଚକାଙ୍କ ଛୁଇଁଲା। ସାଧାରଣ ଲୋକ, ଜନତା ଜନାର୍ଦ୍ଦନ, ଜନମତର ଆଧାର, କ’ଣ ବୁଝେ ଏ ପରିସ˚ଖ୍ୟାନରୁ! ପରିସ˚ଖ୍ୟାନ ହିଁ ସବୁବେଳେ କାମଚଳା। ସେଥିରେ ସତ ଠାରୁ ମିଛ ସବୁବେଳେ ଅଧିକ। ବ୍ୟବସାୟୀ ଗୋଷ୍ଠୀ ବ୍ୟାପାର ହେଉନାହିଁ କହି ଯେତେ ମିଛ କହନ୍ତି ତା’ଠାରୁ ବ୍ୟାପାର, ରପ୍ତାନି ଚମତ୍କାର ଆଗେଇ ଚାଲିଛି କହି ସରକାର ହିଁ ଅଧିକ ମିଥ୍ୟା ପ୍ରଚାର କରନ୍ତି।

ମିଛର ନଗ୍ନ ମନ୍ଦିର ପ୍ରତିଟି ବ୍ୟବସ୍ଥାପକ ସଭା। ଆଜି ଯେଉଁ ନେତା ମୋ ସପକ୍ଷରେ ସର୍ବାଧିକ ସଭ୍ୟ ଅଛନ୍ତି ବୋଲି ଦାବି କରିଥା’ନ୍ତି ସେ ତା’ ପର ଦିନ ହିଁ ଆସ୍ଥା ଭୋଟ୍‌ରେ ଶୋଚନୀୟ ଭାବେ ପରାଜୟ ବରଣ କରନ୍ତି। ନିର୍ବାଚନ ଚାଲିଥିବା ବେଳେ ସବୁ ଆଶାୟୀ ପ୍ରାର୍ଥୀ ଓ ପ୍ରତିଯୋଗୀ ଦଳ ଆମେ ହିଁ ଜିଣିବୁ ବୋଲି ମିଥ୍ୟା ଆସ୍ଫାଳନ କରନ୍ତି। ବ୍ୟବସ୍ଥାପକ ସଭାରେ ଯେ ଉତ୍ତର ପ୍ରତ୍ୟୁତ୍ତର ସେଥିରେ ମିଛର ପୁଟ ଅଧିକ, ସତର ସ୍ପଷ୍ଟତା ବହୁତ କମ୍‌।

ଏ କଥା କ’ଣ ଅସତ୍ୟ ଯେ ଆଜି ସବୁ ଦେଶ ଗଣତନ୍ତ୍ର ନାମରେ ପରସ୍ପରକୁ ମିଛ ହିଁ କହୁଛନ୍ତି? ଦେଶ ମାତ୍ରକେ, ଆପଣା ସ୍ବାର୍ଥ ସବୁଠାରୁ ବଡ଼ କଥା। ସେଥିପାଇଁ କେତେ ଯେ ଅନ୍ତର୍ଘାତୀ ଶୋଷଣ, ହନନ, ମାନବାଧିକାରର ଉଲ୍ଲ˚ଘନ ତା’ର ହିସାବ ନାହିଁ। ଅଥଚ ସଭିଏଁ ଗଣତନ୍ତ୍ରର ପତାକା ଧରି ବ୍ୟକ୍ତି-ସ୍ବାଧୀନତା ଓ ସ୍ବାତନ୍ତ୍ର୍ୟର ଆସ୍ଫାଳନ କରନ୍ତି। ଦେଶ ବଡ଼ କି ସାନ, ସେଥିରେ କିଛି ଯାଏ ଆସେ ନାହିଁ। ସବୁଠାରେ ମିଛର ରାଜୁତି।

ଆମେରିକା ସୁଯୋଗ, ସୁବିଧା ଓ ସ୍ବାଧୀନତାର ଦେଶ ବୋଲି ଆପଣାକୁ ଘୋଷଣା କରେ। ଗଣତନ୍ତ୍ର ଉଲ୍ଲ˚ଘନ ହେଉଛି ବୋଲି କହି ଇରାକ୍‌, ଲିବିଆ, ଆଫଗାନିସ୍ତାନରେ ବିଭ୍ରାଟ ସୃଷ୍ଟି କରେ। ଅଥଚ ନିର୍ବାଚନ ବେଳେ ମିଛ ସହ ମିଛର ପ୍ରତିଯୋଗିତା କରାଏ। ନିକଟ ଅତୀତରେ ସ˚ଘଟିତ ଟ୍ରମ୍ପ୍‌-ବାଇଡେନ୍‌ ନିର୍ବାଚନ ସମରରେ ମିଛ ହିଁ ସାଜିଥିଲା ପ୍ରଧାନ ମିଜାଇଲ୍‌।

ଏବେ ଚୀନ୍‌ ଭଳି ଗୋଟାଏ ବିଶାଳ ଅଗଣତାନ୍ତ୍ରିକ ଦେଶ ନିଜକୁ ଶ୍ରେଷ୍ଠ ଗଣତନ୍ତ୍ର (ସାଧାରଣତନ୍ତ୍ର) କହି ସାମାଜିକ ଗଣମାଧୢମରେ ବିଭିନ୍ନ ଦେଶର ବୁଦ୍ଧିଜୀବୀଙ୍କୁ ଲାଞ୍ଚ ଦେଇ ଏକ ନମ୍ବର ବୋଲାଇବାରେ ଲାଗିଛି। ପ୍ରଶାସନିକ ଲୁହା ଚଦର ଭିତରେ ଚୀନ୍‌ କ’ଣ କରେ ତାହା ବାହାରକୁ ଅଜଣା, ଅଥଚ ସେ ଦେଶର ଶାସନ ଅନୁକରଣୀୟ ବୋଲି ଅନେକ ଗଣତାନ୍ତ୍ରିକ ଦେଶ ଏବେ ସ୍ବୀକାର କରିବାକୁ ଆରମ୍ଭ କରିଛନ୍ତି।

ସମ୍ପ୍ରତି ଗଣତନ୍ତ୍ରରେ ମିଛ ଶିଖାଣ ଏକ ପରମ୍ପରାରେ ପରିଣତ ହୋଇଛି। ସବୁ ରାଜନୈତିକ ଦଳଙ୍କର ବଦ୍ଧମୂଳ ଧାରଣା ଯେ ସତ କହିଲେ ନିର୍ବାଚନ ବୈତରଣୀ ପାରିହେବା ଅସମ୍ଭବ। ଅତଏବ ମିଛର ଆଶ୍ରୟ ନିଅ। ନିଜ ସମ୍ପର୍କରେ ମିଥ୍ୟାଚାର କର, ବିରୋଧୀଙ୍କ ସମ୍ପର୍କରେ ପ୍ରବଳ ମିଛର ପ୍ରଚାର କର, ସେମାନଙ୍କ ଅତୀତକୁ କଦର୍ଥ କରି ମିଛରେ ଭରିଦିଅ। ଏତେ ମିଛ-ପଙ୍କରେ ବିପକ୍ଷକୁ ପୋତି ପକାଅ ଯେ ତା’ର ଅସଲ ସତ ଛବିଟା ଆଉ କାହା ଆଖିକୁ ଦିଶିବ ନାହିଁ। ନିର୍ବାଚନ ଜିଣିବା ଲାଗି ଖର୍ଚ୍ଚ ନିର୍ଦ୍ଧାରିତ ହୋଇଛି, ଅଥଚ ପ୍ରାର୍ଥୀ ପରେ ପ୍ରାର୍ଥୀ ଖର୍ଚ୍ଚର ମିଛ ଫର୍ଦ୍ଦ ଧରି ନିର୍ବାଚନ ଆୟୋଗକୁ ଭୁଆଁ ବୁଲାନ୍ତି। ସବୁଠାରୁ ବିଡ଼ମ୍ବନାର କଥା ହେଉଛି ନିର୍ବାଚନ ସ˚କ୍ରାନ୍ତୀୟ ଅଧିକା˚ଶ ସତ୍ୟପାଠ ମିଥ୍ୟାର ଗୋଟିଏ ଗୋଟିଏ ଜଳ ଜଳ ଇସ୍ତାହାର।

ଏତେ ମିଛର ଆବଶ୍ୟକତା କେବଳ ନିର୍ବାଚନ ମଇଦାନରେ ସଫଳତାର ସହ ଜନମତ ଲଙ୍ଗଳ ପୂରେଇବା ପାଇଁ। ଗଣତନ୍ତ୍ର ଛଡ଼ା ଆଉ କେଉଁ ତନ୍ତ୍ରରେ ଏହାର ଆବଶ୍ୟକତା ନାହିଁ। କାରଣ ନିର୍ବାଚନ ଭଳି ପଶାଖେଳର ଆବଶ୍ୟକତା ଅନ୍ୟ ଠାରେ ଅଦରକାରୀ।

କହିବାର ଅଛି, ନିର୍ବାଚନ ମାଧୢମରେ ଆମ ଗଣତନ୍ତ୍ର ଆମକୁ ମିଛ ଭୂତାଣୁରେ ଆକ୍ରାନ୍ତ କରିଚାଲିଛି। ଏତିକିବେଳେ ସତର ଟିକାକରଣ ନିହାତି ଜରୁରି। ସରକାର ଏ ଟିକାକୁ ମୋଟେ ପ୍ରୋତ୍ସାହିତ କରିବେ ନାହିଁ। ଆସନ୍ତୁ ପରସ୍ପରକୁ ସତର ଟିକା ଦେବା। ନଚେତ୍‌ ଗଣତନ୍ତ୍ର ମୋଟେ ବାଟକୁ ଆସିବ ନାହିଁ। ସାବଧାନ, ନିର୍ବାଚନ ଆସୁଚି।

[email protected]

ସମ୍ବନ୍ଧିତ ଖବର