ବଡ଼ ଦୁର୍ନୀତି: ଆଦିବାସୀ ମହିଳାଙ୍କ ନାମରେ ଘର ଦେଇ ଟଙ୍କା ହଡପ

ବୈପାରିଗୁଡା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ହରିଲୁଟ ଚାଲିଛି ସେନେଇ ବିଗତ ଦିନରେ ସାରା ରାଜ୍ୟରେ ବିଜେପି ତରଫରୁ ଅଭିଯୋଗ କରାଯାଇ ଥିଲା। ଏହି ଦୁର୍ନୀତି ବିରୋଧରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା। ଏବେ ଏହି ଘୋଟାଲାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ମଧ୍ୟ ସାମିଲ ହୋଇଛି। ବ୍ଲକର ଦଣ୍ଡାବାଡି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସରେ ବଡ ଘୋଟାଲା ଏବେ ସାମ୍ନାକୁ ଆସିଛି। ଦଣ୍ଡାବାଡି ପଞ୍ଚାୟତର ମାଝିଗୁଡା ଗ୍ରାମର ପଦ୍ମା ନାୟକକଙ୍କୁ ଗତ ୨୦୧୯-୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ତାଂକ ନାମରେ କେସ ରେକର୍ଡ ମଧ୍ୟ ଖୋଲାଯାଇଥିଲା। କିନ୍ତୁ ପଦ୍ମା ଏ ସଂପର୍କରେ କିଛି ଜାଣିନଥିଲେ।ପଦ୍ମାଙ୍କ ନାମରେ କେଶ ରେକର୍ଡ କରାଯିବା ସହ ଦୁଇ ଥର ଟଂକା ଉଠାଣ ମଧ୍ୟ ହୋଇଛି।

ସୂଚନା ଅଧିକାର ଆଇନ ବଳରେ ଏହା ଜଣାପଡିଛି। ଗୋଟିଏ ଥର ୨୦ ହଜାର ଟଂକା ଏବଂ ଦ୍ବିତୀୟ ଥର ୩୫ ହଜାର ଟଙ୍କା ଉଠାଣ ହୋଇଛି। ତେବେ ଟଂକା ଉଠାଣ ସଂପର୍କରେ ପଦ୍ମାଙ୍କୁ ପଚାରିବାରୁ ସେ କୌଣସି ଟଂକା ସେ ପାଇନଥିବା ବେଳେ ତାଂକ ବ୍ୟାଙ୍କ ଖାତାକୁ ଆସିନଥିବା ସେ କହିଥିଲେ। ଅନ୍ୟଦିଗରେ ବ୍ଲକ କାର୍ଯ୍ୟାଳୟରେ ସୂଚନା ଅଧିକାର ନିୟମରେ ଯେଉଁ ରିପୋର୍ଟ ପ୍ରଦାନ କରାଯାଇଛି ସେଥିରେ ମଧ୍ୟ ତାଳମେଳ ନଥିବା ଦେଖିବାକୁ ମିଳିଛି। କେଶ ରେକର୍ଡ ପଦ୍ମାଙ୍କ ନାମରେ ଥିବା ବେଳେ ବ୍ଲକରେ ଯେଉଁ ରିପୋର୍ଟ ରହିଛି ତାହା ଅନାଲା ସାନ୍ତାଙ୍କ ନାମରେ ରହିଛି।

କେବଳ ପଦ୍ମାଙ୍କର ହିଁ ଏଭଳି ହୋଇନାହିଁ ବରଂ ଦଣ୍ଡାବାଡି ପଞ୍ଚାୟତରେ ପ୍ରାୟ ୨୫ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟଦିଗରେ ଘୋଟାଲାକୁ ନେଇ ସୂଚନା ଅଧିକାରରେ ରିପୋର୍ଟ ମାଗିଲେ ରିପୋର୍ଟ ନଦେବାକୁ ବାହାନା କରି ଅଧିକା ଟଂକା ମଗାଯାଉଥିବା ଅଭିଯୋଗ କରାଯାଇଛି। ଦଣ୍ଡାବାଡିରେ ହୋଇଥିବା ଆବାସ ହୋଇଥିବା ସମସ୍ତ ଘୋଟାଲାର ପର୍ଦାଫାସ କରାଯିବ।

ଏନେଇ ସଂପୃକ୍ତ ପଞ୍ଚାୟତର ପିଇଓଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣିନଥିବା ବେଳେ ଏହାର ତଦନ୍ତ କରିବେ ବୋଲି କହିଥିଲେ। ଅନ୍ୟଦିଗରେ ଏହି ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ପଚରାଯିବାରୁ ଏ ସଂପର୍କରେ ସେ ଅବଗତ ଥିବା କହିଥିଲେ।ଏହି ଘଟଣାର ସେ ମଧ୍ୟ ତଦନ୍ତ କରିବେ ବୋଲି କହିଥିଲେ।ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏଚଆରଙ୍କୁ ପଚରାଯିବାରୁ ପଦ୍ମାଙ୍କ ନାରେ କୌଣସି ଘର ଆସିନଥିବା ବେଳେ ସେହି ଆଇଡିରେ ଅନ୍ୟ ଜଣକ ନାମ ରହିଥିବା କହିଥିଲେ।ତେବେ ଏହି ଘୋଟାଲର ଉଚିତ ତଦନ୍ତ ହେଲେ ସତ ଓ ମିଛ ପଦାକୁ ଆସିବ ବୋଲି ପଦ୍ମା ନାୟକ ଏବଂ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର