ରାଷ୍ଟ୍ର ଓ ସମ୍ବାଦ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

୨୦୨୨‌ ୱର୍ଲଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍‌ସ (ବିଶ୍ବରେ ପ୍ରେସ୍‌ ସ୍ବାଧୀନତାର ସୂଚକାଙ୍କ)ରେ ଭାରତର ସ୍ଥାନ ୧୫୦; ଇଏ ଗତ ବର୍ଷ ଥିଲା ୧୪୨। ଅର୍ଥାତ୍‌ ଏ ବର୍ଷ ଅବସ୍ଥାରେ ଅବନତି ଘଟିଛି ଏବଂ ଭାରତ ଠାରୁ ଅଧିକ ସ୍ବାଧୀନ ପ୍ରେସ୍‌, ଅନ୍ତତଃ ୧୪୯ ଦେଶରେ ଉପଲବ୍‌ଧ। କହିବାକୁ ଲଜ୍ଜା ଲାଗୁଚି ଯେ ଭାରତ ଠାରୁ ବହୁ ଗୁଣରେ ଅନୁନ୍ନତ, ଅଗଣତାନ୍ତ୍ରିକ ଓ ଅବିକଶିତ ରାଷ୍ଟ୍ରମାନେ ଭାରତର ବହୁ ଉପରେ ଅଛନ୍ତି। କଳ୍ପନା କରନ୍ତୁ ସାମୋଆ ନାମକ ଏକ ଦ୍ବୀପ-ରାଷ୍ଟ୍ର ୨୧ତମ ସ୍ଥାନରେ ବିରାଜମାନ, ଯାହାର ଲୋକସଂଖ୍ୟା ୨ ଲକ୍ଷ। ଯେଉଁ ସୂଚକାଙ୍କରେ ଦୁଇ ଲକ୍ଷ ଓ ଶହେ କୋଟି କୌଣସି ଅର୍ଥ ରଖନ୍ତି ନାହିଁ, ସେ ସୂଚକାଙ୍କ ମୁର୍ଖତାପୂର୍ଣ୍ଣ ଓ ବିବେକହୀନ। ତାକୁ ଯେଉଁ ବିଶ୍ବବିଖ୍ୟାତ ଅନୁଷ୍ଠାନ ପ୍ରସ୍ତୁତ କରାଏ ତାହା ଏକ ନିନ୍ଦନୀୟ ଓ ବର୍ଜ୍ୟ ଅନୁଷ୍ଠାନ ହେବା ବ୍ୟତୀତ ଆଉ କ’ଣ ହୋଇପାରେ? ୧୮୦ ଦେଶ ମଧ୍ୟରେ ପ୍ରଥମ ୪୦ଟି ଭିତରେ ୟୁରୋ-ଆମେରିକାନ୍‌ ରାଷ୍ଟ୍ର ସମୂହ, ଶୀର୍ଷସ୍ଥ କ୍ଷୁଦ୍ରାତିକ୍ଷୁଦ୍ର ସ୍କାଣ୍ଡିନେଭିଆନ୍‌ ରାଷ୍ଟ୍ରପୁଞ୍ଜ, କେତୋଟି ଅପାଙ୍‌କ୍ତେୟ କ୍ଷୁଦ୍ର ଦ୍ବୀପ ଓ ଅଗା ବଗା ଖଗା! ବାଃ, ଚମତ୍କାର ବସାଣ! ୟା ଫଳରେ ବଡ଼ ଦେଶଙ୍କୁ କହିବାର ସୁଯୋଗ ମିଳିଲା ଯେ ଅ‌ାମେ ସ୍ବାଧୀନ ପ୍ରେସ୍‌ର ପୂଜାରୀ; ଦେଖ ସଂଖ୍ୟାରେ ତୁମେ ଦୁଇ ଲକ୍ଷ ଲୋକ, ହେଲେ ସ୍ବାଧୀନତାର ମର୍ଯ୍ୟାଦାରେ ଆମ ସମକକ୍ଷ! ସେ କ୍ଷୁଦ୍ର ଦ୍ବୀପଟିରେ ଲୋକେ ଉତ୍ସବ କଲେ ଏଇଆ କହି ଯେ ଆମେ କ୍ଷୁଦ୍ର କିନ୍ତୁ ମହାନ୍‌; ଦେଖୁନ ୟୁରୋପ ଓ ଆମେରିକାନ୍‌ ମହାଶକ୍ତିମାନେ ଆମ ତଳେ! ଅସଲ କଷ୍ଟ ଭାରତକୁ! ଗଣତନ୍ତ୍ରର ଏ ବିଶାଳ ପରୀକ୍ଷାଗାରରେ ପ୍ରତିଦିନ ରାଷ୍ଟ୍ର ଓ ସ୍ବାଧୀନ ବାର୍ତ୍ତାକାରମାନେ ମୁହାମୁହିଁ ହେଉଥିବା ବେଳେ ଭାରତର ସମସ୍ତ ପ୍ରୟାସକୁ ନକରାତ୍ମକ ସିଦ୍ଧ କରି ବିଶ୍ବରେ ପ୍ରସାରିତ ଏ ସୂଚକାଙ୍କ କେବଳ ଏତିକି ଜଣାଇଲା ଯେ ବିଶ୍ବର ପ୍ରକୃତ ଗଣତାନ୍ତ୍ରିକ ଦେଶ ଆମେ, ଭାରତ ଗୋଟେ ବଡ଼ ଦେଶ ହୋଇପାରେ କିନ୍ତୁ ଦେଖୁନ ସେଠି ପ୍ରେସ୍‌ର ସ୍ଥିତି କ’ଣ? ଭାରତ-ବିମୁଖ ବିଶ୍ବ, ୟୁରୋ-ଆମେରିକାନ୍‌ ରାଜନୈତିକ ଓ ବୌଦ୍ଧିକ ରଣକୌଶଳର ଏକ ମୁଖ୍ୟ ଧ୍ୟେୟ। ସେମାନଙ୍କର ଭୟ ଯେ ନିସ୍ତେଜ ହାତୀ ଭଳି ଏ ମହାଦେଶୋପମ ରାଷ୍ଟ୍ର ପଡ଼ି ରହିଲେ ତାଙ୍କର ଟେକ ରହିବ, ଇଏ ଜାଗ୍ରତ ହେଲେ, ୟାର ବୌଦ୍ଧିକ ପରିଚୟ ଓ ରାଜନୈତିକ ସାମର୍ଥ୍ୟ ବିଶ୍ବ-ବିଶ୍ରୁତ ହେଲେ ଇତିହାସ କଡ଼ ଲେଉଟେଇବ, ବହୁ ଅସତ୍ୟ ଓ ନିର୍ମମ ଉତ୍ପୀଡ଼ନର କଳଙ୍କିତ ଇତିହାସ ଅନାବୃତ ହୋଇଯିବ।

‘ୱର୍ଲଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍‌ସ’ର ନିର୍ମାଣ କରେ ‘ରିପୋର୍ଟର ସାନ୍‌ସ ଫ୍ରଣ୍ଟିଅର୍‌’ (ରିପୋଟ୍‌ର୍ସ ୱିଦାଉଟ୍‌ ବଡର୍ସ) ବା ଦେଶସୀମା ମୁକ୍ତ ବିଶ୍ବର ବାର୍ତ୍ତାକାର ଅନୁଷ୍ଠାନ। ଏହାର ମୁଖ୍ୟ କାର୍ଯ୍ୟ‌ାଳୟ ପ୍ୟାରିସ୍‌ରେ। ଏହି ଅନୁଷ୍ଠାନର ନିଜର ସ୍ବାଧୀନତା ଅଛି କି? କିଛି ଦିନ ତଳେ ଭାରତର ପାର୍ଲାମେଣ୍ଟରେ, ସୂଚକାଙ୍କରେ ଭାରତର ଦୟନୀୟ ସ୍ଥିତିକୁ ନେଇ ଅାଲୋଚନା ହୋଇଥିଲା। ଆମର ସାଂସଦମାନେ ସମସ୍ତ ରାଜନୈତିକ ବିଭେଦ ସତ୍ତ୍ବେ ରାଜନୈତିକ ପରିପକ୍ବତାରେ ଅତୁଳନୀୟ ଓ ଅତି ସହଜରେ ବୁଝି ଗଲେ ଏ ବ୍ୟବସ୍ଥାଟିର ପ୍ରକୃତ ମର୍ମ କ’ଣ। କିନ୍ତୁ ଏ ପ୍ରକାରର ‘ଡିସ୍‌ଇନ୍‌ଫର୍ମେସନ୍‌’ (ଅତଥ୍ୟ ବା କୁତଥ୍ୟ)ର ନିର୍ମାଣକାରୀ ଅନୁଷ୍ଠାନ ଆନ୍ତର୍ଜାତିକ ସ୍ତରରେ ଭର୍ତ୍ସିତ ହେଉନାହିଁ କାହିଁକି? କାହିଁକି ଉଦାରବାଦୀ ବିଦ୍ବାନମାନେ ରାଷ୍ଟ୍ର ନିନ୍ଦାର ଉପକରଣ ଭାବେ ଏ ପ୍ରକାରର କୁତ୍ସା ସାଉଁଟି ଚାଲିଚନ୍ତି ଓ ଅନ୍ଧାଧୁନିଆ ପ୍ରୟୋଗ କରି ଚାଲିଚନ୍ତି? ସାଧାରଣ ନାଗରିକମାନେ ଜାଣନ୍ତି ନାହିଁ ଯେ ଏହି ଅନୁ‌ଷ୍ଠାନର ପରିଚାଳନା ପାଇଁ ପୁଞ୍ଜି ଯୋଗାନ୍ତି ୟୁରୋପୀଅନ୍‌ ୟୁନିଅନ୍‌ ଓ ବିକଶିତ ରାଷ୍ଟ୍ରମାନେ ନିଜ ନିଜର କ୍ଷମତା ଭିତରେ। ଏ ବୋଧହୁଏ ଏକ ଅଲିଖିତ ଚୁକ୍ତି ଯେ ଆମକୁ ତଳତଳିଆଙ୍କ ସାଙ୍ଗରେ ରଖିବ ଓ ଏ ସ୍କାଣ୍ଡିନେଭିଆନ୍‌ ରାଷ୍ଟ୍ର (ନରୱେ, ଡେନ୍‌ମାର୍କ, ସ୍ବିଡେନ୍‌) ଆଦିକୁ ସବା ଉପରେ ଥୋଇଦେବ।

ସତ କହିଲେ ବିଶ୍ବର ରାଜନୈତିକ ବିଚାର ଭୂମିରେ ଏ ସ୍କାଣ୍ଡିନେଭିଆନ୍‌ ଦେଶଗୁଡ଼ିକ ନିଜ ପାଇଁ ସଂପନ୍ନତା ଗୋଟେଇ ଲାଗିଥାନ୍ତି, ଛୋଟ ଦେଶ ହୋଇ ନିଜ ନିଜର ଅମାର ଭରିବାରେ ଲାଗିଥାନ୍ତି, ମାଛିକୁ ମ’ କହନ୍ତି ନାହିଁ, ଦି ଚାରିଟା ବଦାନ୍ୟ ପରିଯୋଜନା (ଯେମିତି ସିଡା, ଡାନିଡା, ନୋରାଡ୍‌) ଦେଖେଇ ବିଶ୍ବକୁ (ଦରିଦ୍ର ଦେଶଙ୍କୁ) କୃତଜ୍ଞ କରି ରଖନ୍ତି। ରୁଷ ଯୋଉଠି ରହିଲେ ବି ପୁଟିନ୍‌ର ଯାଏ ଆସେ ନାହିଁ, ସେହିଭଳି ଜିନ୍‌ପିଙ୍ଗ୍‌ ପାଇଁ ଏଗୁଡ଼ା ଆବର୍ଜନା। ଚିନ୍ତା ଏକା ଭାରତକୁ! ଭାରତର ସାକ୍ଷରତା ଭାରତୀୟ ବୌଦ୍ଧିକତାର ପରିଚୟ ନୁହେଁ। ଏଠି ବିଶ୍ବର ସର୍ବାଧିକ ବୁଦ୍ଧିମାନ ଓ ରାଷ୍ଟ୍ରଭକ୍ତ ଲୋକ ରହନ୍ତି ଓ ସେମାନଙ୍କୁ ନିଜ ଦେଶର ଦୁଃସ୍ଥିତି ବିଚଳିତ କରେ। ଭାରତର ସରକାର ମଧ୍ୟ ଏକ ନୂଆ ବୌଦ୍ଧିକ ଊର୍ଜା ନେଇ ଗଣତନ୍ତ୍ରର ବିଶ୍ବ-ପ୍ରତିଷ୍ଠା ଦିଗରେ ଯତ୍ନଶୀଳ, ତେଣୁ ଯେବେ ଯେବେ ଭାରତର ଅସ୍ତିତ୍ବ ଆହତ ହୁଏ, ସେବେ ସେବେ ରାଷ୍ଟ୍ର ଦେହରୁ ରକ୍ତ କ୍ଷରିତ ହୁଏ। କହିବାର ତାତ୍ପର୍ଯ୍ୟ ଏହି ଯେ ‘ରିପୋଟର୍ସ ସାନ୍‌ସ୍‌ ଫ୍ରଣ୍ଟିଅର’ ଅନୁଷ୍ଠାନ ଗୋଟିଏ ଅନ୍ତର୍ଘାତୀ ଅନୁଷ୍ଠାନ। ୟାର ଘାତ କରିବାର ମାର୍ଗ ଆପାତତଃ ନିରୀହ, ଗଣତାନ୍ତ୍ରିକ ଓ ବିବେକବନ୍ତ, କିନ୍ତୁ କି ଘୋର କୁଚକ୍ର ଥାଏ ଏ ମାର୍ଗରେ! ଏମାନଙ୍କ ପଦ୍ଧତିରେ ଆମ ଦେଶରେ ଆମେ କ୍ଷୁଦ୍ରତମ ସାଂପଲ୍‌ ସର୍ଭେ ବି କରୁନାହିଁ। ଅଥଚ ଏଠି ଦେଖନ୍ତୁ, ଗୋଟିଏ ପଲକ ପଡ଼ିବା ଆଗରୁ ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରକୁ ଧକ୍‌କା ଦେଇ ଏମାନେ ତଳକୁ ଖସେଇ ସାରିଲେଣି।

ୟାଙ୍କର ଅନୁସନ୍ଧାନ ହୁଏ ପ୍ରଶ୍ନୋତ୍ତର ମାର୍ଗରେ। ପ୍ରଥମ ସୂତ୍ର ଏ ରାଷ୍ଟ୍ରରେ ସମ୍ବାଦର ସ୍ବାଧୀନତା ପାଇଁ ଗୋଟିଏ ‘ସଷ୍ଟେନେବଲ ଫ୍ରେମୱର୍କ’ ଅଛି ନା ନାହିଁ, ଯଦି ଅଛି ସେ କେତେ କାର୍ଯ୍ୟକ୍ଷମ। ଦ୍ବିତୀୟ ସୂତ୍ର ବହୁଳତାବାଦୀ ମତ ଓ ମତାନ୍ତର ପ୍ରତିଫଳନ କେତେ ସଶକ୍ତ। ତୃତୀୟ ସୂତ୍ର ଆଇନର ଆସନରେ ସମ୍ବାଦ ଓ ସାମ୍ବାଦିକ କେତେ ସୁରକ୍ଷିତ। ଚତୁର୍ଥ ସୂତ୍ର ରାଷ୍ଟ୍ର ସମ୍ବାଦର ନିୟନ୍ତ୍ରଣ କିଭଳି କରେ। ଏଇ ଚାରିଟି ସୂତ୍ରକୁ ଯଦି ପ୍ର‌େଶ୍ନାତ୍ତର ଜରିଆରେ ପ୍ରୟୋଗ କରାଯାଏ, ତେବେ କଳ୍ପନା କରନ୍ତୁ ଭାରତରେ ପ୍ରକାଶିତ ସମସ୍ତ ସମ୍ବାଦପତ୍ର ଓ ସେ ସମ୍ବାଦ ପ୍ରସ୍ତୁତ ଓ ସରବରାହ କରୁଥିବା ସାମ୍ବାଦିକଙ୍କୁ ଲେନ୍‌ସ ଭିତରକୁ ଆଣିବା ପାଇଁ ହଜାରେରୁ ଅଧିକ ପ୍ରଶ୍ନ ତିଆରି କରିବାକୁ ହେବ। ପୁଣି ଭାରତରେ ସମସ୍ତ ପୁଞ୍ଜି ନିୟନ୍ତ୍ରଣ ସତ୍ତ୍ବେ ବିଦ୍ରୋହୀ, ନିର୍ଭୀକ ଓ ବିବେକୀ ସାମ୍ବାଦିକଙ୍କ ସଂଖ୍ୟା ବିଶ୍ବରେ ସବୁଠୁ ଅଧିକ ଓ ୟାଙ୍କଠୁ ଉତ୍ତର ପାଇବା ପାଇଁ ତୃଣମୂଳ ସ୍ତରୀୟ ହଁ ବା ନା ବିକଳ୍ପର ପ୍ରଶ୍ନ ପଚାରିବା ମୂର୍ଖତା। ପୁଣି ଭାରତରେ ଇଂରେଜୀ, ହିନ୍ଦୀ ଓ ଅନ୍ୟ ଭର୍ନକୁଲର ମିଡିଆ ଦ୍ବାରା ପ୍ରକାଶିତ ସମ୍ବାଦ ଭିତରେ ଏତେ ବୈଚିତ୍ର୍ୟପୂର୍ଣ୍ଣ ପାର୍ଥକ୍ୟ ଯେ ୟାକୁ ପ୍ରଶ୍ନରେ ଧରିହେବ ନାହିଁ; ଏଥିପାଇଁ ବିସ୍ତୃତ ବିମର୍ଶ ଲୋଡ଼ା। ଦୁର୍ବଳ ପରିସଂଖ୍ୟାନ-ଆଧାରିତ ଖାନାପୁରୀ ବିଶ୍ବରେ ରାଷ୍ଟ୍ରୀୟ ପ୍ରତିଷ୍ଠାକୁ ନେଇ ଏଭଳି ଖେଳ ଖେଳିବା ଗଣତନ୍ତ୍ର ନାମରେ ଅନ୍ତର୍ଘାତ ନୁହେଁ କି? ଏ ଅନୁଷ୍ଠାନ ତା’ର ପ୍ରଶ୍ନୋତ୍ତର ରେକର୍ଡ ଜାତିସଂଘର ମିଡିଆ ବିଶେଷଜ୍ଞ କମିଟି ଆଗରେ ଉପସ୍ଥାପିତ କରିପାରିବ କି? ବା କୌଣସି ଅବମୂଲ୍ୟାୟିତ ରାଷ୍ଟ୍ର ନଥିପତ୍ର ଦାଖଲ କରି ୟାର ନିଷ୍କର୍ଷ ପ୍ରମାଣିତ କରିବା ପାଇଁ ବାଧ୍ୟ କରିପାରିବ କି? ଏଥିପାଇଁ ଜାତିସଂଘର ଆନ୍ତର୍ଜାତିକ ସଂପର୍କର ମିଡିଆ ପ୍ରୋଟୋକୋଲ ଅଛି କି? ଯଦି ନାହିଁ ଭାରତ ଏଥି ପାଇଁ ଦାବି କରିପାରିବ କି? ଯାହା କରିବାକୁ ହେବ, ଭାରତକୁ ଏକା କରିବାକୁ ହେବ; କାରଣ, ସମଦଶାପନ୍ନ ବନ୍ଧୁଟିଏ ନାହିଁ।

ପୁଟିନ୍‌ଙ୍କ ଅନ୍ଦାଜ୍‌ ବିଳାସ, ଜିନ୍‌ଫିଙ୍ଗ୍‌ ବେଫିକ୍ର! ପରିତାପର ବିଷୟ ଆମର ବହୁ ପ୍ରଭାବଶାଳୀ ବୌଦ୍ଧିକ ବିଚାରକ ଏହିଭଳି ସୂଚକାଙ୍କର ଆଧାରରେ ରାଷ୍ଟ୍ରକୁ କାଠଗଡ଼ାରେ ଠିଆ କରାନ୍ତି ଓ ଥରେ ବି ଚିନ୍ତା କରନ୍ତି ନାହିଁ ଏଭଳି ସୂଚକାଙ୍କ ନିର୍ମାଣ କରିବାର କଠୋର ନିୟମାବଳୀ ଉଦାରତାର ସହିତ ଓ ଦୂରଦୃଷ୍ଟିର ସହିତ ପ୍ରଣୀତ ହୋଇଚି ନା ନାହିଁ! ପୁଣି କିଏ ସେହି ଭାରତର ସାମ୍ବାଦିକଗଣ ଯାହାଙ୍କ ଠାରୁ ପ୍ରଶ୍ନ ଗୁଡ଼ିକର ଉତ୍ତର ସଂଗ୍ରହ କରାଯାଉଚି? ଭାରତର ଶକ୍ତିଶାଳୀ ପ୍ରେସ୍‌ ଏ ଅପପ୍ରୟାସର ସମୀକ୍ଷା ପ୍ରସ୍ତୁତ କରିବାର ଆଗ୍ରହ ପ୍ରକାଶ କରିଚି କି? ୟାର ଦୁର୍ବଳତା, ସଂକୀର୍ଣ୍ଣତା ଓ ପୃଷ୍ଠଭୂମିର କୂଟ ସହିତ କାହାରି ପରିଚୟ ଅଛି କି? ଆମର ବିଜ୍ଞ ବିଚାରକମାନେ ଏହିଭଳି ପରିସଂଖ୍ୟାନ, ସ୍ଥଳ ବିଶେଷରେ କୁତ୍ସାର ଆଧାରରେ ରାଷ୍ଟ୍ରକୁ ନିନ୍ଦିତ କରନ୍ତି, ରାଜନେତାମାନଙ୍କୁ କଳଙ୍କିତ କରନ୍ତି ଓ ଦେଶରେ ରାଷ୍ଟ୍ରବିରୋଧୀ ତତ୍ତ୍ବର ପ୍ରସାରରେ ନିଜ ଅଜାଣତରେ (ସ୍ଥଳ ବିଶେଷରେ ଜାଣତରେ) ସହାୟକ ହୁଅନ୍ତି। ଇଆରି ଭିତରେ ଗୋଟିଏ ଉପପାଦ୍ୟ ପ୍ରସାରିତ କରି ଦିଅାଯାଏ ଯେ ଭାରତରେ ଗଣମାଧ୍ୟମମାନଙ୍କରେ ହୋଇଥିବା ପୁଞ୍ଜି ବିଦେଶରେ ସତୁରି ପ୍ରତିଶତ ରିଲାଏନ୍‌ସ ଇଣ୍ଡଷ୍ଟ୍ରିର ଓ ଏହି ସତୁରି ଭାଗ ମିଡିଅ‌ାର ଉପଭୋକ୍ତା ଅଶି କୋଟି ଭାରତୀୟ! ସବୁଠି ଏ ଚର୍ଚ୍ଚା ଚାଲିଲା ଯେ ମିଡିଆ ଶିଳ୍ପପତିଙ୍କ ହାତରେ। ପାଠକେ, ଆଧୁନିକ ମିଡିଆ ବା ଗଣମାଧ୍ୟମ ଗୋଟିଏ ପୁଞ୍ଜି ଆଧାରିତ ବ୍ୟବସାୟ ବି! ଉପଭୋକ୍ତାମାନେ କାଗଜ କିଣି ବା ଟିଭି ଦେଖି ଗଣମାଧ୍ୟମକୁ ଚଳାନ୍ତି ନାହିଁ। ବିଶ୍ବର ସଂପନ୍ନତମ ଓ ନିଜ ଘୋଷଣାରେ ନିଜେ ଉଦ୍‌ବୁଦ୍ଧ ମାନବୀୟ ଅଧିକାରର ତ୍ରାଣକର୍ତ୍ତା ଆମେରିକାରେ କୋଉ ‘ବିବେକ’ ପୁଞ୍ଜି ଦ୍ବାରା କିଣାଯାଇନାହିଁ! ଯେଉଁ ସମୁନ୍ନତ ରାଷ୍ଟ୍ରମାନଙ୍କର ମାରଣାସ୍ତ୍ର ନିର୍ମାତାମାନେ ତାଙ୍କର ବଜାର ମାନ୍ଦା ହେଲେ ବଜାର ଚମକେଇବା ପାଇଁ ବିଶ୍ବ ଯୁଦ୍ଧର ନିର୍ମାଣ କରିପାରନ୍ତି, ସେମାନେ କୋଉ ଗଣତାନ୍ତ୍ରିକ ବିବେକ ଓ ନିରପେକ୍ଷ ସମ୍ବାଦର କଥା କହୁଚନ୍ତି? ଆମର ବିଜ୍ଞ ଓ ବିବେକୀମାନେ ଆନୁଷ୍ଠାନିକ ସମର୍ଥନ ନ ପାଇଲେ ମଧ୍ୟ ନିଜର ଗବେଷଣା ଓ ଅଧ୍ୟବସାୟ ବଳରେ ନିରୀକ୍ଷଣ ତ କରିପାରିବେ କୋଉ ମିଡିଆ କେତେ ରାଷ୍ଟ୍ରାୟତ୍ତ! କୋଉଠି ପରୋକ୍ଷ ଓ କୋଉଠି ପ୍ରତ୍ୟକ୍ଷ ନିୟନ୍ତ୍ରଣ ଅଛି? ସବୁଠୁ ବଡ଼ କଥା ମିଡିଆ ଏକ ମିଥ୍ୟାର କାରଖାନାରେ ପରିଣତ ହୋଇଚି କି? ଯଦି କେହି ଏଭଳି କହୁଥାଏ, ସେ ଭାରତର ତୃଣମୂଳ ସ୍ତରର ଅସଂଖ୍ୟ ସାମ୍ବାଦିକ ଓ ସମ୍ବାଦଦାତାଙ୍କ ପ୍ରତି ଅବିଚାର କରୁଚି। ଆମର ସୀମିତ ପରିବେଶରେ ଆମେ ଦେଖିଚେ ଆମର କୌଣସି ଗଣମାଧ୍ୟମ ଅନ୍ତତଃ ଅସତ୍ୟର ପ୍ରଚାର କରନ୍ତି ନାହିଁ। ସତ୍ୟର କବର ଦିଆଯିବାର ଦୃଷ୍ଟାନ୍ତମାନଙ୍କୁ ଲୋକଲୋଚନକୁ ଅଣାଯିବାର ଦୃଷ୍ଟାନ୍ତ ମଧ୍ୟ କମ୍‌ ନୁହେଁ।

କିନ୍ତୁ ଏ କଥା ମିଛ ଯେ ଭାରତରେ ଜନମତ ଧୀରେ ଧୀରେ ଏକ ‘ନିରବତାର ଆବର୍ତ୍ତ’ରେ ପ୍ରବେଶ କରୁଚି। ଅର୍ଥାତ୍‌ ଅଧିକ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାଧାରଣ ଲୋକ ‘ଏକଘରିକିଆ’ ବା ‘କୋଣଠେସା’ ‌ହୋଇଯିବା ଭୟରେ ନିଜର ମତ ପ୍ରକାଶ ନ କରି ‘ବହୁମତ’ ସହିତ ସହମତ ବୋଲି ମୁଣ୍ଡ ଟୁଙ୍ଗାରି ଚୁପ୍‌ ହୋଇଯାଉଚନ୍ତି। ବିସ୍ମୟର କଥା ଯେ ବର୍ତ୍ତମାନ ସମୟର ଦୁଇ ଜଣ ପାଠୁଆ ଗବେଷକ ଗୋଟିଏ ଅତି ସମ୍ମାନଜନକ ବିଚାର ପତ୍ରିକା (ଇପିଡବ୍‌ଲ୍ୟୁ/ଅ‌କ୍‌ଟୋବର ୨୨, ୨୦୨୨)ରେ ଏ ମତର ପୁନରୁଦ୍ଧାର କରି କହୁଚନ୍ତି ଯେ ଭାରତୀୟ ମିଡିଆ ଏବେ ‘ନିରବତାର ଆବର୍ତ୍ତ’ରେ ପ୍ରବେଶ କରୁଛି। ନିରବତାର ଆବର୍ତ୍ତ ବା ‘ସ୍ପାଇରାଲ୍‌ ଅଫ୍‌ ସାଇଲେନ୍‌ସ’ ଏଲିସାବେଥ୍‌ ନୋଏଲ୍‌-ନିଉମାନ୍‌ଙ୍କ ଦ୍ବାରା ୧୯୭୪ରେ ଉପସ୍ଥାପିତ‌ ଗୋଟିଏ ତତ୍ତ୍ବ। ଏ ତତ୍ତ୍ବ ଅନୁସାରେ ସମାଜରେ ନିର୍ଭରଯୋଗ୍ୟ ବହୁଳତାବାଦୀ ମତ ବା ମତାନ୍ତରର ସୁଯୋଗ ଚାଲିଯାଏ, ଯେତେବେଳେ ଲୋକେ ଭିନ୍ନ ମତ ଉପସ୍ଥାପିତ କରିବା ପାଇଁ ଭୟ କରନ୍ତି। ଭୟ କରନ୍ତି ଏଇଥିପାଇଁ ଯେ ସମାଜର ପ୍ରତିଷ୍ଠିତ ମତ ବିରୋଧରେ ଗଲେ ସେମାନଙ୍କୁ ଏକୁଟିଆ କରି ଦିଆଯିବ, ସେମାନେ ପରିତ୍ୟକ୍ତ ଅନୁଭବ କରିବେ।

ଏ ତତ୍ତ୍ବର ପ୍ରୟୋଗ ସେତିକିବେଳେ ସମ୍ଭବ ଯେତେବେଳେ ଗୋଟିଏ ସମାଜରେ ବା ଗୋଟିଏ ରାଷ୍ଟ୍ରରେ ଗୋଟିଏ ‘ବହୁମତ’ ବା ‘ପ୍ରତିଷ୍ଠିତ ମତ’ ବା ‘ଐକାନ୍ତିକ ମତ’ ଥାଏ। ୟାକୁ ‘ଟ୍ରାଇବାଲିଜମ୍‌’ ବା ଜନଜାତୀୟ ଗୋଷ୍ଠୀ ବିଚାର ଭାବି ଆମେ ଧୀରେ ଧୀରେ ଭୁଲି ଆସିଲୁଣି; ଜନଜାତୀୟ ଗୋଷ୍ଠୀ ଆନୁଗତ୍ୟ ଆଉ ଆମର ନାହିଁ। ବର୍ତ୍ତମାନର ଭାରତରେ ସେ ଗୋଷ୍ଠୀ ବିଚାର କାହିଁ? ସେ ପ୍ରତିଷ୍ଠିତ ବହୁମତ କାହିଁ ଯେ ଲୋକେ ମତ ପ୍ରକାଶ କରିବା ପାଇଁ ଡରିବେ? ପୁଣି ଡରିବେ କିଆଁ? ତାଙ୍କୁ ଏକଘରିକିଆ କରିବ କିଏ? କୁଆଡ଼େ ଭାରତର ଟିଭି ସମ୍ବାଦ କେବଳ ଚଳନ୍ତି ଶାସକୀୟ ମତକୁ ଉପସ୍ଥାପନ କରୁଚି ଓ ଧୀରେ ଧୀରେ ସବୁ ମିଡିଆ ତାହାହିଁ କହିବା ଆରମ୍ଭ କଲେଣି। ୟାର ଆଉ ଗୋଟିଏ ‌ତର୍କ ମଧ୍ୟ ଏହି ଯେ ରାଷ୍ଟ୍ରୀୟ ସରକାର ପୁଞ୍ଜି ମାଧ୍ୟମରେ ମିଡିଆକୁ କରାୟତ୍ତ କରି ନେଲେଣି ଓ ଲୋକେ ସରକାରୀ ମତକୁ ବହୁମତ ଭାବି ଚୁପ୍‌ ହୋଇଗଲେଣି। ଏ ମିଥ୍ୟା ଆମେ କିଭଳି ଗ୍ରହଣ କରିବା? ସ୍ପଷ୍ଟ କରି ଦେବା ଉଚିତ ହେବ ଯେ ଭାରତରେ ଏବେ ସରକାରଙ୍କର ନିନ୍ଦୁକ-ବୁଦ୍ଧିଜୀବୀ ସଂଖ୍ୟା ପ୍ରବଳ, ଏମାନେ ସମସ୍ତେ ହତାଶ ଉଦାରବାଦୀ। ଏମାନେ ନିରବତାର ଆବର୍ତ୍ତରେ ପଡ଼ିବା ଲୋକ ନୁହନ୍ତି। ଭାରତୀୟ ସଂସଦ ଏବେ ମଧ୍ୟ ସଚଳ ଓ କ୍ଷୁର ଧାର ତର୍କରେ ପ୍ରଭାବଶାଳୀ।

ବହୁଳତାବାଦର ବହୁ ନୂଆ ଚର୍ଚ୍ଚା ଓ ରାଜନୈତିକ ବିଚାର ଆମର ରାଜନୀତି ବିଜ୍ଞାନୀଙ୍କୁ ନୂଆ ଚିନ୍ତାର ବିଷୟ ଯୋଗାଇ ଚାଲିଚି। ବିଶ୍ବାସ କରି ହୁଏନି ଗଣତନ୍ତ୍ର ଭଳି ଗୋଟିଏ ସରଳ, ମାନବୀୟ ରାଜନୀତି, କେତେ ସ୍ତରରେ, କେତେ ରୂପରେ ବିମ୍ବିତ ହୋଇଚାଲିଚି ଜନମତର ଦର୍ପଣରେ! ୟାକୁ ଏକ ଆବର୍ତ୍ତ ବା ଅନ୍ଧକୂପରେ ପରିଣତ କରିବ କିଏ? ଇଏ ଦୁଇ ଲକ୍ଷ ଜନସଂଖ୍ୟାର ଦେଶ ନୁହେଁ ଯାହାଙ୍କର ପିଠି ଥାପୁଡ଼େଇ ଉତ୍ସାହିତ କରିହେବ ନା ଇଏ ବ୍ୟକ୍ତିତନ୍ତ୍ର-ପରିଚାଳିତ ସାମନ୍ତୀ ସୁବା ନୁହେଁ ଯାହାକୁ ଢେଲା ମାରି ତଳିତଳାନ୍ତ କରି ହେବ। ଭାରତୀୟ ରାଷ୍ଟ୍ର ସର୍ବଦା ସମ୍ବାଦର ସତ୍ୟ ଉପରେ ନିର୍ଭରଶୀଳ ରହିବ। ଏଭଳି ସମୟ ଆସିବ ନାହିଁ, ଯେତେବେଳେ ଗୋଟିଏ ସଂଖ୍ୟାଗରିଷ୍ଠ ସରକାର ମିଡିଆକୁ ଅବଦମିତ କରି ତାର ଲଜ୍ଜା ଲୁ‌େଚଇବ ବା ତାର ଗୋଷ୍ଠୀ-ପରିପୋଷଣର ରାଜନୀତି କରିବ। ଭାରତୀୟ ରାଷ୍ଟ୍ରରେ ବହିର୍ଦ୍ବନ୍ଦ୍ବ ଅନେକ, କିନ୍ତୁ ଅନ୍ତର୍ଦ୍ବନ୍ଦ୍ବ ନାହିଁ। ଏଠି ବିଶ୍ବର ସର୍ବାଧିକ ସ୍ବଳ୍ପ ଶିକ୍ଷିତ କିନ୍ତୁ ପରିପକ୍ବ ରାଜନେତା ଗଣତନ୍ତ୍ରର ପରିଚାଳନା କରନ୍ତି। ହଁ, ଯଦି ଅଭ୍ରାନ୍ତ ସତ୍ୟକୁ ମିଥ୍ୟାରେ ପରିଣତ ନ କରିପାରି ନିନ୍ଦୁକମାନେ ‘ନିରବତାର ଆବର୍ତ୍ତ’ରେ ପ୍ରବେଶ କରୁଚନ୍ତି, ତେବେ ତାହା ଶୁଭ ସୂଚନା। ଭିନ୍ନମତର ଅର୍ଥ ନିନ୍ଦା ନୁହେଁ, ବିକଳ୍ପର ଅର୍ଥ ବିଶ୍ବାମିତ୍ରଙ୍କ ଅଚଳ ଅର୍ଦ୍ଧ ସ୍ବର୍ଗ ନୁହେଁ। ଦକ୍ଷତା, ବିଚାରବୁଦ୍ଧି, ବି‌ବେକ ଓ ପ୍ରମାଣର ଆଧାରରେ ଜନମତ ସୃଷ୍ଟି ହେବାର ପ୍ରକ୍ରିୟା ଗଣତନ୍ତ୍ରରେ ଏକ ଅସମାପ୍ୟ ଚିର ଉନ୍ମୁକ୍ତ ପ୍ରକ୍ରିୟା। ଈଶ୍ବର କରନ୍ତୁ ଏ ପ୍ରକ୍ରିୟା କେବେ ସମାପ୍ତ ନ ହେଉ। ବିଶ୍ବରେ ଅସମାନତା, ଅବିଶ୍ବାସ, ଅନ୍ତର୍ଘାତ ଓ ଘୃଣାର କୂଟନୀତି କରୁଥିବା ମହାଶକ୍ତିମାନେ ଏ କୁଚକ୍ରରୁ ନିବୃତ୍ତ ହୁଅନ୍ତୁ। ଭାରତରୁ ଏକ ନୂଆ ଗଣତାନ୍ତ୍ରିକ ସଭ୍ୟତାର ଉଦୟ ହେଉଚି, ବାଟ ଛାଡ଼ନ୍ତୁ।

ମୋ:୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର