ଆବାସ ହିତାଧିକାରୀଙ୍କ ଆବାସ ଟଙ୍କା ଚଳୁ

କୋରେଇ: କୋରେଇ ବ୍ଲକ୍‌ର ମୁକୁନ୍ଦପୁର ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ନାମରେ ଆସିଥିବା ଆବାସ ଘରକୁ ଅନ୍ୟଜଣକୁ ଦିଆଯାଇଥିଲା। ସେହିପରି ୩ ମହଲା କୋଠା ଥିବା ବହୁ ବଡ଼ବଡ଼ିଆ ଆବାସ ଘର ହାତେଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ପଞ୍ଚାୟତର ଆଉଜଣେ ହିତାଧିକାରୀଙ୍କ ଆବାସ ଯୋଜନାର ମନରେଗା ଟଙ୍କା ଚଞ୍ଚକତା କରି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜାଗୁଳେଇଗଡ଼ିଆ ଗ୍ରାମର ପୀତାମ୍ବର ମହାପାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ୨୦୨୦-୨୧ ଆର୍ଥିକ ବର୍ଷରେ ଜାଗୁଳେଇଗଡ଼ିଆ ଗ୍ରାମର ପୀତାମ୍ବର ମହାପାତ୍ରଙ୍କୁ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୧ ଡିସେମ୍ବର ମାସରେ କାର୍ଯ୍ୟାରମ୍ଭ କରାଯାଇଥିବା ବ‌େଳେ ପୀତାମ୍ବରଙ୍କୁ ମୋଟ ୩ କିସ୍ତିରେ ୧ ଲକ୍ଷ ଟଙ୍କା ମିଳିଛି। ନିଜେ ପୀତାମ୍ବର ଓ ତାଙ୍କ ପରିବାର ଲୋକଙ୍କ ନାମରେ ଜବକାର୍ଡ ରହିଛି। ତାଙ୍କ ନାମରେ ଓଆର-୦୨/୦୦୮/୦୧୧/୦୦୧/୧୩୭୬୧ ନମ୍ବରରେ ଜବକାର୍ଡ ଥିବାବେଳେ ମନରେଗା ଯୋଜନାରେ କିନ୍ତୁ ତାଙ୍କ ଘର କାମରେ ଆରତୀ ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର ଓ ସଞ୍ଜୁଲତା ମହାପାତ୍ର କାମ କରୁଥିବା ମଷ୍ଟରରୋଲ୍‌ରେ ଦର୍ଶାଯାଇଛି। ଆରତୀଙ୍କ ନାମରେ ମଜୁରି ବାବଦକୁ ୪୩୭୭ ଟଙ୍କା ଦିଆଯାଇଛି।

ହେଲେ ସେଭଳି କୌଣସି ଲୋକ ତାଙ୍କ ଘରକାମ କରିନଥିବା ପୀତାମ୍ବର ଅଭିଯୋଗ କରିଛନ୍ତି। ପୀତାମ୍ବର ମଧ୍ୟ ପଞ୍ଚାୟତର ପିଇଓ ଲାକ୍ରା ପୂର୍ତ୍ତି ଓ ଜିଆରଏସ୍‌ ଗୀତାଞ୍ଜଳି ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନଦେଇ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ସେହି ଗ୍ରାମର ସତ୍ୟାନନ୍ଦ ମହାପାତ୍ରଙ୍କ ମନରେଗା ଟଙ୍କାକୁ ତଞ୍ଚକତା କରି ଚଳୁ କରାଯାଇଥିବା ବେଳେ ପରେ ଫେରସ୍ତ କରାଯାଇଥିଲା। ଏସମ୍ପର୍କରେ କୋରେଇ ବିଡିଓ ରଂଜନ କୁମାର ପରିଡ଼ାଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ହିତାଧିକାରୀଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି। ପ୍ରାପ୍ୟ ପାଇଁ ପୀତାମ୍ବର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ। ଏହା ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ।

ସମ୍ବନ୍ଧିତ ଖବର