ରାଜା ଓ କୃଷକ

ଶ୍ୟାମସୁନ୍ଦର ଅଗ୍ରୱାଲା

ଥରେ ଭାରତର ସୁପ୍ରସିଦ୍ଧ ହାସ୍ୟକବି ସୁରେନ୍ଦ୍ର ଶର୍ମା ଏକ କବି ସମ୍ମିଳନୀର ହାସ୍ୟରସ ଭରା ପରିବେଶକୁ ତାଙ୍କର ଏକ ସ୍ବରଚିତ କବିତା ମାଧ୍ୟମରେ ଅତ୍ୟନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ କରିଦେଲେ। କବିତାଟି ଭାରତର ନି‌େଷ୍ପଷିତ ଜନତାଙ୍କ ପ୍ରତି ଉତ୍ସର୍ଗ ହୋଇଥିଲେ ହେଁ, ଏହାର ଭାବାର୍ଥ ଆଜିର ଗରିବ କୃଷକ ସମାଜ ପାଇଁ ମଧ୍ୟ ପ୍ରଯୁଜ୍ୟ ମନେ ହୁଏ। କବିତାର ସାରାଂଶ ହେଉଛି- କିଛି ତଫାତ୍ ନଥାଏ ରାଜା ରାମଚନ୍ଦ୍ର ହୁଅନ୍ତୁ କି ରାବଣ, କାରଣ କୃଷକ ହେଉଛି ବିଚାରୀ ସୀତାଙ୍କ ଭଳି, ରାବଣ ହୋଇଥିଲେ ତାଙ୍କୁ ବନସ୍ତରୁ ଚୋରାଇ ନିଅନ୍ତି ଆଉ ରାମଚନ୍ଦ୍ର ହୋଇଥିଲେ ତାଙ୍କୁ ଅଗ୍ନି ପରୀକ୍ଷା କରି ବନସ୍ତକୁ ପଠେଇ ଦିଅନ୍ତି। କିଛି ତଫାତ୍ ନ ଥାଏ ରାଜା କୌରବ ହୁଅନ୍ତୁ କି ପାଣ୍ଡବ, କାରଣ କୃଷକ ହେଉଛି ବିଚାରୀ ଦ୍ରୌପଦୀଙ୍କ ଭଳି, ପାଣ୍ଡବ ହୋଇଥିଲେ ତାଙ୍କୁ ଜୁଆରେ ଲଗାନ୍ତି ଆଉ କୌରବ ହୋଇଥିଲେ ତାଙ୍କୁ ଉଲଗ୍ନ କରାନ୍ତି। କିଛି ତଫାତ୍‌ ନଥାଏ ରାଜା ହିନ୍ଦୁ ହୁଅନ୍ତୁ କି ମୁସଲମାନ, କାରଣ କୃଷକ ହେଉଛି ବିଚାରା ମୁର୍ଦ୍ଦାରଟିଏ, ହିନ୍ଦୁ ହୋଇଥିଲେ ତାକୁ ମାଟିରେ ଜଳେଇ ଦିଅନ୍ତି ଆଉ ମୁସଲମାନ ହୋଇଥିଲେ ତାକୁ ମାଟିରେ କବର ଦିଅନ୍ତି।

ବନ୍ଧୁଗଣ, ରାଜା ଯିଏ ହୁଅନ୍ତୁ ନା କାହିଁକି, କୃଷକମାନଙ୍କର ଭାଗ୍ୟ ଯେଉଁ ତିମିରେକୁ ସେଇ ତିମିରେ। ଆଜି ସମସ୍ତେ କୃଷକଙ୍କର ନାଁରେ ଲଢୁଛନ୍ତି କିନ୍ତୁ ପ୍ରଚ‌ାର ସମସ୍ତେ ନିଜ ନିଜ ନାଁରେ କରୁଛନ୍ତି। ଭାରତ ବନ୍ଦ ଦିନ ରାସ୍ତାଘାଟ ଚାରିଆଡ଼େ ରାଜନୈତିକ ଦଳ ଓ ଗୋଷ୍ଠୀମାନଙ୍କର ବିଭିନ୍ନ ରଙ୍ଗର ପତାକା ଉଡ଼ୁଥିଲା। ରାଜରାସ୍ତାରେ ଗୋଟିଏ ବି କୃଷକ ନ ଥିଲେ। ଟିଭି ସାମ୍ନାରେ ଛିଡ଼ା ହୋଇ କେବଳ ରାଜନେତାମାନେ ନିଜ ନିଜର ବକ୍ତବ୍ୟ ରଖୁଥିଲେ। ପ୍ରତିଥର କୃଷକମାନଙ୍କ ନିମନ୍ତେ କେବଳ ରାଜନୈତିକ ପତାକାମାନଙ୍କର ରଙ୍ଗ ବଦଳେ, ‘ମୁର୍ଦ୍ଦାବାଦ’ର ସ୍ବର ବଦଳେ କିନ୍ତୁ କୃଷକମାନଙ୍କର ଭାଗ୍ୟ ବଦଳେ ନାହିଁ।

ଆଜି ଯିଏ ସରକାରରେ ଅଛନ୍ତି ସିଏ ଯେତେବେଳେ ବିରୋଧୀ ଥିଲେ ସେମାନେ ତତ୍କାଳୀନ ସରକାରଙ୍କର ସମସ୍ତ ଆଇନକାନୁନର ପରିବର୍ତ୍ତନକୁ ବିରୋଧ କରୁଥିଲେ ଆଉ ଆଜି ଯିଏ ବିରୋଧୀ ଅଛନ୍ତି ସେମାନେ ମଧ୍ୟ ତଦନୁଯାୟୀ ଆଚରଣ କରୁଛନ୍ତି। ଆଜିର ବିଷୟବସ୍ତୁକୁ ନେଇ ଗୋଟିଏ ଉଦାହରଣ ହେଉଛି ଯେ ଦୁଇ ହଜାର ତେର ମସିହାରେ ଏହି କଂଗ୍ରେସ ନେତୃତ୍ବ ଫଳ ଓ ପନିପରିବା ସମୂହକୁ ଏପିଏମ୍‌ସି ମଣ୍ଡି ନିୟମରୁ ଉଠେଇ ନେଇ ନିର୍ବାଚନ ପୂର୍ବରୁ କଂଗ୍ରେସ ଗଠିତ ସମସ୍ତ ରାଜ୍ୟରେ ଲାଗୁ କରେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଦୁଇହଜାର ଊଣେଇଶ ନିର୍ବାଚନ ଇସ୍ତାହାରରେ ମଣ୍ଡି ବ୍ୟବସ୍ଥା‌ର ପରିବର୍ତ୍ତନ ଆଣି କୃଷକମାନଙ୍କୁ ଏକ ମୁକ୍ତ ବଜାର ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହିପରି ମତ ପରିବର୍ତ୍ତନର ସ୍ବତ୍ବାଧିକାର ଯେ କେବଳ କଂଗ୍ରେସର ତାହା ନୁହେଁ, ବିଜେପି ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳମାନଙ୍କର ରହିଛି। ଅର୍ଥାତ୍‌ କୃଷକ କିପରି ଦି ପଇସା ଅଧିକ ଲାଭ ପାଇବ ସେଥିପ୍ରତି କାହାରି ନିଘା ନାହିଁ। ସମସ୍ତଙ୍କର ଆଖି ଆମେ କେମିତି ଦି’ଟା ଅଧିକା ଭୋଟ ପାଇବୁ। ଏମାନଙ୍କର ରାଜନୀତି ଭିତରେ ବିଚାରା କୃଷକ ଘାଣ୍ଟି ହୋଇଯାଉଛି ଆଉ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ବଂଚି ରହୁଛି। ଅତ୍ୟଧିକ ଅସହ୍ୟ ହେଲେ ଆତ୍ମହତ୍ୟା କରୁଛି। ଆଗରୁ କରୁଥିଲା ଆଉ ଏବେ ବି କରୁଛି। ପରିସଂଖ୍ୟାନ କହୁଛି ଗତ ପଚିଶ ବର୍ଷ ଭିତରେ ତିନି ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି। ଯଦି ସରକାର ଓ ବିରୋଧୀ ଦୁହେଁ କୃଷକଙ୍କ ସ୍ବାର୍ଥ ପାଇଁ ଲଢୁଛନ୍ତି ତେବେ ଗତ ପଚିଶ ବର୍ଷ ଭିତରେ ଦୁହିଁଙ୍କର ଶାସନ ସମୟରେ ଏତେ ସଂଖ୍ୟକ କୃଷକ ଆତ୍ମହତ୍ୟା କଲେ କାହିଁକି?

ବର୍ତ୍ତମାନ କୃଷି ଆଇନ ପରିବର୍ତ୍ତନ ବିରୋଧରେ ବିଦ୍ରୋହୀ କଂଗ୍ରେସ ଓ ସହଯୋଗୀ ଦଳମାନେ ଅଭିଯୋଗ କରୁଛନ୍ତି ଯେ ଏହା କୃଷକମାନଙ୍କୁ ଦରିଦ୍ର କରି ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରିବ ଓ ଆହୁରି ଅଧିକ ପୁଞ୍ଜିପତି ସୃଷ୍ଟି କରିବ। ପ୍ରଶ୍ନ ଉଠେ ଯେତେବେଳେ ଏହିମାନେ କେନ୍ଦ୍ରରେ ଶାସନ କରୁଥିଲେ ସେତେବେଳେ ଏତେ ପୁଞ୍ଜିପତି ସୃଷ୍ଟି ହୋଇଥିଲେ କେମିତି? ବିଜେପି ଓ ତାଙ୍କ ସହଯୋଗୀ ଦଳମାନେ କହୁଛନ୍ତି ଯେ ଏହା ପୁଞ୍ଜିପତିମାନଙ୍କୁ ନୁହେଁ, ଗରିବ ଚାଷୀମାନଙ୍କୁ ଧନୀ କରିବାକୁ ସାହାଯ୍ୟ କରିବ। ଏହା ଅର୍ଥ କ’ଣ ଭାବିନେବା ଯେ ଏବେ ଚାଷୀମାନେ ଦିନକୁ ଦିନ ଧନୀ ଓ ପୁଞ୍ଜିପତିମାନେ ଗରିବ ହୋଇଯିବେ। ଯଦି ଆପଣମାନଙ୍କର ଏପରି ମହତ ଉଦ୍ଦେଶ୍ୟ ଥିଲା, ତେବେ କରୋନା ପରି ଦେଶର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ଆଇନକୁ ତତ୍‌କ୍ଷଣାତ୍ ଅଧ୍ୟାଦେଶ ବଳରେ ଆଣି ବିନା ଆଲୋଚନାରେ ପାସ୍‌ କରିନେବା କ’ଣ ଦରକାର ଥିଲା? ଆଜ୍ଞା, ସତ କହିବାକୁ ଗଲେ ସେତେବେଳେ ଯେଉଁ ପୁଞ୍ଜିପତି ଥିଲେ ଏବେ ବି ସେହି ପୁଞ୍ଜିପତିମାନେ ଅଛନ୍ତି। କୃଷକ ଓ ପୁଞ୍ଜିପତିମାନଙ୍କର ସମ୍ପତ୍ତିର କୌଣସି ପରିବର୍ତ୍ତନ ହୋଇନାହିଁ। କେବଳ ଯାହା ଦିଲ୍ଲୀ ସିଂହାସନର ରଙ୍ଗ ପରିବର୍ତ୍ତନ ହୋଇଯାଇଛି।

ବନ୍ଧୁଗଣ, ଶେଷକୁ ଗୋଟିଏ ପ୍ରଶ୍ନ? ଯଦି କୃଷି ଆଇନର ପରିବର୍ତ୍ତନ କୃଷକମାନଙ୍କୁ ଲାଭବାନ କରିବ ବୋଲି କୁହାଯାଉଛି ତେବେ ତା’କୁ ଏତେ ବିରୋଧ କାହିଁକି? ଆଉ ଯେଉଁ ଆଇନଟି ଆଜି ଯାଏଁ ଥିଲା ତାହା ଯଦି କୃଷକମାନଙ୍କୁ ଲାଭମାନ କରଉଥିଲା ତେବେ ଆମ କୃଷକମାନେ ଆଜି ଏତେ ଦରିଦ୍ର କାହିଁକି?

୯୭, ଜନପଥ, ଭୁବନେଶ୍ବର
ମୋ-୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର