ପ୍ରକୃତିର ଅଂଶ ହୋଇ ବଞ୍ଚିବା

ଦୃଷ୍ଟିପାତ - ବରେଣ୍ୟ ଦାସ

ଏବେ ଆମେ ଏକବିଂଶ ଶତାବ୍ଦୀର ଏକବିଂଶତମ ବର୍ଷରେ। ଗଲା ବର୍ଷଟି ପୃଥିବୀର ଇତିହାସ ପୃଷ୍ଠାରେ ତାତ୍ପର୍ଯ୍ୟପୂର୍ଣ୍ଣ ହେଇ ରହିବ। ଆଗକୁ ଯେଉଁମାନେ ଏ ବର୍ଷର ଇତିହାସ ପଢ଼ିବେ, ସେମାନେ ଗୋଟିଏ ଲୋମ ଟାଙ୍କୁରା ଗଳ୍ପର ଅନୁଭୂତି ଲାଭ କରିପାରନ୍ତି। ଆଖିରେ ଦିଶିନଥିବା ଗୋଟିଏ କ୍ଷୁଦ୍ର ଭୂତାଣୁ କ’ଣ କରିଦେଇପାରେ; ତାହା ୨୦୨୦ ଆମ ସମସ୍ତଙ୍କୁ ଦେଖେଇ ଦେଇଛି। ୨୦୨୦ର ସେହି ସମସ୍ତ ଅଭିଜ୍ଞତାକୁ ଅଙ୍ଗେ ନିଭେଇ ଥିବାରୁ ସେହି ଆଧାରରେ ଆସନ୍ତୁ ଟିକିଏ ବିଚାର କରିବା ଯେ ଏହି ନୂଆବର୍ଷକୁ ଆମେ କିଭଳି ବିତାଇବା।

ଏବେ ତ ଆମେ ମୁଖା ବା ମାସ୍କ୍‌କୁ ଆମ ପରିଧେୟ ଲୁଗାପଟାର ଅଙ୍ଗ କରି ସାରିଲେଣି। ମୁଖା ନ ପିନ୍ଧିଲେ ବାହାରକୁ ଯିବା ପାଇଁ ଆମର ସବୁ ସଜବାଜ ଅସମ୍ପୂର୍ଣ୍ଣ ରହିଯାଉଛି। ଅତଏବ ଯେ ପର୍ଯ୍ୟନ୍ତ ଏଇ ଭୂତାଣୁର ପ୍ରକୋପ ରହିଥିବ ଆମର ମୁଖା ପିନ୍ଧିବାର ଅଭ୍ୟାସକୁ ଅବ୍ୟାହତ ରଖିବାକୁ ହେବ। ୟା ସହିତ ଆମେ ମନେ ରଖିବା ଦରକାର ଯେ ସାମାଜିକ ଦୂରତା ଏବଂ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ସମ୍ପର୍କିତ ବିଧି ବ୍ୟବସ୍ଥା ଆଦିକୁ ମାନି ଚାଲିବାକୁ ହେବ। ଲକ୍‌ଡାଉନ୍‌ ଯୋଗୁ ମଣିଷ ଦୀର୍ଘ କାଳ ଧରି ଗୃହବନ୍ଦୀ ହେଇ ରହିଥିଲା। ଏବେ ବି ଘରେ ବସି ପିଲାଏ ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି ଓ ଅନେକ ଅଫିସ୍‌ର କାମ ଚାଲିଛି। ଏମିତି ପରିସ୍ଥିତିରେ ମଣିଷ ବନ୍ଧୁ ଓ ପରିଜନ ଠାରୁ ଦୂରରେ ରହି ମାନସିକ ଅବସାଦର ଶିକାର ହେଉଛି। ଏବେ ବୁଝାପଡୁଛି ସଂପର୍କର ମୂଲ୍ୟ। ପିତାମାତାମାନେ ବୁଝି ପାରୁଛନ୍ତି ପାଠ ପଢ଼ା ସହିତ ପିଲାମାନେ ସ୍କୁଲ୍‌ ଯିବା, ବନ୍ଧୁମା‌ନଙ୍କ ସହିତ ନିୟମିତ ଭାବେ ମିଳାମିଶା କରିବା, ଖେଳିବା ଇତ୍ୟା‌ଦି ଉଭୟ ଶାରୀରିକ ଓ ମାନସିକ ଭାବେ କେତେ ଜରୁରୀ। ସୁତରାଂ, ଆଗାମୀ ଦିନରେ ସବୁ କିଛି ପୁଣି କୋଭିଡ୍‌ ପୂର୍ବବର୍ତ୍ତୀ ସ୍ଥିତିକୁ ଫେରିଗଲା ପରେ ମଧ୍ୟ ମଣିଷ ଓ ମଣିଷ ମଧ୍ୟରେ ସଂପର୍କର ଗୁରୁତ୍ବକୁ ନଜରଅନ୍ଦାଜ କରିବା ଆଉ ସମ୍ଭବ ହୋଇ ନ ପାରେ। ଏହି ଲକ୍‌ଡାଉନ୍‌ ଯୋଗୁ ଆଉ ଗୋଟିଏ କଥା ପ୍ରମାଣିତ ହୋଇଗଲା ଯେ ଆମେ ମଣି‌ଷମାନେ ପରିବେଶ ପ୍ରଦୂଷଣ ସକାଶେ କେତେ ଦାୟୀ! ଲକ୍‌ଡାଉନ୍ ହେତୁ କଳକାରଖାନା, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବାରୁ ଜଳ ଓ ବାୟୁ ପ୍ରଦୂଷଣ କିଛି ସମୟ ଲାଗି ଦୂରୀଭୂତ ହେଲା। ଏହା ଆମକୁ ଯେଉଁ ସଚେତନତା ଦେଇଛି, ତାରି ଆଧାରରେ ଆମେ ନୂଆ ବର୍ଷକୁ ଏକ ନିର୍ମଳ ପୃଥିବୀ ଗଢ଼ିବା ଦିଗରେ ନିୟୋଜିତ କରିବା ଉଚିତ ହେବ। ପୃଥିବୀର ସବୁ ପ୍ରାଣୀ ପ୍ରକୃତିର ଏକ ଅଂଶ ଭାବେ ବଞ୍ଚି ରହୁଥିବା ସତ୍ତ୍ବେ କେବଳ ମଣିଷ ନିଜକୁ ପ୍ରକୃତି ଠାରୁ ଅଲଗା କରି ଦେଇଛି। କେବଳ ସେତିକି ନୁହେଁ ଅନେକ କ୍ଷେତ୍ରରେ ମଣିଷ ପ୍ରକୃତିକୁ ନିଜ ପ୍ରତିଦ୍ବନ୍ଦ୍ବୀ ଏପରିକି କେତେକ ସ୍ଥଳେ ଶତ୍ରୁ ବୋଲି ବିବେଚନା କରିଥାଏ। ଏହା ହେଉଛି ଏକ ଚରମ ନିର୍ବୋଧତା। ୨୦୨୦ର କରୋନା ସଂକ୍ରମଣ ଯଦି ତାହା ଆମକୁ ବୁଝାଇ ନ ପାରିଲା, ତେବେ ଆମେ ଆମ ଭୁଲ୍‌ର ପୁନରାବୃତ୍ତି କରି ଚାଲିଥିବ‌ା ଏବଂ ମଣିଷ ସମାଜକୁ ଧ୍ବଂସ ଆଡ଼କୁ ଟାଣି ନେଇ ଚାଲିଥିବା। ତେଣୁ ଆମେ ଏକ ସଂକଳ୍ପ ନେବା ଯେ ଏହି ବର୍ଷରେ ପ୍ରକୃତି ଅନୁକୂଳ ଧାରଣକ୍ଷମ ଜୀବନ ଜିଇବା।

ପୃଥିବୀ ୟା ପୂର୍ବରୁ ବି ବିଭିନ୍ନ ମହାମାରୀ ମଧ୍ୟ ଦେଇ ଗତି କରିଛି। କିନ୍ତୁ ପ୍ରତି ଥର ମଣିଷ ତାର ଶକ୍ତ ମୁକାବିଲା କରିଛି। ପ୍ରତିଟି ପ୍ରତିକୂଳ ସ୍ଥିତି ମଣିଷକୁ ନୂଆ ଜ୍ଞାନ ଦେଇଛି ଓ ମଣିଷକୁ ସଶକ୍ତ କରିଛି। ଏହି କାରଣରୁ ଅନେକ ଟିକା ଓ ଭ୍ୟାକ୍‌ସିନ୍‌ର ଆବିଷ୍କାର ହୋଇଛି। ଏବେ ଯେମିତି ଅତି ସ୍ବଳ୍ପ ସମୟ ଅବଧିରେ କରୋନା ପ୍ରତିଷେଧକ ଟିକା ଆବିଷ୍କୃତ ହୋଇ ମାନବ ଜାତିକୁ ଏ ବିପତ୍ତିରୁ ରକ୍ଷା କରିବା ଲାଗି ପ୍ରସ୍ତୁତ।

କିନ୍ତୁ ଭବିଷ୍ୟତ୍‌ରେ କରୋନା ନ ରହିଲେ ବି ମାନବ ଜାତି ଲାଗି ୨୦୨୦ର ଶିକ୍ଷା ହେଉଛି ଏମିତି ଜିଇବା ଯେମିତି ଆଗକୁ ଏଭଳି ଏକ ବିପର୍ଯ୍ୟୟ ଆଉ କେବେ ପଡ଼ିବ ନାହିଁ କି ଅତି ହରବର ହୋଇ ଟିକା ବାହାର କରିବାର ବାଧ୍ୟବାଧକତା ଦେଖା ଦେବ ନାହିଁ। ବସୁଧୖବ କୁଟୁମ୍ବକଂର ଆଦର୍ଶରେ ଅନୁପ୍ରାଣିତ ହୋଇ ସାରା ବସୁଧାକୁ ନିଜ ମାତା ବୋଲି ଭାବି ଆମେମାନେ ନିଜ ମା’ର ଯତ୍ନ ନେବା ଭଳି ଏ ପୃଥିବୀ, ପରିବେଶ ଓ ପ୍ରକୃତିର ଯତ୍ନ ନେବା।

ରିଦ୍ଧି ସିଦ୍ଧି ଗାର୍ଡେନ, ଯୋକା,
କଲିକତା- ୭୦୦୧୦୪
ମୋ: ୮୩୩୫୯୪୯୪୭୭

ସମ୍ବନ୍ଧିତ ଖବର