ଚାର୍ବାକଙ୍କ ଚେଲା

‘‘ଯୌବନ ଧନସମ୍ପତ୍ତିଃ ପ୍ରଭୁତ୍ବମ୍‌ ଅବିବେକିତା। ଏକୈକମ୍‌ ଅପି ଅନର୍ଥାୟ କି ମୁ ଯତ୍ର ଚତୁଷ୍ଟୟମ୍‌।।’’ ଯୌବନ, ଧନସମ୍ପଦ, କ୍ଷମତା ଏବ˚ ଅବିବେକିତା- ଏ ଚାରିଟି ମଧୢରୁ ଯେ କୌଣସି ଗୋଟିଏର ଉପସ୍ଥିତି ମଧୢ ଘୋର ଅନର୍ଥ ସୃଷ୍ଟି କରିଥାଏ; ଯଦି କୌଣସି ବ୍ୟକ୍ତି ଠାରେ ଏକ ସମୟରେ ଏ ଚାରିଟି ଯାକ ଏକତ୍ର ଉପସ୍ଥିତ ଥାଏ, ତେବେ ପରିସ୍ଥିତି କିଭଳି ହେବ (ସହଜେ ଅନୁମେୟ)। ଲକ୍ଷ୍ୟ କରିବା କଥା ଏହି ଚାରିଟି ବିପଜ୍ଜନକ ଉପସ୍ଥିତି ମଧୢରୁ ଚାଣକ୍ୟ ଯାହାକୁ ପ୍ରଥମ ସ୍ଥାନରେ ରଖିବାକୁ ଉଚିତ ଅନୁଭବ କରିଥିଲେ, ତାହା ହେଲା- ଯୌବନ। ଯଦିବା ଯୌବନକୁ ସେ ପ୍ରାଥମିକତା ପ୍ରଦାନ କରିବାର କାରଣ ଚାଣକ୍ୟ ସ୍ପଷ୍ଟ କରି ନାହାନ୍ତି, ତେବେ ଅନୁମାନ କରିବା କଷ୍ଟକର ନୁହେଁ ଯେ ବୋଧ ହୁଏ ଯୌବନ ସହିତ ଅବିଚ୍ଛେଦ୍ୟ ଭାବରେ ଯୋଡ଼ି ହୋଇ ରହିଥିବା ଅନୁଭୂତି-ହୀନତା, ଅପରିପକ୍ବତା, ଆବେଗ ପ୍ରବଣତା ଇତ୍ୟାଦି ବ୍ୟକ୍ତିକୁ ଦିଗହରା କରିବା ପାଇଁ ଲାଗିପଡ଼ିଥାନ୍ତି; ଅନ୍ୟ ତିନିଗୋଟି ତାକୁ ସେଥିରେ ସହାୟତା ପ୍ରଦାନ କରିଥାନ୍ତି ବୋଲି ବିଚକ୍ଷଣ ନୀତିଶାସ୍ତ୍ରୀ ବିଶ୍ବାସ କରୁଥିଲେ।

ଭାରତ ସ୍ବାଧୀନ ହେବା ପରେ ସର୍ବଶ୍ରେଷ୍ଠ ବୋଲି ବିବେଚିତ ଦେଶର ଜଣେ ନାଗରିକଙ୍କୁ ଯେତେବେଳେ ଏକ ସର୍ବୋଚ୍ଚ ସମ୍ମାନରେ ଭୂଷିତ କରିବା ପାଇଁ ‘ଭାରତରତ୍ନ’ ଉପାଧିର ପରିକଳ୍ପନା କରାଗଲା, ସେତେବେଳେ ପ୍ରାରମ୍ଭିକ ସମୟରେ ବୋଧ ହୁଏ ଚୟନକାରୀମାନେ ଚାଣକ୍ୟଙ୍କ ଏହି ଚେତାବନୀ ଦ୍ବାରା ପରିଚାଳିତ ହୋଇଥିଲେ। ଯଦି ଯୁବାବୟସରେ କାହାକୁ ଏହି ସର୍ବୋଚ୍ଚ ସମ୍ମାନରେ ଭୂଷିତ କରାଯାଏ, ତେବେ କିଏ କହି ପାରିବ ଯେ ସେ ପରବର୍ତ୍ତୀ ସମୟରେ ଏପରି କିଛି ଅପରିଣାମଦର୍ଶୀ କାର୍ଯ୍ୟ କରି ନ ବସିବେ, ଯାହା ଦ୍ବାରା ଦେଶର ଏହି ସର୍ବୋଚ୍ଚ ସମ୍ମାନ କଳଙ୍କିତ ହେବ? ଏଣୁ ଏଭଳି ଏକ ମହାର୍ଘ ସମ୍ମାନ କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ସର୍ବଦା ଏପରି ଏକ ସମୟରେ ପ୍ରଦାନ କରାଯିବା ଉଚିତ, ଯେତେବେଳେ ସେ ତାଙ୍କର ଆଉ କୌଣସି କାର୍ଯ୍ୟ ଦ୍ବାରା ଏ ସମ୍ମାନରେ ଦାଗ ଲଗାଇବା ପାଇଁ ବେଳ ନ ଥିବ, ବା ସୁଯୋଗ ନ ଥିବ- ଏହା ହିଁ ଆରମ୍ଭରେ ବିଶ୍ବାସ କରାଯାଉଥିଲା। ଏହାର ଅର୍ଥ ହେଲା ‘ଭାରତ ରତ୍ନ’ ଭଳି ସମ୍ମାନ ସମ୍ପୃକ୍ତ ମହାନ ନାଗରିକଙ୍କର ସାରା ଜୀବନର ଉପଲବ୍‌ଧିକୁ ବିଚାରକୁ ନେଇ ପ୍ରଦାନ କରାଯିବା ଉଚିତ।

ଏଥିରୁ ଯାହା ସ୍ପଷ୍ଟ, ଏହି କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କର ଜୀବନକାଳର ଶେଷ ସମୟରେ କିମ୍ବା ମରଣୋତ୍ତର ଭାବରେ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯିବା ହେଉଛି ସର୍ବାଧିକ ନିରାପଦ। ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ମହାନ୍‌ ଇଞ୍ଜିନିଅର‌୍‌ ସାର‌୍‌ ଏମ୍‌ ବିଶ୍ବେଶ୍ବରାୟାଙ୍କୁ ଯେତେବେଳେ ଏହି ରତ୍ନ ଦ୍ବାରା ଭୂଷିତ କରାଗଲା, ସେତେବେଳେ ତାଙ୍କର ବୟସ ହୋଇଥିଲା ୯୫ ବର୍ଷ! ଭୂମି ହେଉଛି ଈଶ୍ବରଙ୍କ ଦାନ ଏବ˚ ସବୁ ମନୁଷ୍ୟଙ୍କର ତାହା ଉପରେ ମୁକ୍ତ ଅଧିକାର ରହିଛି ବୋଲି ଏକ ସମ୍ପୂର୍ଣ୍ଣ ନ୍ୟାୟୋଚିତ ଧାରଣାକୁ ବାସ୍ତବତାରେ ପରିଣତ କରିବା ପାଇଁ ଆଚାର୍ଯ୍ୟ ବିନୋବା ଭାବେ ସାରା ଜୀବନ ଉତ୍ସର୍ଗ କରି ୮୮ ବର୍ଷ ବୟସରେ ଇହଧାମ ତ୍ୟାଗ କରିବା ପରେ ହିଁ ତାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଯେଉଁ ସମ୍ବିଧାନ ହେଉଛି ସ୍ବାଧୀନ ଭାରତ ସାଧାରଣତନ୍ତ୍ରର ମୂଳାଧାର, ତାହାର ଅତିମାନବୀୟ ସ˚କଳକ ଭୀମରାଓ ଆମ୍ବେଦକରଙ୍କର ମୃତ୍ୟୁର ୩୫ ବର୍ଷ ପରେ ଯାଇ ତାଙ୍କୁ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ବେଳେ ରାଜାରାଜୁଡ଼ା ଶାସିତ ଅଞ୍ଚଳମାନଙ୍କୁ ଦୃଢ଼ ହସ୍ତରେ ଏହି ପ୍ରଜାତନ୍ତ୍ରରେ ସାମିଲ କରିବାରେ ଯିଏ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ, ସେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପରଲୋକ ଗମନ କରିବାର ଚାରି ଦଶନ୍ଧି ପରେ ତାଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା।

ଆରମ୍ଭରେ ଯେଉଁ କୃତିତ୍ବକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଏହି ସର୍ବୋଚ୍ଚ ସମ୍ମାନର ପରିକଳ୍ପନା କରାଯାଇଥିଲା, ତାହା ହେଲା- ‘କଳା, ସାହିତ୍ୟ, ବିଜ୍ଞାନରେ ଅଗ୍ରଗତି ପାଇଁ ଅସାଧାରଣ ଅବଦାନ ଏବ˚ ସର୍ବୋଚ୍ଚ ମାନର ଜନସେବା ପ୍ରଦାନ’। ଉଲ୍ଲେଖଯୋଗ୍ୟ, ଏଥିରେ ଖେଳ କସରତ ଅନ୍ତର୍ଭୁକ୍ତ ନ ଥିଲା। ୨୦୧୧ ଶେଷ ସମୟକୁ ଏହାକୁ ସମ୍ପ୍ରସାରିତ କରି ଯେ କୌଣସି ମାନବୀୟ ଉଦ୍ୟମରେ ସର୍ବୋଚ୍ଚ ଶ୍ରେଣୀର ପ୍ରଦର୍ଶନକୁ ଏହି ସମ୍ମାନ ପାଇଁ ମାପଦଣ୍ତରେ ପରିଣତ କରାଗଲା। ଏହାର ଦୁଇ ବର୍ଷ ପରେ କ୍ରିକେଟ୍‌ର ଈଶ୍ବର ରୂପେ ବିବେଚିତ କ୍ରିକେଟ୍‌ ଖେଳାଳି ସଚିନ୍‌ ତେନ୍ଦୁଲକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ପାଇଁ ପଥ ପରିଷ୍କାର କରି ଦେଲା। ଏହା ୨୦୧୪ ନିର୍ବାଚନ ଜିତିବାରେ ସହାୟକ ହେବ ବୋଲି ରାହୁଲ ଗାନ୍ଧୀଙ୍କ ବିଚକ୍ଷଣ ପରିକଳ୍ପନା ଥିଲା- ଯାହା ସମ୍ପୂର୍ଣ୍ଣ ବୃଥା ସାବ୍ୟସ୍ତ ହେଲା। ଚାଣକ୍ୟଙ୍କ ଉପଦେଶର ସ୍ପଷ୍ଟ ଉଲ୍ଲ˚ଘନ ସ୍ବରୂପ ସଚିନ୍‌ଙ୍କର ବୟସ ସେତେବେଳେ ଥିଲା ମାତ୍ର ୪୦ ବର୍ଷ- ସମ୍ଭାବ୍ୟ କୌଣସି ବିଚାର ବିଭ୍ରାଟ ଘଟାଇ ଭାରତ ରତ୍ନର ମୂଲ୍ୟ ହାନି ଘଟାଇବା ପାଇଁ ତଥାପି ଯୌବନ ଅତିକ୍ରାନ୍ତ ହୋଇ ନଥିବା ତେନ୍ଦୁଲକରଙ୍କ ସମ୍ମୁଖରେ ଦୀର୍ଘ ସମୟ ଉପଲବ୍‌ଧ ଥିଲା।

ଏବ˚ ସେ ଏହି ଆଶଙ୍କାକୁ ସତ୍ୟରେ ପରିଣତ କରିଛନ୍ତି। ଯଦି ଜଣେ ଭାରତ ରତ୍ନ ବିସ୍କୁଟ୍‌ ବା ବିଜୁଳି ସାମଗ୍ରୀ ପାଇଁ ବ୍ରାଣ୍ତ୍‌ ଦୂତ ସାଜିବା ଦୃଶ୍ୟ ଦେଶବାସୀଙ୍କୁ ଅସ୍ବସ୍ତିକର ଲାଗୁଥିଲା ତ ୨୦୧୬ରେ ତାଙ୍କର ଜଣେ ବ୍ୟବସାୟୀ ବନ୍ଧୁଙ୍କର ଜାତୀୟ ନିରାପତ୍ତା ହାନିକାରକ କାର୍ଯ୍ୟ ପ୍ରତି କୋହଳ ମନୋଭାବ ପୋଷଣ କରିବା ନିମିତ୍ତ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ପ୍ରଭାବିତ କରିବା ପାଇଁ ସେ କରିଥିବା ପ୍ରଚେଷ୍ଟା ସେମାନଙ୍କୁ ହତବାକ୍‌ କରିଦେଇଥିଲା। ରାଜ୍ୟସଭାର ସା˚ସଦ ରୂପେ ଏହି ଭାରତ ରତ୍ନଙ୍କର ସଂସଦରେ ଦୀର୍ଘ ଅନୁପସ୍ଥିତି ଗଣତନ୍ତ୍ର ପାଇଁ ଏକ ଅତ୍ୟନ୍ତ ନିନ୍ଦନୀୟ ଉଦାହରଣ ମଧୢ ସୃଷ୍ଟି କରିଥିଲା।

ସେଇ ଧାରାକୁ ଅବ୍ୟାହତ ରଖି ତେନ୍ଦୁଲକର ବର୍ତ୍ତମାନ ଭାରତ ରତ୍ନରେ ଲଗାଇଥିବା ସଦ୍ୟତମ ଦାଗ ସ୍ବରୂପ ଯାହା ଆବିର୍ଭୂତ ହୋଇଛି ତାହା ହେଲା ସଦ୍ୟ ଉନ୍ମୋଚିତ ବିଶ୍ବବ୍ୟାପୀ ଟିକସ ଫାଙ୍କି କେଳେଙ୍କାରୀ ‘ପାଣ୍ତୋରା ପେପର୍ସ’ ତାଲିକାରେ ଶୋଭା ପାଉଥିବା ତାଙ୍କର ନାମ। ଯେଉଁ ଦେଶ ତାଙ୍କୁ ନିଜର ଜଣେ ରତ୍ନ ରୂପେ ନିଜର ମୁଣ୍ତରେ ବସାଇଛି, ସେଇ ଦେଶର ରାଜକୋଷକୁ ରାଜସ୍ବରୁ ବଞ୍ଚିତ କରିବା ଉଦ୍ଦେଶ୍ୟରେ ସେ ଟିକସ ଫାଙ୍କିର ଆଶ୍ରୟ ନେଇ ବିଦେଶୀ ଟିକସ ଆଶ୍ରୟସ୍ଥଳୀମାନଙ୍କରେ ନିଜର ସମ୍ପଦକୁ ଲୁଚାଇ ରଖିଛନ୍ତି। ଏହାଦ୍ବାରା ଦେଶର ଅର୍ଥନୀତିକୁ ମଧୢ ନିଜର ପୁଞ୍ଜି ନିବେଶରୁ ବଞ୍ଚିତ କରିଛନ୍ତି। ଏକ ନିଷ୍ଠୁର ବିଡ଼ମ୍ବନା ସ୍ବରୂପ ନିଜ ସମ୍ପଦର ନିବେଶ ପାଇଁ ବିଦେଶୀ ଟିକସ ଆଶ୍ରୟସ୍ଥଳୀକୁ ପସନ୍ଦ କରୁଥିବା ତେନ୍ଦୁଲକର ୨୦୧୭ରେ ଆରମ୍ଭ ହୋଇଥିବା ‘ଆସୋସିଏସନ୍‌ ଅଫ୍‌ ମ୍ୟୁଚୁଆଲ୍‌ ଫଣ୍ତ୍‌ସ ଇନ୍‌ ଇଣ୍ତିଆ’ ପାଇଁ ଏକ ବିଜ୍ଞାପନ ଅଭିଯାନରେ ଆବିର୍ଭୂତ ହୋଇ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଦେଖାଯାଇଥାଏ: ‘ମ୍ୟୁଚୁଆଲ୍‌ ଫଣ୍ତ୍‌ସ ସହି ହାଏ।’ ଅର୍ଥାତ୍‌, ନିଜର ଦେଶବାସୀଙ୍କ ପାଇଁ ଆଦର୍ଶ ନିବେଶର ରାସ୍ତା ହେଉଛି ଦେଶୀ ମ୍ୟୁଚୁଆଲ୍‌ ଫଣ୍ତ୍‌; ନିଜ ପାଇଁ କିନ୍ତୁ ଆଦର୍ଶ ନିବେଶସ୍ଥଳୀ ହେଉଛି ଟିକସମୁକ୍ତ ଗୁପ୍ତ ବିଦେଶୀ ଆଶ୍ରୟସ୍ଥଳୀ।

ତେନ୍ଦୁଲକରଙ୍କ ଏତାଦୃଶ ଆଚରଣ ଦେଶଭକ୍ତି ଓ ନୈତିକତା ଉପରେ ବିଶୁଦ୍ଧ ବସ୍ତୁବାଦର ଯେ ଚାର୍ବାକ୍‌ସୁଲଭ ବିଜୟ, ଏଥିରେ ସନ୍ଦେହ ନାହିଁ। ତେବେ ଉପନିଷଦ ଅନୁସାରେ ଯେଉଁ ଦୁଇ ଶ୍ରେଣୀର ଚାର୍ବାକୀୟ ବସ୍ତୁବାଦୀଙ୍କ ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଉଲ୍ଲେଖ ଅଛି- ‘ଧୂର୍ତ୍ତ’ ଓ ‘ସୁଶିକ୍ଷିତ’ – ତେନ୍ଦୁଲକରଙ୍କ ଭଳି ବସ୍ତୁବାଦୀମାନେ ସେଥି ମଧୢରୁ କେଉଁ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବେ, ତାହା ଦାର୍ଶନିକମାନେ ସ୍ଥିର କରନ୍ତୁ।

ସମ୍ବନ୍ଧିତ ଖବର