ସାଧାରଣ ନିର୍ବାଚନକୁ ଆହୁରି ପାଖାପାଖି ବର୍ଷେ ସମୟ ବାକି ଅଛି। କିନ୍ତୁ ଦିଲ୍ଲୀରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗୁଆ ‘ଦ୍ୱାରକୁ ଦ୍ୱାର’ ବୁଲି ଭୋଟ ଭିକ୍ଷା ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ନିର୍ବାଚନ ପରିଚାଳନାରେ ଧୂରୀଣ ଶାହ ‘ସମର୍ଥନ ପାଇଁ ସମ୍ପର୍କ’ ଅଭିଯାନରେ ବାହାରି ପଡ଼ିଛନ୍ତି। ଅବଶ୍ୟ, ବିଜେପି ଅଧ୍ୟକ୍ଷଙ୍କ ଏହି ଅଭିଯାନ କେବଳ ବିଶିଷ୍ଟ ମତଦାତା ମାନଙ୍କ ଘରର ଦ୍ୱାରରେ ସୀମିତ ରହିଛି। ଶାହ, ଏ ଅବସରରେ ପୂର୍ବତନ ସେନାଧ୍ୟକ୍ଷ ସୁହାଗ ସିଂହଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ଶିଳ୍ପପତି ରତନ ଟାଟା, ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ସେମାନଙ୍କ ଘରେ ଭେଟି ଦଳ ପାଇଁ ସମର୍ଥନ ଲୋଡ଼ିଛନ୍ତି।

Advertisment

ତେବେ, ‘ସମର୍ଥନ ପାଇଁ ସମ୍ପର୍କ’ ଅଭିଯାନ କାଳରେ ଶାହ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ମତଦାତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ଯେତେ ଉଲ୍ଲେଖନୀୟ, ତା’ଠାରୁ ଅଧିକ ଉଲ୍ଲେଖନୀୟ ହେଲା- ଏ ଅଭିଯାନରେ ବିଜେପି ଅଧ୍ୟକ୍ଷଙ୍କୁ ତାଙ୍କ ସହଯୋଗୀ ଦଳ ଗୁଡ଼ିକର ମୁଖ୍ୟ ଓ ପ୍ରମୁଖ ନେତାମାନଙ୍କ ଘରକୁ ମଧ୍ୟ ସାମିଲ କରିବାକୁ ପଡ଼ିଛି। ଏହି କ୍ରମରେ ବିଜେପିର ପୁରୁଣା ତଥା ପାରମ୍ପରିକ ସହଯୋଗୀ ଓ ଆଦର୍ଶ ଦୃଷ୍ଟିରୁ ହିନ୍ଦୁତ୍ୱ ଦଳର ଅତ୍ୟନ୍ତ ଘନିଷ୍ଠ ମିତ୍ର ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଶିରୋମଣି ଅକାଳୀ ଦଳର ଭାଗ୍ୟ ନିୟନ୍ତ୍ରକ ପିତା-ପୁତ୍ର ଯୋଡ଼ି ପ୍ରକାଶ ସିଂହ ବାଦଲ ଓ ସୁଖବିନ୍ଦର ସିଂହ ବାଦଲଙ୍କୁ ଶାହ ଭେଟିଛନ୍ତି। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି କାହିଁକି ବିଜେପି ଅଧ୍ୟକ୍ଷଙ୍କୁ ସମର୍ଥନ ଲୋଡ଼ିବା ପାଇଁ ସହଯୋଗୀଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି? କ’ଣ ବିଜେପି ନେତୃତ୍ୱ ସହଯୋଗୀଙ୍କ ସମର୍ଥନ ନେଇ ନିଶ୍ଚିତ ନୁହନ୍ତି? ମିତ୍ର ଦଳଙ୍କ ମିତ୍ରତା ଉପରେ କ’ଣ ମେଣ୍ଟର ପ୍ରମୁଖ ଦଳର ଭରସା ନାହିଁ? ଏହି ପ୍ରଶ୍ନଗୁଡ଼ିକ ଉଠିବାର ଅବକାଶ ନଥାନ୍ତା, ଯଦି ଶାସକ ଏନ୍‌ଡିଏ ମେଣ୍ଟରେ ସହଯୋଗୀଙ୍କ ମଧ୍ୟରେ ପାରସ୍ପରିକ ଅବିଶ୍ୱାସ ଓ ସନ୍ଦେହ ଜନିତ ଅସ୍ୱସ୍ତିର ମାତ୍ରା ବଢ଼ି ବଢ଼ି ଚାଲି ନଥାନ୍ତା। ପରିସ୍ଥିତି ଏମିତି ହୋଇଛି ଯେ, କନିଷ୍ଠ ସହଯୋଗୀଙ୍କ ମେଣ୍ଟର ପ୍ରମୁଖ ତଥା ବରିଷ୍ଠ ସହଯୋଗୀ ବିଜେପି ଉପରେ ଅଧିକାଂଶ କନିଷ୍ଠ ସହଯୋଗୀ ଆସ୍ଥା ତୁଟାଇବାକୁ ବସିଛନ୍ତି। ପାରସ୍ପରିକ ଆସ୍ଥା ଓ ବିଶ୍ୱାସ ପରିବର୍ତ୍ତେ ଏବେ ଏନ୍‌ଡିଏ ଗୋଠରେ ପରସ୍ପର ପ୍ରତି ଅବିଶ୍ୱାସ ଓ ସନ୍ଦେହର ରାଜୁତି। ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ, ସଂସଦରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତାର ଅହଙ୍କାରରେ ଗତ ଚାରିବର୍ଷ ଧରି କନିଷ୍ଠ, କ୍ଷୁଦ୍ର ସହଯୋଗୀଙ୍କୁ ଉପେକ୍ଷା। ଦ୍ୱିତୀୟ, ଗୋଟିଏ ପକ୍ଷରେ ବିଜେପିର ସମ୍ପ୍ରସାରଣବାଦୀ ଉଚ୍ଚାକାଂକ୍ଷା ଓ ଅନ୍ୟପକ୍ଷରେ ନିଜ ନିଜ ଗଡ଼ରେ ପ୍ରାଧାନ୍ୟ ବଜାୟ ରଖିବା ଲାଗି କନିଷ୍ଠ ସହଯୋଗୀଙ୍କ ବ୍ୟଗ୍ରତା ମଧ୍ୟରେ ସଂଘର୍ଷ। ବୋଧହୁଏ, ସହଯୋଗୀ ଦଳଙ୍କୁ ମନେ ପକାଇବାର ଆବଶ୍ୟକତା ବିଜେପି ନେତୃତ୍ୱ ଅନୁଭବ କରି ନଥାନ୍ତେ, ଯଦି ବିଗତ କିଛି ମାସ ମଧ୍ୟରେ ଉପ-ନିର୍ବାଚନଗୁଡ଼ିକରେ ଧାରାବାହିକ ପରାଜୟର ସମ୍ମୁଖୀନ ହୋଇ ନଥାନ୍ତେ। ଉପ-ନିର୍ବାଚନରେ ଲଗାତାର ପରାଜୟ, ଭୋଟ ଶତାଂଶ ହ୍ରାସ, ପୁଣି ତା’ଉପରେ ବିରୋଧୀଙ୍କ ମେଳି ‘ଭଗବାନ ଗଧ ପାଦ ଧରିଲା’ ଭଳି ବିଜେପିକୁ ସହଯୋଗୀଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ କରିଛି।

ତେବେ, ବିଜେପିର ଏହି ବାଧ୍ୟବାଧକତାର ପୂରା ରାଜନୈତିକ ଫାଇଦା ଉଠାଇବା ଫିକରରେ ଅଛନ୍ତି ସହଯୋଗୀ। ବିଜେପିର ବଡ଼ଭାଇ ପଣିଆକୁ ବରଦାସ୍ତ କରିବା ଲାଗି ସହଯୋଗୀ ପ୍ରସ୍ତୁତ ନୁହନ୍ତି। ଏହା ମେଣ୍ଟରେ ଏକ ପ୍ରକାର ଅରାଜକତାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି, ଯାହା ମେଣ୍ଟର ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇପାରେ। ପରିବର୍ତ୍ତିତ ପରିସ୍ଥିତିରେ ବିଜେପିର ଦୁର୍ବଳ ସ୍ଥିତିର ସୁଯୋଗ ନେଇ ମୂଲଚାଲରେ ସହଯୋଗୀ ଅଧିକ ଭାଗ ଦାବି କରୁଛନ୍ତି। ସେମାନଙ୍କ ଆଶଙ୍କା ଯେ, ଆସନ ଭାଗବଣ୍ଟାରେ ସ୍ଥିତାବସ୍ଥାକୁ ଭାଙ୍ଗି ମୋଦୀ-ଶାହ ଯୋଡ଼ି ବିଜେପି ପାଇଁ ଅଧିକ ଆସନ ମାଡ଼ି ବସିବେ। ସେମିତି ବିଜେପିର ଆଶଙ୍କା ଯେ, ଯଦି ଚାପର ବଶବର୍ତ୍ତୀ ହୋଇ ସହଯୋଗୀଙ୍କୁ ଅଧିକ ଆସନ ଛାଡ଼ି ଦିଆଯାଏ, ତେବେ ମେଣ୍ଟର ନେତା ଭାବେ ଦଳର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇପାରେ। ପୁଣି ଅଧିକ ଆସନ ନେଇ ସହଯୋଗୀମାନେ ଯଦି ଭଲ ପ୍ରଦର୍ଶନ କରି ନ ପାରନ୍ତି, ତେବେ ଅଯଥାରେ ମେଣ୍ଟର କ୍ଷମତା ଦଖଲ ସମ୍ଭାବନା ପ୍ରଭାବିତ ହେବ। ଏହି ଦ୍ୱନ୍ଦ୍ୱ ହିଁ ମହାରାଷ୍ଟ୍ରରେ ଶିବ ସେନା ଓ ପଞ୍ଜାବରେ ଅକାଳୀ ଦଳ ସହ ବିବାଦର ମୁଖ୍ୟ କାରଣ। ମହାରାଷ୍ଟ୍ରରେ ଶିବସେନା ଏକଦା ବରିଷ୍ଠ ସହଯୋଗୀ ଥିଲା। କିନ୍ତୁ ୨୦୧୪ ପରେ କନିଷ୍ଠ ସହଯୋଗୀର ସ୍ଥିତିକୁ ଖସି ଆସିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସଂପ୍ରତି ବିଜେପି ବିରୋଧରେ ଆପଣେଇଥିବା ଆକ୍ରମଣାତ୍ମକ ଆଭିମୁଖ୍ୟର ପ୍ରଧାନ ଲକ୍ଷ୍ୟ, ପୁଣି ମହାରାଷ୍ଟ୍ରରେ ମେଣ୍ଟରେ ଏକ ନମ୍ବର ସହଯୋଗୀର ସ୍ଥାନ ଫେରି ପାଇବା। କିନ୍ତୁ ବିଜେପି ପାଇଁ ଶିବସେନାର ଏହି ଦାବିକୁ ମାନି ନେବା ଆତ୍ମଘାତୀ ହେବ। ସେଥିପାଇଁ ଆଗାମୀ ଲୋକସଭା ନିର୍ବାଚନରେ ପୃଥକ୍‌ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଶିବସେନା ଧମକ ଦେଇଛି। ପଞ୍ଜାବରେ ସେମିତି ଅକାଳୀ ଦଳ ଏନ୍‌ଡିଏ ମେଣ୍ଟର ଏକ ନମ୍ବର ଦଳ। ତେବେ ଗତ ବିଧାନସଭା ନିର୍ବାଚନରେ ତିନି ନମ୍ବର ସ୍ଥାନକୁ ଖସି ଆସିଥିବା ଅକାଳୀକୁ ଏକ ନମ୍ବର ସ୍ଥାନ ଛାଡ଼ିବାକୁ ବିଜେପି ନାରାଜ। ଅକାଳୀକୁ କମ୍‌ ଆସନ ଦେଇ ବିଜେପି ନିଜେ ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ଆଗ୍ରହୀ। ଏହା ହିଁ ଦୁଇ ଦଳ ମଧ୍ୟରେ ତିକ୍ତତା ଆଣିଛି। ପ୍ରଥମ ପର୍ଯ୍ୟାୟରେ ଶିବ ସେନା ଓ ଅକାଳୀ ନେତାଙ୍କ ସହ ଶାହଙ୍କ ଆଲୋଚନାର ବିଶେଷ କୌଣସି ସକାରାତ୍ମକ ଫଳ ମିଳିଥିବାର ସଂକେତ ମିଳୁ ନାହିଁ। ବରଂ ଆସନ ଭାଗବଣ୍ଟା ନେଇ ବିରାଡ଼ିଙ୍କ ପିଠାକଳି ଆଗକୁ ତୀବ୍ରତର ହେବାର ସଂକେତ ମିଳୁଛି।

ପଞ୍ଜାବ ଓ ମହାରାଷ୍ଟ୍ରର ସମସ୍ୟାଠାରୁ ଏନ୍‌ଡିଏ ପାଇଁ ବିହାରରେ ସମସ୍ୟା କ୍ରମଶଃ ଅଧିକ ଜଟିଳ ହେଉଛି। ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା ମୂଳକ ମନୋଭାବ ଏନ୍‌ଡିଏ ପାଇଁ ପରିବେଶକୁ ଅଧିକ ପ୍ରତିକୂଳ କରିବାରେ ଲାଗିଛି। ଏହି ପ୍ରକ୍ରିୟାରେ ମେଣ୍ଟର ନେତୃତ୍ୱ ନେଇ ଏକ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହେଇଛି। ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ନା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କାହାକୁ ନେତା ଭାବେ ଆଗରେ ରଖି ଏନ୍‌ଡିଏ ରାଜ୍ୟରେ ନିର୍ବାଚନ ଲଢ଼େଇକୁ ଓହ୍ଲାଇବ? ଏ ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟ ଉତ୍ତର ମିଳୁ ନାହିଁ। ଏତିକିବେଳେ ଏନ୍‌ଡିଏ ପାଇଁ ବିହାରରେ ଆଉ ଏକ ଅଶୁଭ ସଂକେତ ମିଳିଛି। ୨୦୧୪ରେ ୩ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ଅନ୍ୟତମ ସହଯୋଗୀ ଉପେନ୍ଦ୍ର ଖୋସଓ୍ଵାଙ୍କ ରାଷ୍ଟ୍ରୀୟ ‘ଲୋକ ସମତା ପାର୍ଟି’ ଗୋଠ ଛାଡ଼ିବା ନେଇ ଏବେ କଳ୍ପନାଜଳ୍ପନା ଚାଲିଛି। ନିକଟରେ ମୋଦୀ ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରରେ ମନ୍ତ୍ରୀ ଥିବା ଉପେନ୍ଦ୍ରଙ୍କ ଅନୁପସ୍ଥିତି କଳ୍ପନାଜଳ୍ପନାକୁ ଅଧିକ ଖୋରାକ ଯୋଗାଇଛି। ଉଳ୍ଲେଖନୀୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‌ ରାମ୍‌ ମାଞ୍ଜିଙ୍କ ହିନ୍ଦୁସ୍ତାନ ଆଓ୍ଵାମ୍‌ ମୋର୍ଚ୍ଚା ଇତିମଧ୍ୟରେ ଏନ୍‌ଡିଏ ଛାଡ଼ି ସାରିଛି।

ଉପନିର୍ବାଚନ ପରବର୍ତ୍ତୀ ପରିବର୍ତ୍ତିତ ରାଜନୈତିକ ସମୀକରଣ ଏବଂ ଦୃଶ୍ୟପଟ ବିଜେପି ପକ୍ଷରେ ପୁରୁଣା ସହଯୋଗୀଙ୍କ ମାନଭଞ୍ଜନ କରି ସେମାନଙ୍କୁ ମେଣ୍ଟରେ ବାନ୍ଧି ରଖିବା ଜରୁରୀ। ତା’ ସହିତ ବିରୋଧୀଙ୍କ ମେଳି ପରିପ୍ରେକ୍ଷୀରେ ନୂଆ ମିତ୍ର ତଲାସ ମଧ୍ୟ ଜରୁରୀ ହୋଇପଡ଼ିଛି। ନିକଟରେ ବିଜେପି ମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭି ସୂଚନା ଦେଇଛନ୍ତି ଯେ, ବାଜପେୟୀଙ୍କ ଅମଳରେ ଏନ୍‌ଡିଏ ସଦସ୍ୟ ଥିବା ଦଳମାନଙ୍କୁ ପୁନର୍ବାର ଫେରାଇ ଆଣିବା ଲକ୍ଷ୍ୟରେ ଉଦ୍ୟମ ଚାଲିଛି। ତେବେ ପୁରୁଣା ସହଯୋଗୀଙ୍କୁ ଫେରାଇ ଆଣିବା ଅପେକ୍ଷା ଦଳର ମ୍ୟାନେଜରମାନେ ନୂଆ ମିତ୍ର ତଲାସ ଉପରେ ଅଧିକ ଜୋର୍‌ ଦେଉଛନ୍ତି। ବିଶେଷ କରି, ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ୍‌ ଏନ୍‌ଡିଏ ଛାଡ଼ିବା ପରେ ଦକ୍ଷିଣରେ ନୂଆବନ୍ଧୁ ଖୋଜା ଅଭିଯାନ ତ୍ୱରାନ୍ଵିତ ହୋଇଛି। ଆନ୍ଧ୍ରରେ ଜଗନ୍‌ମୋହନଙ୍କ ୟାଇଏସ୍‌ଆର୍‌ କଂଗ୍ର୍ରେସ ଓ ତାମିଲନାଡୁରେ ପୁରୁଣା ସହଯୋଗୀ ଶାସକ ଆନ୍ନାଡିଏମ୍‌କେ ଉପରେ ଦଳ ନଜର ରଖିଥିଲେ ସୁଦ୍ଧା ଅନ୍ୟ ବିକଳ୍ପ ପାଇଁ ବିଜେପି ନେତୃତ୍ୱ ଅଧିକ ଆଗ୍ରହୀ। ତେବେ ସମସ୍ୟା ହେଲା ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଏନ୍‌ଡିଏ ଶିବିରରେ ନୂଆ ସହଯୋଗୀ ଭାବେ ସାମିଲ ହେବା ଲାଗି ଦଳଙ୍କ ମଧ୍ୟରେ ସେତେ ଆଗ୍ରହ ନାହିଁ।

ବିଜେପି ଓ ଏନ୍‌ଡିଏ ପାଇଁ ପରିସ୍ଥିତି ନିଶ୍ଚିତ ଭାବେ ଜଟିଳ ଏବଂ ଆହ୍ଵାନଭରା। ସମୟ କହିବ, ଗୋଠରେ ଦେଖା ଦେଇଥିବା ଏ ଗୋଳ କେବେ ସମ୍ଭଳା ପଡ଼ିବ! ସହଯୋଗୀଙ୍କ ମାନଭଞ୍ଜନ କରି ବିଜେପି ନେତୃତ୍ୱ ମେଣ୍ଟକୁ ଆକ୍ରାନ୍ତ କରିଥିବା ଅସ୍ୱସ୍ତିକୁ କେତେ ମାତ୍ରାରେ ଦୂର କରିପାରିବ! ଊଣେଇଶ ଲଢ଼େଇ ପାଇଁ ଏନ୍‌ଡିଏ ବାହିନୀକୁ କେତେଦୂର ପ୍ରସ୍ତୁତ କରି ପାରିବ! ତା ସହିତ ନୂଆ ମିତ୍ରଙ୍କୁ ସାମିଲ କରି ଏନ୍‌ଡିଏର କ୍ଷମତାକୁ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ କେତେ ଉଜ୍ଜ୍ୱଳ କରି ପାରିବ!