ରୁଷିଆରୁ ଏସ୍-୪୦୦ କ୍ଷେପଣାସ୍ତ୍ର, ଇରାନ୍ରୁ ତୈଳ ଖର୍ଦି ଓ ଅନ୍ୟ କେତେକ ବାଣିଜ୍ୟିକ ପ୍ରସଙ୍ଗରେ ବିବାଦର ଛାଇରେ ଅନୁଷ୍ଠିତ ପ୍ରଥମ ଭାରତ- ଆମେରିକା ଦୁଇ ଯୁକ୍ତ ଯୁଇ ବୈଠକରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ନୂଆ ବାଟ ଫିଟିଛି। ଦୁଇ ଦେଶର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ଯୋଡ଼ିଙ୍କ ମଧ୍ୟରେ ପ୍ରଥମ କଥାବାର୍ତ୍ତା ପରେ ସାମରିକ ସହଯୋଗର କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଦିଗରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ସାମରିକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ଗତ ଷୋହଳ ବର୍ଷ ତଳେ ୨୦୦୨ରେ ଜିଏସ୍ଓଏମ୍ଆଇଏ (ଜେନେରାଲ ସିକ୍ୟୁରିଟି ଅଫ୍ ମିଲିଟାରି ଇନ୍ଫର୍ମେସନ୍ ଏଗ୍ରିମେଣ୍ଟ) ସ୍ୱାକ୍ଷର ସହ ଆରମ୍ଭ ହୋଇଥିବା ପ୍ରୟାସର ଫଳଶ୍ରୁତି ସ୍ୱରୂପ ଗୁରୁବାର ଦୁଇ ଦେଶ ମଧ୍ୟରେ ସିଓଏମ୍ସିଏ (କମ୍ୟୁନିକେସନ୍ କମ୍ପାଟିବିଲିଟି ଆଣ୍ଡ୍ ସିକ୍ୟୁରିଟି ଏଗ୍ରିମେଣ୍ଟ) ସ୍ୱାକ୍ଷରିତ ହୋଇଛି। ସାଧାରଣତଃ ବିଶ୍ୱର ଶ୍ରେଷ୍ଠ ସାମରିକ ଶକ୍ତି ଆମେରିକା ସାମରିକ କ୍ଷେତ୍ରରେ ଘନିଷ୍ଠ ସହଯୋଗ ଲାଗି ସହଯୋଗୀ ଦେଶଙ୍କ ସହ ଚାରିଟି ଚୁକ୍ତି କରିଥାଏ। ସଦ୍ୟତମ ଚୁକ୍ତି ସ୍ୱାକ୍ଷରିତ ହେବା ସହ ସାମରିକ କ୍ଷେତ୍ରରେ ସହଯୋଗର ସଂପ୍ରସାରଣ ଲାଗି ମୂଳଦୁଆ ସ୍ୱରୂପ ଆବଶ୍ୟକ ଚାରିଟିରୁ ତିନିଟି ଚୁକ୍ତି ସଂପାଦିତ ହୋଇଛି। ଗତ ୨୦୧୬ରେ ସହଯୋଗର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଏଲ୍ଇଏମ୍ଓଏ (ଲଜିଷ୍ଟିକ୍ସ ଏକ୍ସଚେଞ୍ଜ୍ ମେମୋରେଣ୍ଡମ୍ ଅଫ୍ ଏଗ୍ରିମେଣ୍ଟ୍) ସ୍ୱାକ୍ଷରିତ ହୋଇଥିଲା। ୨୦୦୨ ଚୁକ୍ତି ଭାରତ ଓ ଆମେରିକାର ପ୍ରତିରକ୍ଷା ସଂସ୍ଥା, ସାମରିକ କମ୍ପାନି ମଧ୍ୟରେ ଆଦାନ ପ୍ରଦାନ ହେଉଥିବା ସୂଚନାର ସୁରକ୍ଷା ନିଶ୍ଚିତ କରିଥିଲା। ୨୦୧୬ର ଚୁକ୍ତି ବଳରେ ଆମେରିକାର କେତେକ ନିର୍ଦ୍ଦିଷ୍ଟ ସାମରିକ ପ୍ରତିଷ୍ଠାନ ସହ ଭାରତକୁ ସିଧାସଳଖ ଯୋଗାଯୋଗର ସୁବିଧା ମିଳିଥିଲା। ସଦ୍ୟ ସ୍ୱାକ୍ଷରିତ ତୃତୀୟ ଚୁକ୍ତି ଫଳରେ ପାରସ୍ପରିକ ସହଯୋଗର କ୍ଷେତ୍ର ଆହୁରି ବ୍ୟାପକ ହୋଇଛି। କେବଳ ଗୁରୁତ୍ୱପୂର୍ଣ୍ଣ ସାମରିକ ସୂଚନା ଆଦାନ ପ୍ରଦାନ ନୁହେଁ, ଦୁଇ ଦେଶର ସେନା ମଧ୍ୟରେ ଯୁଦ୍ଧ କୌଶଳ ସଂକ୍ରାନ୍ତ ସୂଚନାର ମଧ୍ୟ ଆଦାନପ୍ରଦାନର ବ୍ୟବସ୍ଥା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରିବର୍ତ୍ତିତ ବିଶ୍ୱ ପରିସ୍ଥିତି, ବିଶେଷକରି ଏସିଆ ମହାଦେଶରେ ସାଂପ୍ରତିକ ସାମରିକ ଭାରସାମ୍ୟ ଦୃଷ୍ଟିରୁ ଗୁରୁବାର ସ୍ୱାକ୍ଷରିତ ଚୁକ୍ତି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଚୁକ୍ତିନାମା ଫଳରେ ଆମେରିକାର ଯୁଦ୍ଧ ଜାହାଜ, ବିମାନ ଆଦିରେ ଖଞ୍ଜା ଉନ୍ନତ କାରିଗରି କୌଶଳର ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ସଂଗୃହୀତ ସୂଚନା ସବୁ ସିଧାସଳଖ ଭାରତୀୟ ସେନା ହାସଲ କରି ପାରିବେ। ଭାରତୀୟ ସାମୁଦ୍ରିକ ସୀମା ଓ ଅନ୍ୟ କୌଣସି ଅଞ୍ଚଳରେ ଶତ୍ରୁପକ୍ଷର ସାମରିକ ଗତିବିଧି ଉପରେ ସତର୍କ ନଜର ରଖିବାରେ ଏହା ସହାୟକ ହେବ। କୁହାଯାଇପାରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ‘ନାଟୋ’ର ସଦସ୍ୟ ନଥାଇ ମଧ୍ୟ ଭାରତକୁ ଗୋଟିଏ ‘ନାଟୋ’ ସହଯୋଗୀ ଭଳି ସାମରିକ ସୂଚନା ଉପଲବ୍ଧ ହୋଇପାରିବ। ଏହା ନିଶ୍ଚିିତ ଭାବେ ଭାରତର ସାମରିକ କ୍ଷମତା ଓ ଦକ୍ଷତା ବୃଦ୍ଧିରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।
ତେବେ ସାମରିକ ସହଯୋଗର ପରିସୀମାର ସଂପ୍ରସାରଣ ଅପେକ୍ଷା ଭାରତ- ଆମେରିକା ପ୍ରଥମ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାର ଏକ ଅଧିକ ଉଲ୍ଲେଖନୀୟ ସଫଳତା ହେଲା ଆତଙ୍କବାଦ ପ୍ରସଙ୍ଗରେ ସହମତି। ଦୁଇ ଦେଶ କେବଳ ଆତଙ୍କବାଦର ମିଳିତ ମୁକାବିଲାର ଗୁରୁତ୍ୱକୁ ଦୋହରାଇ ନାହାନ୍ତି। ଆତଙ୍କବାଦକୁ ପ୍ରଶ୍ରୟ ଦେବାରୁ କ୍ଷାନ୍ତ ରହିବା ଲାଗି ପାକିସ୍ତାନକୁ ପୁଣିଥରେ ତାଗିଦ୍ କରି ଦେଇଛନ୍ତି। ପୂର୍ବ ଉପକୂଳରେ ଭାରତ ଓ ଆମେରିକାର ତିନି ସେନାବାହିନୀ ମଧ୍ୟରେ ମିଳିତ ସମରାଭ୍ୟାସର ନିଷ୍ପତ୍ତି ଆତଙ୍କବାଦର ପୃଷ୍ଠପୋଷକତା କରୁଥିବା ପାକିସ୍ତାନ ସହ ଇସ୍ଲାମାବାଦର ପୃଷ୍ଠପୋଷକତା କରି ଆସୁଥିବା ଚୀନ୍କୁ ମଧ୍ୟ ଏହା ସତର୍କ ସଂକେତ।
ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷ ପରରାଷ୍ଟ୍ର ସଚିବ ମାଇକେଲ୍ ଆର୍ ପୋମ୍ପିଓ ଏବଂ ପ୍ରତିରକ୍ଷା ସଚିବ ଜେମ୍ସ ଏନ୍ ମାଟିସ୍ଙ୍କ ମଧ୍ୟରେ ପ୍ରଥମ କଥାବାର୍ତ୍ତା ବିଶ୍ୱ ସମୁଦାୟକୁ ଦେଉଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ମଧ୍ୟ ଏଠାରେ ଉଲ୍ଲେଖର ଅପେକ୍ଷା ରଖୁଛି। ଏସିଆରେ ଚୀନ୍ର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଉପରେ ଅଙ୍କୁଶ ଲଗାଇବା ପାଇଁ ଓ୍ଵାସିଂଟନ୍ କର୍ତ୍ତୃପକ୍ଷ ନୂଆଦିଲ୍ଲୀର କ୍ଷମତା ଉପରେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି। ଆଫଗାନିସ୍ତାନ ଘଟଣାକ୍ରମରେ ପାକିସ୍ତାନର ହାବଭାବ ଓ ଧାର୍ମିକ ମୌଳବାଦ ପ୍ରସୂତ ଆତଙ୍କବାଦକୁ ସମର୍ଥନ ପରିପ୍ରେକ୍ଷୀରେ ପାକିସ୍ତାନ ଉପରେ ଆଉ ଭରସା ପାଉନାହିଁ। ସେଥିପାଇଁ ଭାରତ ଆଡ଼କୁ ଆମେରିକା ଢଳୁଛି। ପାରସ୍ପରିକ ସାମରିକ ସହଯୋଗ ବୃଦ୍ଧି ଭାରତ ସ୍ୱାର୍ଥରେ ଯେତେ, ଆମେରିକା ସ୍ୱାର୍ଥରେ ତା’ଠାରୁ ଅଧିକ। ଏହା ଆମେରିକାର କୂଟନୈତିକ ଏବଂ ସାମରିକ ରଣକୌଶଳର ପରିବର୍ତ୍ତନ ପ୍ରତି ଇଙ୍ଗିତ କରୁଛି। ଉଲ୍ଲେଖନୀୟ ଯେ ଜାପାନ ଓ ଅଷ୍ଟ୍ରେଲିଆ ପରେ ଆମେରିକା ସହ ‘ଦୁଇ ଯୁକ୍ତ ଦୁଇ’ କଥାବାର୍ତ୍ତା ପ୍ରକ୍ରିୟାରେ ସାମିଲ ହେବାରେ ଭାରତ ହେଉଛି ତୃତୀୟ ଦେଶ।
ନିଃସନ୍ଦେହ, ଆମେରିକା ସହ ଦ୍ୱିପାକ୍ଷିକ ସହଯୋଗର କ୍ଷେତ୍ର ଯେତେ ବ୍ୟାପକ ହେବ, ଭାରତ ପାଇଁ ତାହା ସେତେ ଲାଭଦାୟକ। ତେବେ ସହଯୋଗର ପରିସୀମାରେ କେଉଁଠି ନା କେଉଁଠି ଗୋଟିଏ ଲକ୍ଷ୍ମଣ ରେଖା ଟାଣିବାକୁ ପଡ଼ିବ। ଆମେରିକା ନିଜ ସ୍ୱାର୍ଥ ପାଇଁ ସହଯୋଗର ହାତ ବଢ଼ାଉଛି, କିନ୍ତୁ ହାତ ଧରିବା ବେଳେ ଭାରତକୁ ନିଜ ସ୍ୱାର୍ଥର ସୁରକ୍ଷା ନିଶ୍ଚିତ କରିବା ଆବଶ୍ୟକ। ସେଥିପାଇଁ ଓ୍ଵାସିଂଟନ୍ ସହ ସହଯୋଗ ବୃଦ୍ଧି ଦିଗରେ ଆଗେଇବା ବେଳେ ଭାରତକୁ ପାଦେ ପାଦେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଭାରତ ପକ୍ଷରେ ଦୁଇଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଆମେରିକାର ସହଯୋଗ ହାସଲ ପାଇଁ ନିଜର ସ୍ୱାଧୀନ ବୈଦେଶିକ ନୀତି ସହ ଯେମିତି ସାଲିସ୍ ନ ହୁଏ। ଦ୍ୱିତୀୟ, ନୂଆ ବନ୍ଧୁତା ପାଇଁ ପାରମ୍ପରିକ ମିତ୍ର ରାଷ୍ଟ୍ରଙ୍କ ସହ ସମ୍ପର୍କ ଯେମିତି ପ୍ରଭାବିତ ନ ହୁଏ। ଇରାନ୍ରୁ ଶସ୍ତାରେ ଅଶୋଧିତ ତେଲ ଖର୍ଦି ଏବଂ ରୁଷ୍ରୁ ପ୍ରତିରକ୍ଷା ସାମଗ୍ରୀ କିଣିବାକୁ ବିରୋଧ କଦାପି ଗ୍ରହଣୀୟ ହୋଇ ନ ପାରେ। ଆମେରିକାର ଏ ଆଭିମୁଖ୍ୟ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ସକାଶେ ଓ୍ଵାସିଂଟନ୍ର ପ୍ରବଣତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ପ୍ରକାର ହସ୍ତକ୍ଷେପକୁ ବରଦାସ୍ତ କରିବା ଭାରତ ପକ୍ଷରେ ସମ୍ଭବ ନୁହେଁ। ଆମେରିକାର ଚାପକୁ ପ୍ରତିହତ କରିବା ଲାଗି ଭାରତ ପାଖରେ ଯଥେଷ୍ଟ ସାମର୍ଥ୍ୟ ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସଂରକ୍ଷଣବାଦୀ ତଥା ନବ୍ୟ ଜାତୀୟତାବାଦୀ ଅର୍ଥନୀତି ବାଣିଜ୍ୟ କ୍ଷେତ୍ରରେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି। ଆମେରିକା ସହ ବାଣିଜ୍ୟରେ ଭାରତ ଏକ ବଳକା ରାଷ୍ଟ୍ର। ଆମେରିକା ଠାରୁ ଭାରତ ଯେତେ ମୂଲ୍ୟର ସାମଗ୍ରୀ ଆମଦାନି କରେ ତା’ଠାରୁ ଅଧିକ ମୂଲ୍ୟର ସାମଗ୍ରୀ ରପ୍ତାନି କରେ। ସେଥିପାଇଁ ଭାରତ ସପକ୍ଷରେ ବାଣିଜ୍ୟ ବଳକା ପ୍ରାୟ ୨୩ ବିଲିୟନ୍ ଡଲାର। ଏହି ବଳକା ପରିମାଣକୁ ସଂକୁଚିତ କରିବା ଲାଗି ଏବେ ଟ୍ରମ୍ପ୍ ପ୍ରଶାସନ ଭାରତ ଉପରେ ଚାପ ପକାଉଛି। ବାର୍ଷିକ ଅନ୍ତତଃ ୧୦ ବିଲିୟନ୍ ଡଲାର ଅଧିକ ସାମଗ୍ରୀ ଆମଦାନି ପାଇଁ ଭାରତ ଉପରେ ଚାପ ପଡୁଛି। ଭାରତୀୟ ଉତ୍ପାଦିତ କେତେକ ସାମଗ୍ରୀ ଉପରେ ପାତରଅନ୍ତର ମୂଳକ ଶୁଳ୍କ ମଧ୍ୟ ଲାଗୁ କରାଯାଇଛି। ବନ୍ଧୁତାର ପରିସରକୁ ସଂପ୍ରସାରିତ କରିବାକୁ ଚାହୁଁଥିବା ଗୋଟିଏ ଦେଶଠାରୁ ଏହା ଆଶା କରାଯାଏ ନାହିଁ।
ତେଣୁ ଆମେରିକା ସହ ସାମରିକ ସହଯୋଗ ବୃଦ୍ଧି ନିଶ୍ଚୟ ଭାରତର ସ୍ୱାର୍ଥରେ। କିନ୍ତୁ ସାମରିକ ସହଯୋଗ ପାଇଁ ଅନ୍ୟ ପ୍ରସଙ୍ଗରେ ଯେମିତି ଜାତୀୟ ସ୍ୱାର୍ଥ ସହ ସାଲିସ କରିବାକୁ ନ ପଡ଼େ, ସେଥିପ୍ରତି ନୂଆଦିଲ୍ଲୀକୁ ଯଥେଷ୍ଟ ସଚେତନ ଓ ସତର୍କ ରହିବାକୁ ପଡ଼ିବ।