ଭୋଟ୍‌ ପାଇଁ କାଟ୍

ଅର୍ଥନୀତି ଯାହା କରିବାରେ ଅସମର୍ଥ ହୋଇଥାଏ, ରାଜନୀତି ଯେ ତାହା ଅନାୟାସରେ ହାସଲ କରିପାରେ, ତାହାର ଏକ ପ୍ରକୃଷ୍ଟ ପ୍ରମାଣ ଦେଖିବାକୁ ମିଳିଛି ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଓ ଡିଜେଲ୍ ଉପରେ ଲାଗୁ ହେଉଥିବା କେନ୍ଦ୍ରୀୟ ଉତ୍ପାଦନ ଶୁଳ୍‌କ ବା ସେଣ୍ଟ୍ରାଲ୍ ଏକ୍‌ସାଇଜ୍ ଡ୍ୟୁଟିରେ ଘଟାଇଥିବା କାଟ୍‌ରେ। ଅପରିହାର୍ଯ୍ୟ ଦୈନନ୍ଦିନ ଖାଉଟି ଦ୍ରବ୍ୟ ରୂପେ ଅଧିକାଂଶ ଭାରତୀୟ ପରିବାରର ବଜେଟ୍‌ରେ ସ୍ଥାନ ଗ୍ରହଣ କରିଥିବା ଏବଂ ଉତ୍ପାଦନ ଓ ବିପଣନ ସହିତ ସମ୍ପୃକ୍ତ ସମସ୍ତ ପରିବହନରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଏହି ଦୁଇ ଜୀବାଶ୍ମ ଇନ୍ଧନର ପମ୍ପ୍‌ ଦାମ୍ ଏକ ଅଭାବିତ ମନସ୍ତାତ୍ତ୍ବିକ ସୀମା- ଲିଟର ପ୍ରତି ଏକ ଶହ ଟଙ୍କା- କେବେ ଠାରୁ ଅତିକ୍ରମ କରି ସାରିଥିଲେ ମଧ୍ୟ ଉପଭୋକ୍ତାମାନଙ୍କର ପ୍ରତିବାଦ ପ୍ରତି କର୍ଣ୍ଣପାତ ନ କରି ସରକାର ଏ ପର୍ଯ୍ୟନ୍ତ ଦର ହ୍ରାସ ପାଇଁ କୌଣସି ପଦକ୍ଷେପ ନ ନେଇ ଚୁପ୍ ରହିଥିଲେ।

ଏବେ କିନ୍ତୁ ଉତ୍ତରପ୍ରଦେଶ ଭଳି ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ସମେତ ଅନ୍ୟ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସିବାରୁ ସରକାର ନିଜର ସେଇ ନିରବ ନିଶ୍ଚଳ ମୁଦ୍ରା ପରିହାର କରି ପେଟ୍ରୋଲ୍ ଲିଟର୍ ପିଛା ଏକ୍‌ସାଇଜ୍ ଡ୍ୟୁଟିରେ ୫ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ଏକ୍‌ସାଇଜ୍ ଡ୍ୟୁଟିରେ ୧୦ ଟଙ୍କା ଲେଖାଏଁ ହ୍ରାସ ଘଟାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ୍‌ସାଇଜ୍ ଡ୍ୟୁଟି ହେଉଛି ଅର୍ଥଶାସ୍ତ୍ରର ପରିଭାଷାରେ ଏକ ‘ସ୍ପେସିଫିକ୍’ ଟିକସ ବା ‘ୟୁନିଟ୍’ ଟିକସ, ଯ‌ାହା ଦ୍ରବ୍ୟର ମୂଲ୍ୟ ଭିତ୍ତିରେ ଲାଗୁ ନ ହୋଇ, ତାହାର ଏକକ ଭିତ୍ତିରେ ଲାଗୁ ହୋଇଥାଏ। ଏହି ଡ୍ୟୁଟି ଲାଗୁ ହେବା ପରେ ସ୍ବାଭାବିକ ଭାବରେ ପେଟ୍ରୋଲ୍ ଓ ଡିଜେଲ୍‌ର ବିକ୍ରୟ ମୂଲ୍ୟରେ ବୃଦ୍ଧି ଘଟିଥାଏ। ରାଜ୍ୟ ସରକାରମାନେ ଏହି ଦୁଇ ଇନ୍ଧନର ଏକ୍‌ସାଇଜ୍ ଡ୍ୟୁଟି ଅନ୍ତର୍ଭୁକ୍ତ ମୂଲ୍ୟ ଉପରେ ଭ୍ୟାଟ୍ ଲାଗୁ କରିଥା’ନ୍ତି। ଏଣୁ ବର୍ତ୍ତମାନ ଏକ୍‌ସାଇଜ୍ ଡ୍ୟୁଟିରେ ହ୍ରାସ ଘଟିବା ପରେ ସ୍ବାଭାବିକ ଭାବରେ ରାଜ୍ୟ ସରକାରମାନେ ଆଦାୟ କରୁଥିବା ଭ୍ୟାଟ୍ ପରିମାଣରେ ମଧ୍ୟ ହ୍ରାସ ଘଟି ଉପଭୋକ୍ତାମାନଙ୍କ ପାଇଁ ଆହୁରି ଅଧିକ ଲାଭ ସୃଷ୍ଟି କରିଛି। ଆସନ୍ନ ନିର୍ବାଚନ ହିଁ ଯେ କେନ୍ଦ୍ର ସରକାରଙ୍କୁ ଏହି ନିଷ୍ପତ୍ତି ନେବାକୁ ପ୍ରଭାବିତ କରିଛି, ତାହାର ଏକ ସ୍ପଷ୍ଟ ପ୍ରମାଣ ମିଳିଛି କେନ୍ଦ୍ର ସରକାର ଆସନ୍ତା ରବି ଋତୁରେ ଡିଜେଲ୍ ଦର ହ୍ରାସ କୃଷକମାନଙ୍କ ପାଇଁ କିପରି ଲାଭଜନକ ହେବ, ସେ ନେଇ କରିଥିବା ଘୋଷଣାରୁ।
ତେବେ କାରଣ ଯାହା ହୋଇଥାଉ ନା କାହିଁକି, ଯେଉଁ ଦୁଇ ପକ୍ଷଙ୍କ ପାଇଁ ସରକାରଙ୍କର ଏହି ନିଷ୍ପତ୍ତି ନିଶ୍ଚିତ ଆଶ୍ବସ୍ତି ଆଣି ଦେବ, ସେମାନେ ହେଉଛନ୍ତି ଉପର ବର୍ଣ୍ଣିତ ଉପଭୋକ୍ତାମାନେ ଏବଂ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ରିଜର୍ଭ ବ୍ୟାଙ୍କ୍। ପେଟ୍ରୋଲ୍ ଓ ଡିଜେଲ୍ ବାବଦ ଖର୍ଚ୍ଚ ଅନ୍ୟ ପଦାର୍ଥ ଓ ସେବା ସବୁର ଉତ୍ପାଦନ ଖର୍ଚ୍ଚର ଅଂଶ ହୋଇଥାଏ। ଏଣୁ ଏହାର ଦର ହ୍ରାସ ସିଧାସଳଖ ଉପଭୋକ୍ତାମାନଙ୍କର ଆର୍ଥିକ ବୋଝ ଲାଘବ କରିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ଓ ସେବା ସବୁର ଦରରେ ହ୍ରାସ ଘଟାଇ ସେମାନଙ୍କ ପାଇଁ ଆହୁରି ଅଧିକ ଲାଭ ସୃଷ୍ଟି କରିଥାଏ। ଏହି ଉଭୟ ପ୍ରକାରର ଦର ହ୍ରାସ ଦେଶରେ ମୁଦ୍ରାସ୍ଫୀତିର ଚାପ କୋହଳ କରିଥାଏ।
ଏହି କାରଣରୁ ସରକାରଙ୍କର ଉପରୋକ୍ତ ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ୍ ପାଇଁ ମଧ୍ୟ ସ୍ବାଗତଯୋଗ୍ୟ। ଦରଦାମ୍‌ରେ ବୃଦ୍ଧି ବା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ବିଧିବଦ୍ଧ ଦାୟିତ୍ବ। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିରେ ଦେଖାଦେଇଥିବା ଊର୍ଦ୍ଧ୍ବ ଚାପ କେବଳ ଯେ ରିଜର୍ଭ ବ୍ୟାଙ୍କ୍‌ ଉପରେ ସୁଧ ହାର ବା ରେପୋ ରେଟ୍‌ରେ ବୃଦ୍ଧି ଘଟାଇବା ପାଇଁ ଚାପ ସୃଷ୍ଟି କରୁଛି, ତାହା ନୁହେଁ, ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ଫେଡେରାଲ୍ ରିଜର୍ଭ ଅଳ୍ପ ଦିନ ମଧ୍ୟରେ ତା’ର ଦୀର୍ଘ ଅନୁସୃତ ବଣ୍ଡ୍‌ କ୍ରୟ ନୀତିରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ବୋଲି କରିଥିବା ଘୋଷଣା ମଧ୍ୟ ରିଜର୍ଭ ବ୍ୟାଙ୍କ୍ ଉପରେ ଏହି ଚାପରେ ବୃଦ୍ଧି ଘଟାଇବାକୁ ଯାଉଛି। ଫେଡେରାଲ୍ ରିଜର୍ଭ ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଯେତେବେ‌େଳ ବଣ୍ଡ୍‌ କ୍ରୟରେ କ୍ରମଶଃ ହ୍ରାସ ଘଟାଇ ଚାଲିବ (‘ଟେପରିଙ୍ଗ୍’) ସେତେବେଳେ ଆମେରିକାରେ ସୁଧ ହାରରେ ବୃଦ୍ଧି ଘଟିବାକୁ ଆରମ୍ଭ କରିବ ଏବଂ ତାହା ଦ୍ବାରା ଆକର୍ଷିତ ହୋଇ ଆନ୍ତର୍ଜାତିକ ପୁଞ୍ଜି ନିବେଶକମାନେ ଅଧିକରୁ ଅଧିକ ଆମେରିକା ମୁହାଁ ହେବାକୁ ଲାଗିବେ। ଭାରତ ଯଦି ସେମାନଙ୍କୁ ଏଠାକୁ ପ୍ରତି-ଆକର୍ଷିତ କରିବାକୁ ଚାହିଁବ, ତେବେ ଆମେରିକୀୟ ସୁଧ ହାର ସହିତ ତାଳ ଦେବା ଭଳି ଏଠାରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌କୁ ସୁଧ ହାରରେ ବୃଦ୍ଧି ଘଟାଇବାକୁ ପଡ଼ିବ। ଏହି ସମୟରେ ତେଣୁ ଏଠାରେ ପେଟ୍ରୋଲ୍‌, ଡିଜେଲ୍ ଦରରେ ହ୍ରାସ ଏହି ଦ୍ବିବିଧ ଚାପ ମଧ୍ୟରୁ ଗୋଟିଏକୁ ରିଜର୍ଭ ବ୍ୟାଙ୍କ୍ ପାଇଁ କିଛି ମାତ୍ରାରେ କୋହଳ କରିବ।
ଏହା ଅବଶ୍ୟ ସତ ଯେ ଏକ୍‌ସାଇଜ୍ ଡ୍ୟୁଟିରେ ଏହି କାଟ୍ ଯୋଗୁଁ ଚଳିତ ବିତ୍ତବର୍ଷର ବାକି ସମୟରେ କେନ୍ଦ୍ର ସରକାରଙ୍କୁ ପ୍ରାୟ ୪୫,୦୦୦ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିବ; କିନ୍ତୁ ଏହି କାଟ୍ ପୂର୍ବରୁ ଚଳିତ ବିତ୍ତବର୍ଷରେ ମୋଟ ୪,୦୦,୦୦୦ କୋଟି ଟଙ୍କାର ରାଜସ୍ବ ଏହି ସୂତ୍ରରୁ ଆଦାୟ ହେବ ବୋଲି ସରକାର ଅନୁମାନ କରିଥିଲେ। ଏଣୁ କାଟ୍ ପରେ ମଧ୍ୟ ସରକାର ଏ ବାବଦରେ ୩,୫୫,୦୦୦ କୋଟି ଟଙ୍କାର ରାଜସ୍ବ ପାଇବେ, ଯାହା‌ ଗତ ବିତ୍ତବର୍ଷରେ ଏଥିରୁ ସଂଗୃହୀତ ରାଶି, ଏକ ବିଶାଳ ୩,୩୫,୦୦୦ କୋଟି ଟଙ୍କା ଠାରୁ ମଧ୍ୟ ଅଧିକ ହେବ।
ଇତି ମଧ୍ୟରେ ଭାରତୀୟ ଅର୍ଥନୀତିରେ ସୁଧାର ଆସିବା ମଧ୍ୟ ପରିଲକ୍ଷିତ ହୋଇଛି ଏବଂ ସେଥିଯୋଗୁଁ ସରକାରଙ୍କର ସାମଗ୍ରିକ ଟିକସ ସଂଗ୍ରହରେ ମଧ୍ୟ ଉନ୍ନତି ଦେଖାଯାଇଛି। ବିତ୍ତବର୍ଷର ପ୍ରଥମାର୍ଦ୍ଧରେ ସରକାରଙ୍କର ମୋଟ ଟିକସ ସଂଗ୍ରହରେ ପୂର୍ବ ବର୍ଷ ତୁଳନାରେ ଏକ ସୁଉଚ୍ଚ ୬୪ ଶତାଂଶ ବୃଦ୍ଧି ଘଟିଥିବା ବେଳେ ନିଟ୍ ଟିକସ ସଂଗ୍ରହରେ ବୃଦ୍ଧି ହାର ହୋଇଛି ୧୦୧ ଶତାଂଶ! ସେଇ ସମୟରେ ସରକାର ପ୍ରଦର୍ଶନ କରି ଆସିଥିବା ଖର୍ଚ୍ଚ କୁଣ୍ଠା ଯୋଗୁଁ ବିତ୍ତବର୍ଷର ପ୍ରଥମାର୍ଦ୍ଧରେ ମୋଟ ସରକାରୀ ଖର୍ଚ୍ଚ ସାରା ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୫ ଶତାଂଶ ହୋଇଛି। ତେଣୁ ଏକ୍‌ସାଇଜ୍ ଡ୍ୟୁଟି ହ୍ରାସ ଯୋଗୁଁ ସରକାରଙ୍କ ଆୟ ବ୍ୟୟ ମଧ୍ୟରେ ତଫାତ୍ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସମ୍ଭାବନା ନାହିଁ କହିଲେ ଚଳେ। ଏହି ହ୍ରାସ ଯୋଗୁଁ ଘଟୁଥିବା ସରକାରଙ୍କର ରାଜସ୍ବ କ୍ଷତିର ଅନୁପାତ ହେବ ‘ଜିଡିପି’ର ପ୍ରାୟ ୦.୨ ଶତାଂଶ, ଯାହା ବିତ୍ତୀୟ ନିଅଣ୍ଟକୁ ୬.୫-୬.୬ ଶତାଂଶରେ ପହଞ୍ଚାଇବ ବୋଲି ଅନୁମାନ କରାଯାଉଛି। ତେବେ ଏହା ଧାର୍ଯ୍ୟ ଲକ୍ଷ୍ୟ ୬.୮ ଶତାଂଶ ସୀମା ମଧ୍ୟରେ ଥିବାରୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହେବ ନାହିଁ। ଭୋଟ୍ ପାଇଁ ସରକାର ଘଟାଇଥିବା କାଟ୍ ଯେ ଅର୍ଥନୀତି ପାଇଁ ମଙ୍ଗଳପ୍ରଦ ହେବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର