ଧଉଳିରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ, ଜଣେ ଗୁରୁତର

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଧୀନ ଶାନ୍ତିସ୍ତୂପ ନିକଟରେ ଆଜି ଅପରାହ୍ନରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳ ଘଟଣାରେ ବାଲେଶ୍ବର ଅଞ୍ଚଳର ଜଣେ ପର୍ଯ୍ୟଟକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସୂଚନାଅନୁସାରେ ବାଲେଶ୍ବର ଏବଂ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ଦୁଇ ପର୍ଯ୍ୟଟଙ୍କ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ପ୍ରଥମେ ବଚସା ହୋଇଥିଲା। ପରେ ସେମାନଙ୍କ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଉଭୟ ବାଲେଶ୍ବର ଏବଂ ପଶ୍ଚିମବଙ୍ଗ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଏବଂ ପ୍ରତି ଆକ୍ରମଣ କରିଥିଲେ। ଫଳରେ ଲୁହାଛଡ଼ ମାଡ଼ରେ ବାଲେଶ୍ବର ଅଞ୍ଚଳର ଜଣେ ଯୁବକଙ୍କ ମୁଣ୍ଡ ଫାଟି ଯାଇଥିଲା। ଖବର ପାଇ ପିସିଆର ପୁଲିସ ଘଟଣାସ୍ଥଳରେ ପହଞ୍ଚି ‌ଆହତ ଯୁବକଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏନେଇ ଉଭୟ ପକ୍ଷ ଧଉଳି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଉଭୟ ଗୋଷ୍ଠୀଙ୍କୁ ଥାନାରେ ଦୀର୍ଘ ସମୟ ଧରି ଅଟକ ରଖିଥିଲା। ଦୁଇ ପକ୍ଷଙ୍କ ସମ୍ମତିକ୍ରମେ ଘଟଣାର ଆପୋସ ସମାଧାନ କରାଇ ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। 

ସମ୍ବନ୍ଧିତ ଖବର