ମିତ୍ରଙ୍କ ଭିତରେ ଶତ୍ରୁ

କଥାଟିଏ-ଯାଯାବର

ଜଣେ ସମୁରାଇ ଯୋଦ୍ଧା ଥିଲେ। ସେ ଅନେକ ପରିଶ୍ରମ କରି ବିନିଦ୍ର ରଜନୀ ସାଧନା କରି ଯୁଦ୍ଧ କୌଶଳ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ। ସେ ଯେତେବେଳେ ଘରକୁ ଫେରିଲେ ଗୁରୁ ତାଙ୍କୁ କହିଲେ- ମିତ୍ରମାନଙ୍କ ଭିତରେ ଶତ୍ରୁ ଥାଆନ୍ତି। ସେମାନଙ୍କ ଠାରୁ ସତର୍କ ଦୂରତା ବଜାୟ ରଖିବ।
ଯୁବକ ନିଜ ସହରକୁ ଫେରିବା ପରେ ମିତ୍ରମାନଙ୍କ ସହିତ ଦେଖା ହେଲା। ଯେଉଁ ମିତ୍ରମାନେ ତାଙ୍କ ଯୁଦ୍ଧ କୌଶଳର ସମାଲୋଚନା କରୁଥିଲେ, ସେମାନଙ୍କୁ ସମୁରାଇ ଯୋଦ୍ଧା ଜଣକ ପାଖରେ ପୂରାଇ ଦେଉନଥିଲେ। କାରଣ ତାଙ୍କ ଚକ୍ଷୁରେ ସେମାନେ ଥିଲେ ମିତ୍ର ବେଶଧାରୀ ଶତ୍ରୁ। ଅନେକ ବନ୍ଧୁ ତାଙ୍କର ସ୍ତାବକ ଥିଲେ। ତାଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ। ସେମାନଙ୍କୁ ସେ ପରମ ମିତ୍ର ବୋଲି ବିଚାର କରି ସେମାନଙ୍କ ସହିତ ରହୁଥିଲେ।

କ୍ରମେ ସମୁରାଇ ଯୋଦ୍ଧାଙ୍କ ବିଷୟରେ ଆଲୋଚନା ଜୋର ଧରିଲା। କିଛି ଦିନ ପରେ ରାଜା ନିଜ ସୈନ୍ୟବଳରେ ସାମିଲ କରିବା ଲାଗି ସେହି ସମୁରାଇ ଯୋଦ୍ଧାଙ୍କୁ ଡାକିଲେ। ସେଥିଲାଗି ଗୋଟିଏ ପରୀକ୍ଷାର ଆୟୋଜନ କରାଗଲା। କିନ୍ତୁ ସମସ୍ତଙ୍କୁ ନିରାଶ କରି ସମୁରାଇ ଯୋଦ୍ଧା ଜଣକ ପରୀକ୍ଷାରେ ବିଫଳ ହେଲେ।ଏ କଥା ଗୁରୁଙ୍କ କାନକୁ ଗଲା। ସେ କହିଲେ- ମୁଁ ଦେଇଥିବା ଉପଦେଶ ବୋଧହୁଏ ସେ ବୁଝି ପାରିଲା ନାହିଁ। ଶତ୍ରୁ ଭଳି ବ୍ୟବହାର କରୁଥିବା ବା ସମାଲୋଚନା ବା ନିନ୍ଦା କରୁଥିବା ମିତ୍ରଙ୍କ କଥା ଶୁଣିବା ତା’ର ଉଚିତ ଥିଲା। ସେ କିନ୍ତୁ ସେମାନଙ୍କୁ ଶତ୍ରୁ ବୋଲି ଭାବି କେବଳ ପ୍ରଶଂସକ ମିତ୍ରଙ୍କ କଥା ଶୁଣିଲା। ସେହିମାନଙ୍କୁ ପ୍ରକୃତ ମିତ୍ର ବୋଲି ଭାବିଲା। ତେଣୁ ଏଭଳି ପରିଣାମ ହେଲା। ଯେଉଁ ମିତ୍ରମାନେ କେବଳ ପ୍ରଶଂସା କରନ୍ତି ସେମାନେ ଯେ ଶତ୍ରୁ ଏ କଥା ହୃଦ୍‌ବୋଧ ହେବା ଉଚିତ। ସମୁରାଇ ଯୋଦ୍ଧା ଏହା ଶୁଣିଲେ। ତାଙ୍କ ଭ୍ରମ ଦୂର ହେଲା।

ସମ୍ବନ୍ଧିତ ଖବର