ଦର୍ପଣ: ପାଠକୀୟ ପସନ୍ଦ ଇ-ପୁସ୍ତକ ନୁହେଁ, ପୁସ୍ତକ

ଇଲେକ୍ଟ୍ରୋନିକ୍ ପୁସ୍ତକର ଉଦ୍ଭାବନ ପରେ ଏହା ମୁଦ୍ରିତ ପୁସ୍ତକ ବ୍ୟବସାୟର କଫିନ୍‌ରେ ଶେଷ କଣ୍ଟା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟ‌୍ଫୋନ୍ ରୂପରେ ଇ-ପୁସ୍ତକ ପଢ଼ିବାର ସାଧନ ଉପଲବ୍‌ଧ ହୋଇସାରିଥିଲେ ହେଁ ସମଗ୍ର ପୃଥିବୀରେ ଅଧିକାଂଶ ପାଠକ ମୁଦ୍ରିତ ପୁସ୍ତକ ପଢ଼ିବାକୁ ପସନ୍ଦ କରୁଛନ୍ତି। ପରିସଂଖ୍ୟାନ ଗବେଷଣା ସଂସ୍ଥାର ‘ବିଜ୍ଞାପନ ଓ ଗଣମାଧ୍ୟମ ଆଉଟ୍‌ଲୁକ୍’ର ଅଧ୍ୟୟନ ଏହି କଥା ସ୍ପଷ୍ଟ କରିଛି। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆମେରିକା ଭଳି ଦେଶ ଯେଉଁଠାରେ ଇ-ପୁସ୍ତକ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି ସେଠାରେ ମଧ୍ୟ ୨୦୨୧ରେ ୪୫ ପ୍ରତିଶତ ଲୋକ ମୁଦ୍ରିତ ପୁସ୍ତକ କିଣିଥିବା ବେଳେ ମାତ୍ର ୨୩ ପ୍ରତିଶତ ଲୋକ ଇ-ପୁସ୍ତକ କିଣିଥିଲେ। ଜର୍ମାନୀର ସର୍ବାଧିକ ୫୮ ପ୍ରତିଶତ ଲୋକ ମୁଦ୍ରିତ ପୁସ୍ତକ କିଣିଥିବା ବେଳେ ମାତ୍ର ୧୦.୮ ପ୍ରତିଶତ ଇ-ପୁସ୍ତକ କିଣିଥିଲେ। ଭାରତ‌େର ଗତ ବର୍ଷ ୨୫ ପ୍ରତିଶତ ଲୋକ ମୁଦ୍ରିତ ପୁସ୍ତକ କିଣିଥିବା ବେଳେ ଏହା ତୁଳନାରେ ନଗଣ୍ୟ ୬.୩ ପ୍ରତିଶତ ଲୋକ ଇ-ପୁସ୍ତକ କିଣିଥିଲେ। ସେହିପରି ୟୁନାଇଟେଡ୍ କିଙ୍ଗ୍‌ଡମ୍, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସ୍ପେନ୍ ଓ ଫ୍ରାନ୍‌ସର ୪୦ ପ୍ରତିଶତରୁ ଅଧିକ ଲୋକ ମୁଦ୍ରିତ ବହି କିଣିଥିବା ବେଳେ ଏ ସମସ୍ତ ଦେଶରେ ୨୦ ପ୍ରତିଶତରୁ କମ୍ ଲୋକ ଇ-ପୁସ୍ତକ ପାଇଁ ଖର୍ଚ୍ଚ କରିଥିଲେ।

ସର୍ବବୃହତ୍ ପୁସ୍ତକ ପ୍ରକାଶନ ସଂସ୍ଥାଗୁଡ଼ିକର ବ୍ୟବସାୟ ଉପରେ ନଜର ପକାଇଲେ ଜଣାପଡ଼େ ଯେ ମୁଦ୍ରିତ ପୁସ୍ତକର ବଜାର କୌଣସି ରୂପେ ଇ-ପୁସ୍ତକର ଆବିର୍ଭାବ ଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ। ୨୦୧୯ ଆର୍ଥିକ ବର୍ଷରେ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ୪ ବିଲିୟନ୍ ଡଲାର୍‌ ଏବଂ ଫ୍ରେଞ୍ଚ୍ ପ୍ରକାଶନ ସଂସ୍ଥା ହାଚେଟ୍ ଲିଭ୍ରେ ୨.୭ ବିଲିୟନ୍ ଡଲାର୍‌ ଲାଭ ହାସଲ କରିଥିଲେ। ଏଥିରୁ ବାହାରୁଥିବା ନିଷ୍କର୍ଷ ଏହି କଥା ପ୍ରତି ଇଙ୍ଗିତ କରିଥାଏ ଯେ ଇ-ପୁସ୍ତକ ମୁଦ୍ରିତ ପୁସ୍ତକର ପ୍ରତିଦ୍ବନ୍ଦ୍ବୀ ନୁହେଁ; ବରଂ ଏହା ହେଉଛି ଏମିତି ଏକ ପରିପୂରକ, ଯାହା ମୁଦ୍ରିତ ପୁସ୍ତକ ଶିଳ୍ପ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ସମ୍ବନ୍ଧିତ ଖବର