ସେଲ୍‌ଫି ନେବା ପାଇଁ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କୁ ପଛରୁ ଟାଣି ଧରିଲେ ଯୁବକ, ତା’ ପରେ…..

କାନ୍‌ପୁର : ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକୀ ନିଜର ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଖୁବ୍‌ କମ ଦିନ ମଧ୍ୟରେ ସେ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ଥାନ ତିଆରି କରିଥିବା ବେଳେ ଫିଲ୍ମର ଚରିତ୍ର ମଧ୍ୟ ଖୁବ୍‌ ଭାବି ଚିନ୍ତି ଚୟନ କରିଥାନ୍ତି । ଆଗକୁ ତାଙ୍କର ଆଉ ଏକ ଫିଲ୍ମ ଫଟୋଗ୍ରାଫ୍‌ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି ନଓ୍ଵାଜୁଦ୍ଦିନ୍‌ । ଏହା ସହ ନଓ୍ଵାଜୁଦ୍ଦିନ୍‌ ଏବେ କାନପୁରରେ ନିଜ ଅନ୍ୟ ଏକ ଫିଲ୍ମ ରାତ୍‌ ଅକେଲିର ସୁଟିଂରେ ମଧ୍ୟ ବ୍ୟସ୍ତ ଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଫିଲ୍ମର ସୁଟିଂ ସାରି ନଓ୍ଵାଜୁଦ୍ଦିନ୍‌ ନିଜ କାର୍‌ ପାଖକୁ ଆସୁଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ । ତାଙ୍କ ସହ ସେଲ୍‌ଫି ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ପଛ ପଟୁ ଟାଣି ପଛକୁ ନେଇ ଆସିଥିଲେ । ଯାହା ପରେ ନଓ୍ଵାଜୁଦ୍ଦିନ୍‌ଙ୍କ ସୁରକ୍ଷାକର୍ମୀ ଯୁବକଙ୍କୁ ଠେଲି ଦେବା ସହ ନଓ୍ଵାଜୁଦ୍ଦିନ୍‌ଙ୍କୁ ଗାଡ଼ିରେ ଆଣି ବସାଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ନଓ୍ଵାଜୁଦ୍ଦିନ୍‌ ନୁହନ୍ତି, ଏହା ପୂର୍ବରୁ ଅନେକ କଳାକାରଙ୍କ ସହ ଏଭଳି ଘଟି ସାରିଛି ।

ସମ୍ବନ୍ଧିତ ଖବର