କନସର୍ଟ ସମୟରେ ହାତ ମିଳାଇବାକୁ କହି ହାତ ଟାଣିଦେଲେ ପ୍ରଶଂସକ, ଆହତ ହେଲେ ଅରିଜିତ

ଔରଙ୍ଗାବାଦ: କନସର୍ଟ ସମୟରେ ଆହତ ହେଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ। ଗୀତ ଗାଉଥିବା ସମୟରେ ଜଣେ ପ୍ରଶଂସକ ତାଙ୍କ ହାତ ଟାଣିଦେବାରୁ ‌ତାଙ୍କ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏବେ ଭାଇରାଲ ହେଉଥିବା ଫଟୋରେ ଅରିଜିତଙ୍କ ହାତରେ ବ୍ୟାଣ୍ଡେଜ୍ ଲଗାଯାଇଥିବା ଦେଖିବାକୁ ମିଳିଛି।

Arijit Singh gets injured during concert

ତେବେ ବଲିଉଡକୁ ଅନେକ ବ୍ଲକବଷ୍ଟର ଗୀତ ଦେଇଥିବା ଅତିଜିତ ଷ୍ଟେଜ୍ ସୋ’ ସମୟରେ ନିଜ ପ୍ରଶଂସକଙ୍କ ସହ କଥା ହେବାକୁ ପସନ୍ଦ କରିଥାନ୍ତି। ତାଙ୍କର ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ କନସର୍ଟ ସମୟରେ ନିଜ ପ୍ରଶଂସକ ସହ କଥା ହେଉଥିବା ଦେଖାଯାଇଛି। ତେବେ ଔରଙ୍ଗାବାଦରେ ଥିବା କନସର୍ଟରେ ମଧ୍ୟ ସେ ସବୁଥର ଭଳି ନିଜ ପ୍ରଶଂସକଙ୍କ ସହ ହାତ ମିଳାଇବାକୁ ହାତ ଦେଖାଇଥିଲେ। ହେଲେ ତଳେ ଛିଡା ହୋଇଥିବା ଯୁବକଜଣକ ତାଙ୍କ ହାତ ଜୋରରେ ଟାଣିଦେବାରୁ ଅରିଜିତଙ୍କ ହାତ ମୋଡ଼ି ହୋଇଯାଇଥିଲା। ଏହା ପରେ ସେ ରାଗି ନଯାଇ ଯୁବକଙ୍କୁ ବୁଝାଇଥିଲେ।

“ତୁମେ କାହିଁକି ମୋ ହାତ ଟାଣିଲ? ଦେଖ, ବର୍ତ୍ତମାନ ମୁଁ ମୋର ହାତ ଉଠାଇ ପାରୁ ନାହିଁ। ଯଦି ମୁଁ ଗୀତ ଗାଇ ପାରିବି ନାହିଁ ତେବେ ସୋ’ କିପରି ଜାରି ରହିବ? ମୁଁ ମୋର ସମସ୍ତ ପ୍ରଶଂସକଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛି ଏବଂ ମୋର ଅପାର ପ୍ରେମ ଅଛି ତୁମ ସମସ୍ତଙ୍କ ପାଇଁ। କିନ୍ତୁ ଏହିପରି ଘଟଣା ଘଟିବା ଉଚିତ ନୁହେଁ ବୋଲି ତୁମକୁ ବୁଝିବାକୁ ପଡିବ” ବୋଲି ଭାଇରାଲ ଭିଡିଓରେ ହାତ ଟାଣିଥିବା ଯୁବକଙ୍କୁ ଅରିଜିତ କହୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର