୨୦୨୫ରେ ଆରମ୍ଭ ହେବ ହ୍ରିତିକ ରୋଶନ ’କ୍ରିଶ୍ ୪’ର ସୁଟିଂ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଅଭିନୀତ ପୂର୍ବ ଫିଲ୍ମ ‘ଫାଇଟର୍’କୁ ମିଳିଛି ଜବରଦସ୍ତ ସଫଳତା। ଏବେ ସେ ତାଙ୍କର ନୂଆ ସିନେମା ଓ୍ବାର୍୨କୁ ନେଇ ବ୍ୟସ୍ତ ଅଛନ୍ତି। ତେଣେ  ହ୍ରିତିକ ରୋଶନଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ତାହା ହେଲା ହ୍ରିତିକ ରୋଶନ ନିଜର ପୂର୍ବ ବ୍ଲକବଷ୍ଟର ଫିଲ୍ମ ‘କ୍ରିଶ’ ସିକ୍ବେଲ ନେଇ ଆସିବେ। ଏହାର ସୁଟିଂ ୨୦୨୫ରେ ଆରମ୍ଭ ହେବ ବୋଲି କୁହାଯାଉଛି।

‘କ୍ରିଶ’ ବଲିଉଡର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ। ୨୦୨୧ରେ, ହ୍ରିତିକ ରୋଶନ   କ୍ରିଶ୍ ୪ ଘୋଷଣା କରୁଥିବା ଏକ ଭିଡିଓ ସେୟାର କରିଥିଲେ ଯାହା ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଖୁବ୍ ଉତ୍ସାହିତ କରିଥିଲା। କିନ୍ତୁ ଆସନ୍ତା ବର୍ଷ ସୁଟିଂ ଆରମ୍ଭ ହେବ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି।

ମିଡଡେରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ହ୍ରିତିକ ରୋଶନ ତାଙ୍କ ଚଳଚ୍ଚିତ୍ର ନିର୍ମାତା ପିତା ରାକେଶ ରୋଶନଙ୍କ ସହ ଏହି ସିନେମାର କାହାଣୀକୁ ପ୍ରସ୍ତୁତ କରିଛନ୍ତି। ଏବେ ରାକେଶ ରୋଶନ ତାଙ୍କ ଲେଖକଙ୍କ ଟିମ୍ ସହିତ ପରବର୍ତ୍ତୀ ଭାଗର ସ୍କ୍ରିପ୍ଟ କାମ କରୁଛନ୍ତି। ଏଥିରେ ପୁଣି ଥରେ ହ୍ରିତିକ୍ ରୋଶନଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିବ। ତେବେ ଏଥିରେ କିଏ ନାୟିକା ବନିବେ ସେନେଇ କୌଣସି ସୂଚନା ମିଳିନି। ପୂର୍ବରୁ କ୍ରିଶରେ ପ୍ରିୟଙ୍କା ଚୋପ୍ରା ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ନଜର ଆସିଥିଲେ। ତେବେ ଫିଲ୍ମରେ ପୁଣି ଥରେ ରାଜେଶ ରୋଶନ ସଙ୍ଗୀତ ନିର୍ଦ୍ଦେଶନା ଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର