ପାଉଣାରେ ଶାହରୁଖଙ୍କୁ ଟପିଲେ ପ୍ରଭାସ: ଆଦିପୁରୁଷ ପାଇଁ ୧୫୦ କୋଟି ନେଇଛନ୍ତି

ମୁମ୍ବାଇ: ବହୁ-ପ୍ରତୀକ୍ଷିତ ଓମ୍ ରାଉତଙ୍କ ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରୁ ମୁକ୍ତିଲାଭ କରିବା ପରେ ନାନା ବିବାଦକୁ ନେଇ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଆସୁଛି। ଦୁର୍ବଳ ଭିଜୁଆଲ ପ୍ରଦର୍ଶନ, ନିମ୍ନମାନର ଅଭିନୟ ଓ ଗାଉଁଲି ସଂଳାପ ପାଇଁ ଏହାକୁ ସମାଲୋଚନା କରାଯାଉଛି। ତା’ ସତ୍ତ୍ବେ ବକ୍ସ ଅଫିସରେ ଏହା ଭଲ ଆୟ କରୁଥିବା ଜଣାପଡ଼ିଛି। ଚଳଚ୍ଚିତ୍ରଟି ରାମାୟଣ ଉପରେ ପର୍ଯ୍ୟବସିତ ଏବଂ ପ୍ରଭାସ, କୃତି ସାନୋନ, ସନ୍ନି ସିଂହ ଓ ସୈଫ ଅଲି ଖାନ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ରିପୋର୍ଟ ଅନୁସାରେ ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ୫୦୦ କୋଟି ଟଙ୍କା ବଜେଟ୍‌ରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏଥିରେ ଅଭିନୟ ଆଦି ପାଇଁ କେତେ ଅର୍ଥ ଦାବି କରାଯାଇଥିଲା, ଜାଣନ୍ତି କି?

ଅଭିନୟ ପାଇଁ ସବୁଠାରୁ ଅଧିକ ଅର୍ଥ ଦାବି କରିଥିବା ଅଭିନେତା ହେଉଛନ୍ତି ପ୍ରଭାସ। ବ୍ଲକ୍‌ବଷ୍ଟର ବାହୁବଳୀରେ ଅଭିନୟ କରିବା ପରେ ତାଙ୍କର ଡିମାଣ୍ଡ ବଢ଼ିଯାଇଛି। ଆଦିପୁରୁଷରେ ରାମ ଭୂମିକାରେ ଅଭିନୟ ପାଇଁ ତାଙ୍କୁ ୧୫୦ କୋଟି ଟଙ୍କା ଦିଆଯାଇଥିବା ଜଣାପଡ଼ିଛି। ପଠାଣରେ ଅଭିନୟ ପାଇଁ ଶାହରୁଖ ଖାନ ନେଇଥିବା ଅର୍ଥର ଏହା ଦେଢ଼ଗୁଣ। ପୂର୍ବରୁ ହାଇଏଷ୍ଟ-ପେଡ୍ ଅଭିନେତା ଭାବେ ବିବେଚିତ ଶାହରୁଖ ପଠାଣରେ ଅଭିନୟ ପାଇଁ ୧୦୦ କୋଟି ଟଙ୍କା ନେଇଥିଲେ। ତେଣୁ ପ୍ରଭାସ ଏବେ ଶାହରୁଖଙ୍କୁ ଟପି ବଲିଉଡ୍‌ର ହାଇଏଷ୍ଟ-ପେଡ୍ ଅଭିନେତାରେ ପରିଣତ ହୋଇଛନ୍ତି।

ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ ଅଲି ଖାନଙ୍କୁ ୧୨ କୋଟି ଟଙ୍କା ଦିଆଯାଇଛି। ସେହିପରି ସୀତା ଭୂମିକାରେ ଅଭିନୟ କରିଥିବା କୃତି ସାନୋନ ୩୦ କୋଟି ନେଇଛନ୍ତି। ଳକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସନ୍ନି ସିଂହ ୧୫ କୋଟି ଟଙ୍କା ନେଇଛନ୍ତି। ତେବେ ହନୁମାନ ଭୂମିକାରେ ଅଭିନୟ ପାଇଁ ଦେବଦତ୍ତ ନାଗେ କେତେ ନେଇଛନ୍ତି ତାହା ଜଣାପଡ଼ି ନାହିଁ। ରାବଣର ସ୍ତ୍ରୀ ମନ୍ଦୋଦରୀ ଭୂମିକାରେ ଅଭିନୟ କରିଥିବା ସୋନାଲ ଚୌହାନଙ୍କୁ ୧୫ କୋଟି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର