ରଥଯାତ୍ରା ବିଶେଷ : ମନ୍ନାଥ ଜଗନ୍ନାଥ

ଚିତ୍ତରଂଜନ ଦାସ

ମୋର ପ୍ରଭୁ ଖିଳ ଜଗତଯାକର ପ୍ରଭୁ, ମୋ’ ଗୁରୁ ଜଗତଯାକର ଗୁରୁ, ମୋର ଆତ୍ମା ମଧ୍ୟ ସେହି ଉପଲବ୍ଧିଟି ଅନୁସାରେ ସର୍ବଭୂତାତ୍ମା, ସମଗ୍ର ଜଗତର ଆତ୍ମା। ଏଥରୁ ନିଷ୍ପନ୍ନ ହୋଇ ଆସୁଥିବା ସର୍ବପ୍ରଥମ କଥାଟି ହେଉଛି ଯେ, ମୁଁ ଯେତିକି ଯାଏ ଯାଇପାରୁଛି, ମୋର ପ୍ରଭୁଚେତନା, ଗୁରୁଚେତନା ଏବଂ ଆତ୍ମଚେତନା ମଧ୍ୟ ସେହି ଅନୁସାରେ ସେତିକି ଯାଏ ଯିବ; ମୁଁ ଯେଉଁଠି ଅଟକିବି, ସେଗୁଡ଼ିକ ମଧ୍ୟ ସେଇଠାରେ ଅଟକିବ ଏବଂ, ଅପର ପକ୍ଷରେ, ମୁଁ ଯେତିକି ଯାଏ ବିସ୍ତାର ଇଚ୍ଛା କରିବି, ସେଗୁଡ଼ିକ ମଧ୍ୟ ସେତିକି ବିସ୍ତାର ଲାଭ କରିବାରେ ଲାଗିଥିବେ। ଏହି କଥାଟିକୁ ତାହାର ପୂର୍ଣ୍ଣ ଅର୍ଥରେ ନିଜ ଚେତନାର ପ୍ରସ୍ଥଗୁଡ଼ିକୁ ପ୍ରସାରିତ କରିଦେଇ ଛୁଇଁବା ଲାଗି ସମର୍ଥ ହେଲେ ଜୀବନରେ ଏପରି ଏକ ଉତ୍ତରାଧିକାର ସତକୁ ସତ ମିଳିଯିବ, ଯାହାକି ଆମକୁ ଏକ ସତତ ଉନ୍ମୋଚନସମର୍ଥ ଅଧ୍ୟାତ୍ମ ମଧ୍ୟରେ ପରିପୂର୍ଣ୍ଣ ଅଭୟ ସହିତ ପରିଚାଳିତ କରି ନେଇ ଯାଉଥିବ। ଅଥଚ, ସାଧନାର କ୍ଷେତ୍ରଗୁଡ଼ିକରେ କ’ଣ ପାଇଁ କ’ଣ ବିଗିଡ଼ିଗଲା ଯେ, ପ୍ରଭୁମାନେ ଅଲଗା ହୋଇ ରହିଲେ, ଗୁରୁମାନେ ବଡ଼ କାମାତୁର ହେଲେ ଏବଂ ଭଳି ଭଳି ଉତ୍ତେଜନା ଭିତରେ ସମ୍ପ୍ରଦାୟମାନ ରଚନା କରି ପୃଥ୍ବୀ-ଆସ୍ପୃହାଟିର ମୂଳଭୂତ ପବିତ୍ରତାଗୁଡ଼ିକୁ ନଷ୍ଟ ହିଁ କରିଦେଲେ? ଯାହାର ଅଭୀପ୍ସା ସତକୁ ସତ କରାଯାଇ ଥାଆନ୍ତା, ତାହା କେବଳ ଶାସ୍ତ୍ରମାନଙ୍କରେ ରହିଗଲା? ଏବଂ, ସେହି ଶାସ୍ତ୍ରମାନଙ୍କୁ ଅକାଟ୍ୟ ବୋଲି ପ୍ରମାଣ କରିବା ସକାଶେ କ’ଣ କମ୍ ଦିଗ୍‌ବିଜୟର ପ୍ରଦର୍ଶନ ହେଲା?

ଯଦି ସତକୁ ସତ ଆମର ତଥାକଥିତ ଅଧ୍ୟାତ୍ମ-ଧାରଣାଗୁଡ଼ିକରେ ଜଗତ୍‌ପ୍ରଭୁ ବା ଜଗତନାଥ ବୋଲି କିଛି ସାରାଂଶ ଥାଆନ୍ତା, ତେବେ ଆମର ଏହି ନିକଟ ତଥା ଦୂର ଉଭୟ ପୃଥିବୀ ଏପରି ଅଲକ୍ଷଣା ହୋଇ କାହିଁକି ରହିଥା’ନ୍ତା, ଦୂରତାମାନେ କାହିଁକି ରାଜା ହୋଇ ବସିଥା’ନ୍ତେ, ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ମତବାଦ ଓ ପ୍ରତ୍ୟେକ ରାଷ୍ଟ୍ର ଆପଣାକୁ ଏକମାତ୍ର ସର୍ବଶୁଦ୍ଧ ବୋଲି ଗ୍ରହଣ କରି ଅନ୍ୟଗୁଡ଼ିକ ସହିତ ନାନା ଅବାଞ୍ଛିତ କଳହ ଭିତରେ ଲିପ୍ତ ହୋଇ ରହିଥା’ନ୍ତେ? ଏବେ ତ ସେହି ଉତ୍ସାହରେ ମନୁଷ୍ୟମାନେ ପରସ୍ପର ଆଡ଼କୁ ଖଣ୍ଡା ଉଞ୍ଚାଇବାକୁ ମନ ବି କଲେଣି, -ଏହି ପୃଥିବୀ ପଛକେ ନରହୁ, ମୁଁ ଅବଶ୍ୟ ରହିବି ବୋଲି ପ୍ରମତ୍ତ ହୋଇ କହିବାକୁ ବି ବାହାରିଲେଣି। ପ୍ରଭୁ ହେଉଛନ୍ତି କେବଳ ମୋର, ଏବଂ ତେଣୁ ସେ ଜଗନ୍ନାଥ; ଧର୍ମ ହେଉଛି କେବଳ ମୋର ବା ଆମର, ଏବଂ ତେଣୁ ତାହା ସଦ୍ଧର୍ମ, –ରାଜନୀତି ଭିତରେ କେବଳ ମୁଁ ବା ଆମେ ହେଉଛି ନିର୍ବାଚିତ ପୁଂଛାଗଳ ମାନଙ୍କର ପକ୍ଷଟି, ତେଣୁ ମୋତେ ଆଉ ସକଳେ କେବଳ ମୋତେ ହିଁ ସେହି ରୂପେ ସ୍ବୀକାର କରିବେ, -ସେହି ଦୌରାତ୍ମ୍ୟଟା ପୃଥିବୀରେ କ’ଣ ପାଇଁ ଏତେଗୁଡ଼ାଏ ଜାଗା ମାଡ଼ିବସିଛି କେଜାଣି? ବରଂ ମୁଁ ସିନା ଜଗନ୍ନାଥଙ୍କର ହୋଇ ଥାଆନ୍ତି, ଏହି ବୃହତ୍ ପୃଥିବୀଟି ସ୍ତରର ସତ୍ୟଚୟ ସିନା ମୋର ବୁଦ୍ଧି ଓ ମୋର ବିବେକଟିକୁ ମାର୍ଗମାନ ଯୋଗାଇଦେବ ଏବଂ ତା’ହେଲେ ଯାଇ ଏହି ପୃଥିବୀ ସୁସ୍ଥ ହୋଇ ସମସ୍ତଙ୍କୁ ସମୁଚିତ ଭାବରେ ବିବର୍ଜ୍ଜିତ କରି ନେଇ ପାରିବ । ସମ୍ପ୍ରତି ତ ଏପରି ଅଣଅକ୍ତିଆର ଭାବରେ କେଉଁଠି କ’ଣ ବିଗିଡ଼ି ଯାଇଛି ଯେ, ଜଗନ୍ନାଥ ଆମର ଏହି ପାଖ ଭୂଇଁଟାରେ ବିଗ୍ରହାକାର ହୋଇ ବସିଛନ୍ତି ବୋଲି ଆମେ ତାଙ୍କୁ ଆମର କହିବାରେ ବାଇ ହୋଇ ରହିଛୁ!

ଏବଂ, ଯେମିତି ମଳୁ, ଠିକ୍ ସେହିପରି ବୈଦ୍ୟମାନେ ଆସି ପହଞ୍ଚି ଯାଇଛନ୍ତି। ପୂର୍ବ ସନ୍ତର୍ପଣ ସହିତ ଆର କଥାଟିକୁ ମଧ୍ୟ କାହିଁକି କୁହାନଯିବ ଯେ ଠିକଣା ବୈଦ୍ୟମାନଙ୍କୁ ଠିକଣା ମଳୁମାନେ ଆସି ପହଞ୍ଚି ଯାଇଛନ୍ତି। ଅନୁରୂପ ଗୁରୁମାନଙ୍କୁ ଅନୁରୂପ ଅନୁଗାମୀ ଗୋଷ୍ଠୀ ମିଳି ଯାଇଛନ୍ତି ଓ ଅନୁରୂପ ଗୋଷ୍ଠୀମାନଙ୍କୁ ଅନୁରୂପ ଗୁରୁ ବି ମିଳି ଯାଇଛନ୍ତି। ଜଗନ୍ନାଥ ମୋଟେ ଦିଶୁ ବି ନାହାନ୍ତି। ବେଢ଼ାଟି ଭିତରେ ଯେଉଁ ଅର୍ଥାର୍ଥୀମାନେ ଆସି ଭିଡ଼ କରିଛନ୍ତି, ସେମାନେ ସ୍ବଜୀବନରେ ଆଦୌ କେବେହେଲେ ବି ଜଣେ ଗୁରୁଙ୍କୁ ଲୋଡ଼ିଛନ୍ତି କି? ଏବଂ, ଜଣେ ଗୁରୁ ପାଇବା ତ ଆହୁରି ଅଧିକ ଗହନର ହିଁ କଥା। ସେମାନଙ୍କ ସକାଶେ କୌଣସି ଜଗତ୍ ହିଁ ନାହିଁ, ତେଣୁ ଜଗଦ୍‌ଗୁରୁଙ୍କ ଯାଏ ଏମାନଙ୍କର ଆଖି ପାଇଥା’ନ୍ତା ମଧ୍ୟ କିପରି? ତେଣୁ, କୋଳାହଳମାନେ ଜମିବାରେ ଲାଗିଛନ୍ତି, -ପୁରୁଣା କଳେବରଟା ବିଧି ଅନୁସାରେ ନୂଆ ହେଉଛନ୍ତି ସିନା, -ଅସଲ ଶୋଷ ହୁଏତ ଗୋଟିଏ ବୋଲି ନାହିଁ। ନିଜର ଛାତି ତଳେ ପରମବନ୍ଧୁ ରୂପେ ଅପେକ୍ଷା କରି ରହିଥିବା ଜଗନ୍ନାଥ ଶୁଖି ଶୁଖି ଯାଉଛନ୍ତି।

ଏବେ ତ ସେହିପରି ଏକ ଜାଗରଣର ପ୍ରତୀକ୍ଷା ରହିଛି, ଯାହାକି ଆତ୍ମାକୁ ପ୍ରକୃତରେ ସର୍ବଭୂତାତ୍ମାର ଉପଲବ୍ଧି ନିମନ୍ତେ ଯୋଗ୍ୟ କରାଇ ଆଣିବ। ସେତେବେଳେ ଏହି ଗୋଟିଏ ଦାଣ୍ଡକୁ ବଡ଼ଦାଣ୍ଡ ବୋଲି କହି ମନୁଷ୍ୟମାନେ କଦାପି ଆପଣାକୁ ବୋଧ ଦେଇ ପାରିବେନାହିଁ, -ମୁର୍ଦ୍ଦାର ହୋଇ ଆସୁଥିବା ସେହି ଦ୍ବାରଟିକୁ ଆଉ କ’ଣ ପାଇଁ ସ୍ବର୍ଗଦ୍ବାର ବୋଲି କହିବାକୁ ମନ କରିବେ? ଯେଉଁଠାରେ ଯେତେ ସ୍ଥାନୀୟ ହୋଇ ରହିଥିଲେ ମଧ୍ୟ ଚେତନାର ଗବାକ୍ଷଟିକୁ ଖୋଲିଦେବା ମାତ୍ରକେ ସମଗ୍ର ପୃଥିବୀକୁ ଦେଖିବା ଲାଗି ସମର୍ଥ ହେବେ। ବାହ୍ୟ ଜୀବନର ସକଳ ବୈଚିତ୍ର୍ୟ ଅବଶ୍ୟ ଥିବ, ମାତ୍ର ନିକଟ ଓ ଦୂର ସମସ୍ତଙ୍କ ପାଇଁ ପତର ପଡ଼ିପାରିବ, ସମସ୍ତଙ୍କ ନିମନ୍ତେ ଅନ୍ନ ରନ୍ଧା ହେଉଥିବ । ସେହି ଆନନ୍ଦବଜାରକୁ ଆମେ ବର୍ତ୍ତମାନର ଆନନ୍ଦବଜାର ସହିତ ତୁଳନା ହିଁ କରି ପାରିବାନାହିଁ । କିନ୍ତୁ ଗୋଟିଏ କଥା ବର୍ତ୍ତମାନଠାରୁ ନିଶ୍ଚୟ ଜାଣିରଖିବା ଯେ, ସେ ଜଗନ୍ନାଥଙ୍କ ଭିତରେ ମନ୍ନାଥ ମଧ୍ୟ ଅଲବତ ଥିବେ ଏବଂ ଉଭୟଙ୍କୁ ଏକତ୍ର ପ୍ରତ୍ୟକ୍ଷ ତଥା ନିଜସ୍ବ କରି ପାରିବା ସକାଶେ ଏକ ସ୍ବାଭାବିକ ଅନୁକମ୍ପାର ଆଶୀର୍ବାଦ ହେତୁ ଆମର ଆଖିମାନେ ମଧ୍ୟ ସେତେବେଳେ ଖୁବ୍ ସାହସ କରି ପାରିବେ । ଅନୁରୂପ ମୁହୂର୍ତ୍ତଟିଏ ଆସି ପହଞ୍ଚି ଯାଇଥିବାରୁ ଅନୁରୂପ ଗୁରୁମାନେ ମଧ୍ୟ ଆମ ଲାଗି ଆଦୌ ଅଭାବ ହେବେନାହିଁ । ସେହି ଗୁରୁଙ୍କୁ ଆମେ ଭିତରେ ତଥା ବାହାରେ ଉଭୟତ୍ର ଦେଖି ପାରୁଥିବା।

ସମ୍ବନ୍ଧିତ ଖବର