ରଥଯାତ୍ରା ବିଶେଷ : ଦୟଣା ଓ କେତକୀ

ଈଶ୍ୱରଙ୍କର କରୁଣାର ଅନ୍ତ ନଥିବା ପରି ଦୟଣାର ସୁବାସର ମଧ୍ୟ ଶେଷ ନାହିଁ!

ସୁରେନ୍ଦ୍ର ମହାନ୍ତି (୧୯୨୨-୧୯୯୦)

“ଶ୍ରୀଭୁଜେ ଦୟଣା କେରି କେରି, ଆହେ ନୀଳଗିରି…” ଜଗନ୍ନାଥଙ୍କର ଏହିପରି ଅନେକ ଜଣାଣ ଓ ଭଜନ, ପୁଣି କେତେକ ମଧ୍ୟଯୁଗର ଓଡ଼ିଆ କାବ୍ୟରେ ଦୟଣାର ଉଲ୍ଳେଖ ଦେଖି ମୋ’ ମନରେ ଗୋଟାଏ ବଦ୍ଧମୂଳ ଧାରଣା ଜନ୍ମିଥିଲା ଯେ ଗୋଟିଏ ଫୁଲର ନାମ ଦୟଣା ଓ ତାହା ଜଗନ୍ନାଥଙ୍କର ଅତି ପ୍ରିୟ। ପୁଣି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ଦୟଣା-ଚୋରି ନାମରେ ପ୍ରତିବର୍ଷ ଗୋଟିଏ ଯାତ୍ରା ବା ଉତ୍ସବ ହୁଏ। ଏହି ଯାତ୍ରାର ବିଧି ହେଲା, ସେଦିନ ନିର୍ଗୁଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ବା ଲୀଳାବିଗ୍ରହ ମଦନମୋହନ ଗୋଟିଏ ପାଲିଙ୍କିରେ ଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଆସନ୍ତି। ସେଠାରୁ ଦୟଣାଫୁଲ ଚୋରି କରି ଜଗନ୍ନାଥଙ୍କଠାରେ ତାହାକୁ ଅର୍ପଣ କରନ୍ତି। ଶୂନ୍ୟରୂପୀ ନିର୍ଗୁଣ ଜଗନ୍ନାଥଙ୍କର ଏହିପରି ବହୁ ସଗୁଣ ଚପଳତାର ଅସ୍ତ୍ର ହେଉଛନ୍ତି ମଦନମୋହନ। ଦୟଣା ଚୋରି ମଧ୍ୟରେ ଜଗନ୍ନାଥ ଆଉ ଗାଁ ଗହଳର ସେଇ ଦୁଷ୍ଟ, ଅମାନିଆ ପିଲାଟି ଭିତରେ କୌଣସି ତଫାତ୍‍ ରହେନା- ଯିଏ ଅନ୍ୟର ବାଡ଼ ଡେଇଁ ବଗିଚାରୁ ଫୁଲ, ଫଳ ଚୋରାଇ ନିଏ। ଯାହାହେଉ ଏଥିରୁ ମୁଁ ବୁଝିଥିଲି ଦୟଣା ସର୍ବତ୍ର ସୁଲଭ ନୁହେଁ। ଏହା କେବଳ ମିଳିଥାଏ ଜଗନ୍ନାଥବଲ୍ଲଭ ଫୁଲ ବଗିଚାରେ। କିନ୍ତୁ ଦୟଣା ଫୁଲଟିର ଚେହେରା ମୁଁ କେବେ ଦେଖି ନଥିଲି; ଯଦ୍ୟପି ଏ ଜଗନ୍ନାଥଙ୍କର ନିତ୍ୟ ଲାଗି ଫୁଲ ବୋଲି, ମୁଁ ମନେ ମନେ ଧରି ନେଇଥିଲି। କେବେ ସମୟ ସୁଯୋଗ ମିଳିଲେ ଜଗନ୍ନାଥବଲ୍ଲଭ ମଠକୁ ଯାଇ ଦୟଣା ଫୁଲ ଦେଖିବି ବୋଲି ମନେମନେ ମୋର ଗୋଟାଏ ବାସନା ରହିଥିଲା। କିନ୍ତୁ କ୍ରମେ ପୁରୀ ମୋ’ ପକ୍ଷରେ ବହୁ ଦୂର ହୋଇଉଠିଲା। ସେ ବାସନା ତୃପ୍ତ ହେବାର ସମ୍ଭାବନା ପୁଣି ଆହୁରି ସୁଦୃଢ଼ ହୋଇଉଠିଲା। ଦୟଣା ପାଇଁ ମନ ଏହିପରି ବ୍ୟାକୁଳ ଥିବାବେଳେ ମୋର ଜଣେ ଆତ୍ମୀୟା ହଠାତ୍‍ ମୋତେ ଆସି କହିଲେ, ସେ ପୁରୀ ଯାଉଛନ୍ତି ଓ ପଚାରିଲେ, ପୁରୀରୁ ମୋ’ ପାଇଁ କ’ଣ ଆଣିବେ? ମୁଁ ତାଙ୍କୁ କହିଲି, “ମୋ’ ପାଇଁ ଦୟଣା ଫୁଲ” ଆଣିବା ପାଇଁ। ଦୟଣା ସେ ପ୍ରଥମଥର ପାଇଁ ମୋ’ ପାଖରୁ ଶୁଣିଲେ କି କ’ଣ ମୋତେ ପଚାରିଲେ, “ପୁରୀରେ ସେ ଦୟଣା କେଉଁଠି ପାଇବେ?” ସବ୍‍ଜାନତା ପରି ମୁଁ କହିଲି, “ଜଗନ୍ନାଥଙ୍କର ଛଡ଼ାମାଳରେ ଦୟଣା ନିଶ୍ଚୟ ରହିଥିବ, ନୋହିଲେ ଜଗନ୍ନାଥବଲ୍ଲଭ ମଠ ବଗିଚାକୁ ଗଲେ ସେଠି ପ୍ରଚୁର ଦୟଣା ଫୁଲ ପାଇପାରିବ।” ଆତ୍ମୀୟା ସେଥର ଅନେକ ରାତିରେ ପୁରୀରୁ ଫେରି ଯାହା ମୋତେ ଜଣାଇଲେ, “ମନ୍ଦିରରେ କିମ୍ବା ଜଗନ୍ନାଥବଲ୍ଲଭ ମଠ ବଗିଚାରେ କେଉଁଠି ହେଲେ ଦୟଣା ନାହିଁ।”
ତାଙ୍କ କଥା ଶୁଣି, ମୋର ବିସ୍ମୟର ଅନ୍ତ ରହିଲାନାହିଁ। ଜଗନ୍ନାଥଙ୍କର ଜଣାଣ, ଭଜନ ଓ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟମାନଙ୍କରେ ଯେଉଁ ଦୟଣାର ଏତେ ପ୍ରଶସ୍ତି, ତାହା କିପରି ପୁରୀରେ ମିଳିଲା ନାହିଁ, ଜାଣି ମୁଁ ବିସ୍ମିତ ହୋଇଉଠିଲି। ଯଦି ପୁରୀରେ ଦୟଣା ନାହିଁ, ତା’ହେଲେ ପୁରୀକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ମଧ୍ୟଯୁଗୀୟ ସାହିତ୍ୟରେ ଏତେ ଦୟଣା ଆସିଲା କିପରି ଓ କେଉଁଠୁ?
ଆତ୍ମୀୟା ମୋର ବିସ୍ମୟକୁ ଆହୁରି ବଢ଼ାଇ ଦେଇ କହିଲେ, “ମୁଁ ସେବକମାନଙ୍କୁ ପଚାରି ବୁଝିଲି, ଦୟଣା ଫୁଲ ନୁହେଁ, ତାହା ଏକ ସୁଗନ୍ଧ ପତ୍ର। ଏହାକୁ ଦୟଣା-ତୁଳସୀ ବୋଲି ସେମାନେ କହନ୍ତି। ଇଏ ପୁରୀରେ ନାହିଁ କିମ୍ବା ଓଡ଼ିଶାରେ ସୁଦ୍ଧା ନାହିଁ।
“ତା’ହେଲେ ?”
ଆତ୍ମୀୟା ଉତ୍ତର ଦେଲେ, “ପ୍ରତିବର୍ଷ ଦୟଣାଚୋରି ଉତ୍ସବ ବେଳେ ଟେମ୍ପଲ୍‍ ଆଡ଼୍‍ମିନିଷ୍ଟ୍ରେସନ୍‍ ମାନ୍ଦ୍ରାଜରୁ ଦୟଣା ମଗାଇ ଥାଆନ୍ତି। ଏଥିପାଇଁ କୁଆଡ଼େ ଚାରି, ପାଞ୍ଚ ହଜାର ଟଙ୍କା ମୂଲ୍ୟ ଦେବାକୁ ପଡ଼େ। ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନମୋହନ କାହିଁକି ଜଗନ୍ନାଥ ବଲ୍ଲଭ ମଠ ବଗିଚାକୁ ଯାଇ ସେଠାରୁ ଦୟଣା ଚୋରିକରି ଆଣି ଜଗନ୍ନାଥଙ୍କୁ ଭେଟି ଦିଅନ୍ତି, ଏବେ ତାହାର ରହସ୍ୟ ବୁଝିଲି। କିନ୍ତୁ ମୋର ମନ ମାନିଲା ନାହିଁ। ଦୟଣା ଯଦି ଓଡ଼ିଶା ମାଟିରେ ଜନ୍ମୁ ନଥିବ, ତା’ହେଲେ ପାରମ୍ପରିକ କାଳରୁ ଜଗନ୍ନାଥଙ୍କ ସେବାରେ ଏହାର ବ୍ୟବହାର ହେଉଥାଆନ୍ତା କିପରି? ହୁଏତ ଦିନେ ଏ ମାଟିରେ ଦୟଣା ହେଉଥିଲା। ହୁଏତ ହେଉଥିଲା ପ୍ରଚୁର। କିନ୍ତୁ ଏବେ ଆମର ଅକାମୀପଣିଆରୁ ଦୟଣା ଆଉ ଜନ୍ମୁ ନାହିଁ।
ଏଥିରେ ଦୁଃଖିତ ହେବା ପାଇଁ ଅନେକ କାରଣ ଥିଲେ ହେଁ ବିସ୍ମିତ ହେବା ପାଇଁ କୌଣସି କାରଣ ନାହିଁ ବୋଲି ମୋତେ ଲାଗିଲା। ଓଡ଼ିଆ ଜାତିର ସ୍ୱାଭିମାନ ସଂପର୍କରେ ଗଳଦ୍‍ଘର୍ମ ହୋଇ ଭାଷଣ ଦେଉଥିବା ନେତାମାନଙ୍କ ପାଇଁ ଫୁଲମାଳ, ଏପରିକି ଗେଣ୍ଡୁ ଫୁଲ ମାଳ ସୁଦ୍ଧା ଏବେ ଆସୁଛି କଲିକତାରୁ। ଗେଣ୍ଡୁଫୁଲ ସବୁ ବୋଧେ ଆଉ ଆମ ବାଡ଼ି ବଗିଚାରେ ଫୁଟୁ ନାହାନ୍ତି। ସେଥିପାଇଁ କଲିକତାରୁ ପ୍ରଚୁର ଆମଦାନି ହେଉଛି ଅର୍‍କିଡ଼୍‍ ସାଙ୍ଗକୁ ଗେଣ୍ଡୁଫୁଲ। ସେହି ନ୍ୟାୟରେ ଦୟଣା ଓଡ଼ିଶାରେ ଆଉ ଜନ୍ମୁ ନଥିବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?
ଦୟଣା ସାଙ୍ଗକୁ ଜଗନ୍ନାଥଙ୍କର ଅନ୍ୟ ପ୍ରିୟ ଫୁଲ କେତକୀ ମଧ୍ୟ ଏବେ ଦୁଷ୍ପ୍ରାପ୍ୟ ହୋଇଉଠିଲାଣି। କପିଳେଶ୍ୱରପୁର ଶାସନର ଐତିହାସିକ କେତକୀ ବନକୁ କେହି ଜାଳିପୋଡ଼ିଦେଲେ- ବୋଧହୁଏ ବାଡ଼ିବଗିଚା କଳିରୁ। କିନ୍ତୁ ଏହି କେତକୀ ବନର କେତକୀ ଫୁଲରେ କେବଳ ରଥଯାତ୍ରା ପହଣ୍ଡି ବେଳେ ଜଗନ୍ନାଥଙ୍କର ଟାହିଆ ତିଆରି ହୋଇଥାଏ। ମାତ୍ର କପିଳେଶ୍ୱରପୁର କାଳିଆ ଗୋପୀନାଥଙ୍କର କେତକୀ ବଣ ପୋଡ଼ିଯିବା ପରେ, ଜଗନ୍ନାଥଙ୍କର ଟାହିଆ ପାଇଁ ଏଣିକି କେତକୀ କେଉଁଠାରୁ ଆମଦାନି କରାଯିବ, ସେଇ କଥା କେବଳ ଭାବୁଛି!

ପୁନଶ୍ଚ ଦୟଣା:
ମଣିଷର ଅଜ୍ଞତାର ତ ଶେଷ ନାହିଁ! ଏହିପରି ଏକ ଅଜ୍ଞତାର ବଶବର୍ତ୍ତୀ ହୋଇ ମୁଁ ଗତ ୧୯୮୮ ଏପ୍ରିଲ୍‍ ୨୪ ତାରିଖ ‘ସମ୍ବାଦ’ ସାହିତ୍ୟ ପୃଷ୍ଠାର ‘ଶେଷସ୍ତମ୍ଭ’ରେ ‘ଦୟଣା ଓ କେତକୀ’ ଶୀର୍ଷକ ଲେଖାରେ ଲେଖିଥିଲି, ଓଡ଼ିଶାରେ ଦୟଣା ବୋଧହୁଏ ମିଳେ ନାହିଁ। କେଜାଣି କାହିଁକି, ସେଦିନ ହଠାତ୍‍ ଦୟଣା ପାଇଁ ମୋ’ ମନରେ ଜାଗିଥିଲା ଅହେତୁକ ବ୍ୟାକୁଳତା। ସେଦିନ ବୈଶାଖର ରୌଦ୍ରଦଗ୍ଧ ମଧ୍ୟାହ୍ନ ପରେ, ଆକାଶରେ ହଠାତ୍‍ ଦେଖାଦେଇଥିଲା ଘନ ମେଘାଡ଼ମ୍ବର। କେତେଟି ବଳାକା ସୁଦ୍ଧା କଳାମେଘର ପୃଷ୍ଠଭୂମିରେ ଉଡ଼ିଯାଉଥିଲେ। ଖୋଲା ଝରକା ବାଟେ ଅଦିନ ମେଘର ସେହି ଆଡ଼ମ୍ବର ଦେଖୁଛି, ହଠାତ୍‍ ମୋର ଜଣେ ତରୁଣ ଆତ୍ମୀୟ ଭୁବନେଶ୍ୱରରୁ ଫେରି ମୋତେ ଛୋଟ ଦୟଣାପତ୍ର କେତେଟା ଧରେଇଦେଇ କହିଲେ, “ଏଇ ନିଅନ୍ତୁ ଦୟଣା। ଭୁବନେଶ୍ୱରରୁ ଆଣିଲି।”
ସେଦିନ ତାଙ୍କର ଭୁବନେଶ୍ୱର ଯିବା ଥିଲା ସଂପୂର୍ଣ୍ଣ ଅପ୍ରତ୍ୟାଶିତ। ପୁଣି ନିତାନ୍ତ ଆକସ୍ମିକ ଭାବରେ ସେଦିନ ଭୁବନେଶ୍ୱରରେ ମୋର କନ୍ୟା ପରି ଜଣେ ମହିଳା ଆୟୁଷ୍ମତୀ ଶ୍ରୀମତୀ ଆଶାଲତା ପାଣିଙ୍କ ଘରକୁ କାହିଁକି ଯେ ସେ ଯାଇଥିଲେ ତାହାର ମଧ୍ୟ ସେ କୌଣସି କାରଣ ଦେଇପାରିଲେ ନାହିଁ। ସେଦିନ ସକାଳର ‘ଶେଷସ୍ତମ୍ଭ’ରେ ଆଶାଲତା ମଧ୍ୟ ‘ଦୟଣା ଓ କେତକୀ’ ସେ ପର୍ଯ୍ୟନ୍ତ ପଢ଼ି ନଥିବା ପରେ ମୋତେ କହିଥିଲେ। ତଥାପି ନିତାନ୍ତ ଆକସ୍ମିକ ଭାବରେ ମୋର ଆତ୍ମୀୟଙ୍କୁ ଦୟଣାପତ୍ର କେତୋଟି ନିଜ ବାଡ଼ିରୁ ତୋଳି ସେ ମୋ’ ପାଇଁ ତାଙ୍କ ହାତରେ ପଠାଇ ଦେଇଥିଲେ।
ଦୟଣାର ସ୍ୱର୍ଗୀୟ ଅପାର୍ଥିବ ସୁବାସରେ ସେଦିନ ବର୍ଷାଭିଜା ସନ୍ଧ୍ୟାଟି ପୁଲକିତ ହୋଇଉଠିଥିଲା। ରୌଦ୍ର ସନ୍ତାପିତ ମାଟି ଉପରେ କରୁଣାର ବାରିଧାରା ପରି, ତା’ପରେ ଝରି ପଡ଼ିଥିଲା ଶୀତଳ ବର୍ଷାଧାରା। ସମଗ୍ର ବ୍ୟାପାରଟି ମୋତେ ଭାରି ରହସ୍ୟମୟ ଲାଗୁଥିଲା। ମୁଁ ଅନୁଭବ କଲି, ମୁଁ କ୍ରମେ କିପରି ଧୀରେ ଧୀରେ ମୋର ଅଲକ୍ଷିତରେ ରହସ୍ୟବାଦୀ ହୋଇପଡ଼ୁଛି।
ଏହା ପରେ ସୋନପୁରରୁ ଶେଷସ୍ତମ୍ଭର ଜଣେ ପାଠକ ଶ୍ରୀ ମାନଭଞ୍ଜନ ମିଶ୍ର ଦୟଣା ସଂପର୍କରେ ମୋର ବ୍ୟାକୁଳତା ଲକ୍ଷ୍ୟକରି ଏକ ପତ୍ର ଲେଖି ପଠାଇଲେ, “ପଶ୍ଚିମ ଓଡ଼ିଶା ବିଶେଷତଃ ବୌଦ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି ଅଞ୍ଚଳରେ ଦୟଣାଗଛ ବିଶେଷ ପରିମାଣରେ ଜନ୍ମିଥାଏ। ଏହାକୁ ସ୍ଥାନୀୟ ଲୋକେ ‘ଦହନା’ ବା ‘ତହନା’ ବୋଲି କହିଥାନ୍ତି। ଏହା ତୁଳସୀ ଗଛ ପରି ଛୋଟ ହୋଇ ବଢ଼େ ଓ ତୁଳସୀ ପରି ଏଥିରେ ଜଟ ମଧ୍ୟ ଥାଏ। ଏହାର ପତ୍ର ଖୁବ୍‍ ସୁଗନ୍ଧଯୁକ୍ତ। ଏଣୁ ଉଭୟ ଦେବୀ ଓ ଦେବତାଙ୍କ ପାଖରେ ଏହାର ପତ୍ର ମାଳା କରି ଦିଆଯାଏ। ଏହା ଦଶହରା ବେଳେ ଦୁର୍ଗାଦେବୀଙ୍କୁ ଓ ରଥଯାତ୍ରାବେଳେ ଜଗନ୍ନାଥଙ୍କୁ ବିଶେଷ ଭାବେ ଦିଆଯାଏ। ଏହାର ପତ୍ର ସୁବାସଯୁକ୍ତ ହୋଇଥିବାରୁ ଲୋକମାନେ ଖୋସାରେ ଏହାକୁ ଲଗାନ୍ତି। ‘ସମ୍ବାଦ’ର ‘ଶେଷସ୍ତମ୍ଭ’ ଲେଖାରେ ଦୟଣା ପ୍ରତି ଜନ୍ମିଥିବା ଆପଣଙ୍କ କୌତୂହଳ ଓ ଉତ୍ସୁକତାର ଉପଶମ ପାଇଁ ଏଥି ସହିତ ଛୋଟ ଦୟଣା ଡାଳ ଖଣ୍ଡିଏ ପଠାଇଲି।”
ଏହାପରେ ଭୁବନେଶ୍ୱରରୁ ଜଣେ ପାଠିକା ଆୟୁଷ୍ମତୀ ଗୀତାଞ୍ଜଳି ପାଣି ପୁରୀରେ ଦୟଣାର ସୁଲଭତା ସଂପର୍କରେ ଲେଖି ପଠାଇଲେ। “ଦୟଣା ପୁରୀରେ ଏବଂ ଓଡ଼ିଶାରେ ନାହିଁ ବୋଲି କହିବା ଠିକ୍‍ ନୁହେଁ। କାରଣ ପୁରୀର ବାଲିମଠରେ ପ୍ରଚୁର ପରିମାଣରେ ଦୟଣା ରହିଛି। ପୁରୀର ତାଳବଣିଆଠାରୁ କିଛିବାଟ ଆଗକୁ ଗଲେ ଏହି ମଠ ପଡ଼େ।”
ଅଜ୍ଞତା ହେଉଛି, ସବୁ ଜ୍ଞାନର ଜନନୀ। ମୋ’ ପାଇଁ ଏହି ଘଟଣାରେ ଅନ୍ତତଃ ତାହା ପ୍ରମାଣିତ ହୋଇଗଲା। ଯେଉଁମାନେ ମୋର ଏ ଅଜ୍ଞତା ଦୂର କଲେ ଜଗନ୍ନାଥ ସେମାନଙ୍କର ସର୍ବବିଧ କଲ୍ୟାଣ କରନ୍ତୁ!
ମୋର ରିକ୍ତ ଶୂନ୍ୟ ପରିବେଶ ଏବେ ଦୟଣାର ଅପାର୍ଥିବ ସୁବାସରେ ନିତ୍ୟ ସୁରଭିତ। ପତ୍ର ସବୁ ଅବଶ୍ୟ ଶୁଖି କ୍ରମେ ଖଣ୍ଡଖଣ୍ଡ ହୋଇ ଝରିପଡ଼ିଲାଣି; ମାତ୍ର ତାହାର ସୌରଭର ଅବଶେଷ ତଥାପି ନିଭିନାହିଁ। ଈଶ୍ୱରଙ୍କର କରୁଣାର ଅନ୍ତ ନଥିବା ପରି ଦୟଣାର ସୁବାସର ମଧ୍ୟ ଶେଷ ନାହିଁ!

(ଲେଖକଙ୍କ ‘ଶେଷସ୍ତମ୍ଭ’ ପୁସ୍ତକରୁ)

ସମ୍ବନ୍ଧିତ ଖବର