‘ଧାରା ୩୭୦’ ଓ ‘୩୫ଏ’ ଶୀର୍ଷକରେ ଚଳଚ୍ଚିତ୍ର ବନାଇବାକୁ ଧାଡ଼ିରେ ପ୍ରଯୋଜକ, ୫୦ରୁ ଅଧିକ ନାମ ପଞ୍ଜିକରଣ ହୋଇ ସାରିଲାଣି

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ଭଳି ଏବେ ବଲିଉଡ୍‌ ପ୍ରଯୋଜକମାନଙ୍କ ଦୃଷ୍ଟି ଧାରା ୩୭୦ ଉପରେ। ପୁଲଓ୍ଵାମା ଆକ୍ରମଣ ପରେ ପୁଲଓ୍ଵାମା ଶୀର୍ଷକରେ ଚଳଚ୍ଚିତ୍ର କରିବାକୁ ବହୁ ପ୍ରଯୋଜକ ଧାଡ଼ି ଲଗାଇଥିବା ବେଳେ ଏବେ ଧାରା ୩୭୦ ଓ ଧାରା ୩୫ଏ ଶୀର୍ଷକରେ ଫିଲ୍ମ କରିବା ପାଇଁ ନାମ ପଞ୍ଜିକରଣ ଆରମ୍ଭ କରି ଦେଲେଣି ପ୍ରଯୋଜକମାନେ।

କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ନେଇ ସାରା ଦେଶ ଉତ୍ସବମୁଖର। ତେବେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ଦୁଇ ଦିନ ଭିତରେ ପ୍ରାୟ ୫୦ଟି ଚଳଚ୍ଚିତ୍ରର ନାମ ଧାରା ୩୭୦କୁ ନେଇ ପଞ୍ଜିକୃତ ହୋଇ ସାରିଲାଣି।

ନିକଟ ଅତୀତରେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍ଟିକିଲ୍‌ ୧୫’ ସଫଳତା ଅର୍ଜନ କରିବା ପରେ ଏବେ ‘ଆର୍ଟିକିଲ୍‌ ୩୭୦’ ଓ ‘ଆର୍ଟିକିଲ୍‌ ୩୫ଏ’ ଉପରେ ନିର୍ଦ୍ଦେଶକଙ୍କ ନଜର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ର ପ୍ରଯୋଜକ ଆନନ୍ଦ ପଣ୍ଡିତ୍‌ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ‘ମୁଁ ଏହା ମୋ ଚଳଚ୍ଚିତ୍ରରେ ପ୍ରଦର୍ଶନ କରିବାକୁ ଚାହୁଁଥିଲି ଯେ କାହିଁକି ଗୋଟାଏ ରାଜ୍ୟକୁ ଏତେ ସୁବିଧା ପ୍ରଦାନ କରାଯାଇଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ପଦକ୍ଷେପ ପରେ ମୁଁ ମୋ ଚଳଚ୍ଚିତ୍ରର ଶେଷ ପାଇଗଲି। ଇତିହାସ ଆଧାରରେ କରାଯାଉଥିବା ଚଳଚ୍ଚିତ୍ରଟି ଏବେ ଏକ ଐତିହାସିକ ଚଳଚ୍ଚିତ୍ର ପାଲଟିଯିବ।’

ସମ୍ବନ୍ଧିତ ଖବର