ଜମ୍ମୁ- କଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍‌ର ମାଷ୍ଟର ମାଇଣ୍ଡ ଅଜିତ ଡୋଭାଲ୍‌: ପାକିସ୍ତାନ ଆଖିରୁ ହଜିଲା ନିଦ; ବଢ଼ିଲା ହୃତସ୍ପନ୍ଦନ

ସୋପିଆନ୍‌/ ଶ୍ରୀନଗର: ଏକ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଘଟଣାକ୍ରମରେ ମୋଦି ସରକାର ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଦେବା ପରେ ପଡ଼ୋଶୀ ପାକିସ୍ତାନ ସହ ଭାରତର ସଂପର୍କ ତିକ୍ତ ଓ ଉଗ୍ର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦୁଇ ପାଦ ଆଗେଇ ଯାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗତକାଲି (ମଙ୍ଗଳବାର) ‘ଏପ୍ରକାର ନିଷ୍ପତ୍ତି ପାଇଁ ଭାରତକୁ ଭବିଷ୍ୟତରେ ଆହୁରି ବହୁ ପୁଲଓ୍ଵାମା ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିବ’ ବୋଲି କହି ଭାରତକୁ ପରୋକ୍ଷରେ ଚେତାବନୀ ଦେବା ପରେ ପରେ ପାକ୍‌ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜଓ୍ଵା କହିଥିଲେ, ‘ଏ ନିଷ୍ପତ୍ତି ବିରୋଧରେ ଆମେ କଶ୍ମୀର ବାସୀଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛୁ।’

ତେବେ, ପାକ୍‌ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ଏ ବିବୃତି ଗଣମାଧ୍ୟମରେ ପ୍ରକାଶ ପାଇବାର ଘଣ୍ଟାକ ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଗତକାଲି ସନ୍ଧ୍ୟାରୁ ଜମ୍ମୁ- କଶ୍ମୀର ଗସ୍ତରେ ଯାଇ ସେଠାରେ ଡେରା ପକାଇବା ଘଟଣା ପାକିସ୍ତାନ ଆଖିରୁ ନିଦକୁ ହଜାଇ ଦେବା ସହ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଛି। ଖାଲି ଏତିକି ନୁହେଁ ଏବେ ସମଗ୍ର ବିଶ୍ୱର ନଜର ଏବେ ଡୋଭାଲଙ୍କ କଶ୍ମୀର ଗସ୍ତ ଉପରେ ହିଁ କେନ୍ଦ୍ରଭୂତ ହୋଇ ରହିଛି। କାରଣ, ପାକିସ୍ତାନ ବିରୋଧରେ ଭାରତ ପୂର୍ବରୁ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ମାଷ୍ଟର ମାଇଣ୍ଡ ଓ ସଫଳ ବିନ୍ଦାଣୀ ହେଉଛନ୍ତି ଅଜିତ୍‌ ଡୋଭାଲ୍‌। ଖାଲି ଏତିକି ନୁହେଁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ଗୁପ୍ତଚର ଭାବେ ପାକିସ୍ତାନରେ ଦୀର୍ଘ ୭ ବର୍ଷର ରହଣି କାଳରେ ସେ ପାକିସ୍ତାନ ସେନା ବାହିନୀରେ ମଧ୍ୟ ନିଜକୁ ସାମିଲ କରାଇବାରେ ସମର୍ଥ ହୋଇଥିଲେ। ତେଣୁ, ପାକ୍‌ ସେନାର ସମସ୍ତ ଚାଲ ବାବଦରେ ସେ ବେଶ ଭଲ ରୂପେ ପରିଚିତ।

ଗତକାଲି ସନ୍ଧ୍ୟାରେ ଜମ୍ମୁ- କଶ୍ମୀରରେ ପହଞ୍ଚିବା ପରେ ରାଜଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସୁରକ୍ଷା ବୈଠକରେ ଜମ୍ମୁ- କଶ୍ମୀରର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ଗୁଇନ୍ଦା ବିଭାଗରୁ ଆସିଥିବା ସମସ୍ତ ରିପୋର୍ଟକୁ ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲେ ଡୋଭାଲ୍‌।

ଆଜି (ବୁଧବାର) ସକାଳୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ ସୀମାନ୍ତ ଅଞ୍ଚଳ ଓ ନିୟନ୍ତ୍ରଣ ରେଖା ଅଞ୍ଚଳକୁ ଗସ୍ତକରି ସେଠାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖାଲି ଏତିକି ନୁହେଁ, ଶ୍ରୀନଗରରେ ଆତଙ୍କବାଦୀମାନଙ୍କର ଏନ୍ତୁଡ଼ିଶାଳ ରୂପେ ବିବେଚିତ ହେଉଥିବା ଦକ୍ଷିଣ କଶ୍ମୀରର ସୋପିଆନ ଗସ୍ତକରି ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର