ତ୍ରିକୋଣୀୟ ପ୍ରେମ କାହାଣୀ ‘ଧୋକା-ଦ ଗେମ୍‌ ଅଫ୍‌ ଲଭ୍‌’

ନାମରୁ ଜଣାପଡୁଛି ନିଶ୍ଚିତ ଭାବରେ କେହି ଜଣେ କାହାକୁ ‘ଧୋକା’ ଦେଉଛି। ହେଲେ, କିଏ କାହାକୁ ଧୋକା ଦେଉଛି? ନାୟକ ନାୟିକାକୁ ନା ନାୟିକା ନାୟକକୁ? ଧୋକା ଦେବା ପଛର କାରଣ କ’ଣ ହୋଇପାରେ? କାରଣ ନାୟକ ନିଜର ସାଥୀକୁ ସମସ୍ତ ଅସୁବିଧାରୁ ବଞ୍ଚେଇବାକୁ ଯାଇ ନିଜେ ପହଞ୍ଚୁଛି ଜେଲ୍‌ରେ, ପୁଣି ଜେଲ୍‌ରୁ ବାହାରି ଓଡ଼ିଶାର ଗୋଟେ ବହୁତ ବଡ଼ ପ୍ରତିଷ୍ଠାନର ମାଲିକଙ୍କ ଝିଅକୁ ଭଲପାଉଛି। କାହାଣୀରେ ଆସିଛି ଏକ ଅପ୍ରତ୍ୟାଶିତ ମୋଡ଼। ନିଜର ପିଲାବେଳର ସାଥୀକୁ ଛାଡ଼ି ବଡ଼ଘର ଝିଅକୁ ଭଲପାଉଥିବା ନାୟକ ଅନେକଙ୍କୁ ଚକିତ କରିଛି। ତେବେ ସବୁ ପ୍ରଶ୍ନର ଉତ୍ତର ମିଳିଛି ଫିଲ୍ମର ଶେଷାର୍ଦ୍ଧରେ। ‘ଧୋକା’ -ଦ ଗେମ୍‌ ଅଫ୍‌ ଲଭ୍‌ ଏହା ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ। କାହାଣୀରେ ଅଛି ନୂତନତ୍ବ, ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଭଲ ଲାଗିବ।

ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକର ଚ୍ୟାନେଲର ମୁଖ୍ୟ ପରିଚାଳକ ଆଶାବ୍ୟକ୍ତ କରିଛନ୍ତି। ଏହା କେବଳ ଜୀ ସାର୍ଥକରେ ଚଳିତ ସପ୍ତାହ ପ୍ରଥମାର୍ଦ୍ଧରେ ପ୍ରସାରିତ ହେବ। ଏସ୍‌ପିପି ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମାଣଧୀନ ‘ଧୋକା’ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତ୍ରିପତି ସାହୁ ଓ ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ। ସଂଳାପ ଲେଖିଛନ୍ତି ରଜନୀ ରଞ୍ଜନ। ନାୟକ ଭୂମିକାରେ ଅଛନ୍ତି ଶୁଭାଶିଷ ଶର୍ମା, ନାୟିକା ଭୂମିକାରେ ଦେଖିବାକୁ ମିଳିବେ କୁକୀଜ୍ ସ୍ବାଇଁ। ଅନ୍ୟାନ୍ୟ ଚରିତ୍ରରେ ପୃଥ୍ବୀରାଜ ନାୟକ, ଅଭିପ୍‌ସା ଭଞ୍ଜ, ଜଗନ୍ନାଥ ସାହୁ ପ୍ରମୁଖ ନଜରକୁ ଆସିବେ। ଏଥିରେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା, ବିଷ୍ଣୁ ଓ ଜିତୁ। ନିକଟରେ ଏହାର ସଙ୍ଗୀତ ଲୋକାର୍ପିତ ହେଇଯାଇଛି।

ସମ୍ବନ୍ଧିତ ଖବର