ବଣରୁ ଉଦ୍ଧାର ହେଲେ ୫ ଦିନ ହେବ ମଦ ଓ ଲଲିପପ୍‌ ଖାଇ ବଞ୍ଚି ରହିଥିବା ମହିଳା

ନୂଆଦିଲ୍ଲୀ: ୫ ଦିନ ହେବ ବଣରେ ନିଖୋଜ ହୋଇଯାଇଥିବା ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଉଦ୍ଧାର କରାଯାଇଥିବା କଥା ‘ନିଉଜ୍‌ ଡଟ୍‌ କମ୍‌ ଡଟ୍‌ ଏୟୁ’ ରିପୋର୍ଟ କରିଛି।

ଏହି ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆର ଭିକ୍ଟୋରିଆ ଅନ୍ତର୍ଗତ ହାଇ କଣ୍ଟ୍ରିକୁ ବୁଲିଯାଇଥିବା ୪୮ ବର୍ଷୀୟ ଲିଲିୟାନ୍‌ ବଣରେ ହଜିଯାଇଥିଲେ। ସୌଭାଗ୍ୟକୁ ତାଙ୍କ କାର୍‌ରେ କିଛି ସ୍ନାକ୍ସ୍‌ ଏବଂ ବୋତଲେ ମଦ ଥିଲା।

ପାହାଡ଼ୀ ଅଞ୍ଚରେ ୫ ଦିନ ତଲାସ କରିବା ପରେ ଏମର୍ଜେନ୍‌ସି ସର୍ଭିସ୍‌ ତାଙ୍କର ସନ୍ଧାନ ପାଇଥିଲା। ପ୍ରଥମେ ସେମାନେ ମିଟ୍ଟା ମିଟ୍ଟା ବୁଲ୍‌ଲାଣ୍ଡ୍‌ର କାଦୁଅ ଭରା ରାସ୍ତାର ଶେଷ ପ୍ରାନ୍ତରେ ତାଙ୍କ କାର୍‌ଟିକୁ ଦେଖିବା ପରେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ମହିଳାଜଣକ ଠାବ କରାଯିବା ସମୟର ଭିଡିଓ ମଧ୍ୟ ଭିକ୍ଟୋରିଆ ପୁଲିସ ସେୟାର୍‌ କରିଛି।

ସେୟାର୍‌ କରିଥିବା ଭିଡିଓରେ ସେମାନେ ଲେଖିଛନ୍ତି, ଗହଳିଆ ବୁସ୍‌ଲାଣ୍ଡ୍‌ ବା ଅରଣ୍ୟରେ ୫ ଦିନ ହେବ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ଏୟାର୍‌ ୱିଙ୍ଗ୍‌ ଠାବ କରୁଥିବା ମୁହୂର୍ତ୍ତର ଦୃଶ୍ୟ ଦେଖନ୍ତୁ। ଗତ ଅପରାହ୍ଣରେ ‘ଏୟାର୍‌ ୱିଙ୍ଗ୍‌’ ପାହାଡ଼ୀ ଭୂଇଁ ଉପର ଆକାଶରେ ଥାଇ ତଲାସ କରୁଥିବା ବେଳେ ଲିଲିୟାନ୍‌ଙ୍କ କାର୍‌ ଦେଖିଥିଲେ।

Image Courtesy of The New York Post

ଘଟଣାଟି ଏପ୍ରିଲ୍‌ ୩୦ ତାରିଖରେ ଘଟିଥିଲା। ୟାଙ୍କି ପଏଣ୍ଟ୍‌ ଟ୍ରାକ୍‌ର ଶେଷ ପ୍ରାନ୍ତରେ ପହଞ୍ଚିବା ପରେ ଯାଇ ଲିଲିୟାନ୍‌ ଜାଣିଲେ ଯେ, ସେ ଭୁଲ୍‌ ରାସ୍ତାରେ ଆସିଛନ୍ତି। ସେ କାର୍‌ ବୁଲାଇବାକୁ ଚେଷ୍ଟା କରନ୍ତେ କାର୍‌ ଚକା କାଦୁଅରେ ଲାଖିଯାଇଥିଲା। ସେ ଅଞ୍ଚଳରେ ମ‌ୋବାଇଲ୍‌ ଫୋନ୍‌ ରିସେପସନ୍‌ ନ ଥିବାରୁ ସେ କାହା ନିକଟକୁ ଫୋନ୍‌ ବି କରିପାରିଲେ ନାହିଁ। ଏହାଛଡ଼ା, ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚାଲି ଚାଲି ଯାଇ କାହାକୁ ସାହାଯ୍ୟ ମାଗିବା ପାଇଁ ତାଙ୍କର କ୍ଷମତା ନ ଥିଲା। ତେଣୁ, ସୁଦୂର ଅରଣ୍ୟରେ କାର୍‌ରେ ରହିବାକୁ ସେ ବାଧ୍ୟ ହୋଇଥିଲେ।

ସେ ନିଖୋଜ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ହେଲିକପ୍ଟର୍‌ ମୁତୟନ କରି ତଲାସ ଆରମ୍ଭ କରିଥିଲା। ପୁଲିସକୁ ଦେଖିବା ପରେ ଲିଲିୟାନ୍‌ ଖୁବ୍‌ ଆଶ୍ବସ୍ତ ହୋଇଥିଲେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ସେଠାରୁ ଉଦ୍ଧାର କରାଯାଇ ଲିଲିୟାନ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶରୀରରେ ଜଳୀୟ ଅଂଶ କମିଯାଇଥିବାରୁ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର