ବାହାଘରକୁ ଆଉ ଡେରି ନାହିଁ !

ମିଳୁଥିବା ସୂଚନାଗୁଡ଼ିକୁ ଯଦି ଆମେ ବିଚାର କରିବା, ତେବେ ଯାହା ଜଣା ଯାଉଛି ଏଇ ଡିସେମ୍ବର ମାସରେ ହିଁ କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ବାନ୍ଧିହୋଇ ପତି-ପତ୍ନୀ ହୋଇଯିବେ। ଉଭୟ ପରିବାରର ନିକଟତମ ସୂତ୍ରରୁ ଖବର ମିଳୁଛି ଯେ ଦିଲ୍ଲୀରେ ଥିବା ବିରାଟଙ୍କ ଘରେ ଏବଂ ମୁମ୍ବାଇରେ ଅନୁଷ୍କାଙ୍କ ଘରେ ବାହାଘରର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉଦାହରଣ ସ୍ୱରୂପ, ଫେସନ୍‌ ଡିଜାଇନର୍‌ ସବ୍ୟସାଚୀ କିଛିଦିନ ତଳେ ଅନୁଷ୍କାଙ୍କ ଘରକୁ ନିଜ ଟିମ୍‌ ସହିତ ଯାଇଥିଲେ। ସେମାନେ ସେଇଠି ବହୁତ ସମୟ ରହିଥିଲେ। ଅନୁମାନ କରାଯାଏ ଯେ ସେମାନେ ଅନୁଷ୍କାଙ୍କ ବାହାଘର ପୋଷାକର ଡିଜାଇନ୍‌ ସଂକ୍ରାନ୍ତରେ ସେଠାକୁ ଯାଇଥିଲେ। ଅନ୍ୟପକ୍ଷରେ ବିରାଟ ମଧ୍ୟ ସେଇ ଡିସେମ୍ବରରେ ହେବାକୁ ଥିବା ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତରୁ ବିଶ୍ରାମ ନେବାଲାଗି ଆବେଦନ କରିଛନ୍ତି। ଅନୁଷ୍କା ଡିସେମ୍ବର ପୂର୍ବରୁ ଆନନ୍ଦ ଏଲ୍‌ ରାୟଙ୍କର ନୂଆ ଫିଲ୍ମର ସୁଟିଂ ଶେଷ କରିବାଲାଗି ପ୍ରାଣପଣେ ଲାଗି ପଡ଼ିଛନ୍ତି। ସେ ଫିଲ୍ମର ନାୟକ ହେଉଛନ୍ତି ଶାହ୍‌ରୁଖ୍‌ ଖାଁ। ଅନୁଷ୍କାଙ୍କ ଅନୁରୋଧକ୍ରମେ ଶାହ୍‌ରୁଖ୍‌ ବି ଏ ଫିଲ୍ମ ପାଇଁ ଅଧିକ ସମୟ ଦେଉଛନ୍ତି।
ମୋଟାମୋଟି ଭାବେ ଦେଖିବାକୁ ଗଲେ, ଉଭୟ ବିରାଟ ଓ ଅନୁଷ୍କା ଏଇ ଡିସେମ୍ବର ମାସରେ ଫାଙ୍କା ରହିବାକୁ ଚେଷ୍ଟା ଚଳାଇଛନ୍ତି। ତେଣୁ ସେହି ସମୟରେ କିଛି ଗୋଟେ ବିରାଟ କାମ ହେବ ବୋଲି ସମସ୍ତେ ଅନୁମାନ କରୁଛନ୍ତି। ବାହାଘର ଠିକ୍‌ ହେଇଯିବା ପରେ ଆଉ ବିରାଟ କାମ କ’ଣ! ସେଇ ବାହାଘର।
ଆପଣ ଏବେ ଏକ ଟେଲିଭିଜନ୍‌ ବିଜ୍ଞାପନରେ ବିରାଟ ଓ ଅନୁଷ୍କାଙ୍କୁ ପ୍ରତିଦିନ ଦେଖୁଥିବେ। ସେ ବିଜ୍ଞାପନଟି ବାହାଘର ଥିମ୍‌ ଉପରେ ଆଧାରିତ। ହୁଏତ ଅବିଳମ୍ବେ ସେମାନେ ସତ ଜୀବନରେ ବି ସେମିତି କରିବାକୁ ଯାଉଛନ୍ତି!

ସମ୍ବନ୍ଧିତ ଖବର