ଆଧାରକୁ ଭୋଟ୍‌ର ପରିଚୟ ପତ୍ର ସହ ସଂଯୁକ୍ତ କରନ୍ତୁ ନାହିଁ: ରବି ଶଙ୍କର ପ୍ରସାଦ

ବେଙ୍ଗାଲୁରୁ: ରବିବାର ଦିନ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ଆଧାର କାର୍ଡକୁ ଭୋଟର୍‌ମାନଙ୍କ ଇଲେକ୍ଟୋରାଲ୍‌ ଫଟୋ-ଆଇଡେନ୍‌ଟିଟି କାର୍ଡସ୍‌ (ଇପିଆଇସି) ସଂଯୁକ୍ତ କରିବା ସପକ୍ଷରେ ନାହାନ୍ତି। କାରଣ ଏ ଦୁଇଟି ପରିଚୟ ପତ୍ର ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଅନ୍ତି।

ଏକ କାର୍ଯ୍ୟକ୍ରମରେ ପ୍ରସାଦ କହିଛନ୍ତି: ଜଣେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହିସାବରେ ମୁଁ ଏ କଥା କହୁନାହିଁ…। ମୋର ବ୍ୟକ୍ତିଗତ ମତ ହେଲା ଆଧାରକୁ ଭୋଟର୍‌ ଆଇଡି କାର୍ଡ ସହ ସଂଯୁକ୍ତ କରାଯିବା ଅନୁଚିତ।

ଯଦି ଆମେ ଏ ପରି କରୁ, ଆମର ସମାଲୋଚକମାନେ କହିବେ, ଆମେ କ’ଣ ଖାଉଛୁ, କେଉଁ ସିନେମା ଦେଖୁଛୁ ଇତ୍ୟାଦି… ଇତ୍ୟାଦି… ଜାଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି।

କିନ୍ତୁ ମନ୍ତ୍ରୀ ମହୋଦୟ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଆଧାର କାର୍ଡ ସଂଯୁକ୍ତ କରିବା ସପକ୍ଷରେ ଦୃଢ଼ ମତ ପୋଷଣ କରିଥିଲେ। ସେ କହିଲେ କି, ଏହା ହିତାଧିକାରୀଙ୍କ ନିକଟରେ ଡିବିଟି ଜରିଆରେ ବିଭିନ୍ନ ଜନମଙ୍ଗଳ ଯୋଜନା ସିଧାସଳଖ ପହଞ୍ଚାଇବାରେ ସ୍ୱଚ୍ଛତା ରକ୍ଷା କରିବ।

ମୋଦିଙ୍କ ଆଧାର ଏବଂ ମନମୋହନ ସିଂହଙ୍କ ଆଧାର ମଧ୍ୟରେ ସ୍ପଷ୍ଟ ତାରତମ୍ୟ ରହିଛି। ସିଂହଙ୍କ ଆଧାରକୁ ଆଇନ୍‌ ସମର୍ଥନ କରୁ ନ ଥିବା ବେଳେ ମୋଦିଙ୍କ ଆଧାରକୁ ଆଇନ ସମର୍ଥନ କରୁଛି। ନିରାପତ୍ତା ଏବଂ ଗୋପନୀୟତା ସମ୍ପୂର୍ଣ୍ଣ ବଜାୟ ରହୁଛି।

ସମ୍ବନ୍ଧିତ ଖବର