ଏନ୍‌ସିପିକୁ ସୁଦୃଢ଼ କରିବା ପାଇଁ ଶରଦ ପାୱାରଙ୍କ ଅଭିଯାନ

ବିଦ୍ରୋହୀ ନେତା ଛଗନ ଭୁଜବଳଙ୍କ ନିର୍ବାଚନ ମଣ୍ଡଳୀରେ ରୢାଲି କଲେ

ନୂଆଦିଲ୍ଲୀ : ବରିଷ୍ଠ ଏନ୍‌ସିପି ନେତା ଶରଦ ପାୱାର ତାଙ୍କ ୨୪ ବର୍ଷର ଏନ୍‌ସିପି ଦଳକୁ ପୁଣିଥରେ ସୁଦୃଢ଼ କରିବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶରଦ ପାୱାର ଆଜିଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହିକ୍ରମରେ ପାୱାର ବିଭିନ୍ନ ଜିଲ୍ଲା ବୁଲିବେ। ଆଜି ସେ ଦଳର ବିଦ୍ରୋହୀ ନେତା ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଛଗନ ଭୁଜବଳଙ୍କ ନିର୍ବାଚନ ମଣ୍ଡଳ‌ୀ ନାଶିକ ଜିଲ୍ଲାର ୟେବଲାରେ ରୢାଲି କରିଛନ୍ତି।
ରୢାଲିରେ ଶରଦ ପାୱାର କହିଛନ୍ତି, ଅଜିତ ପାୱାରଙ୍କ ସହ ଯାଇଥିବା ସମସ୍ତ ଏନ୍‌ସିପି ନେତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ।

କିଛି ଲୋକଙ୍କୁ ବିଶ୍ବାସ କରି ମୁଁ ଭୁଲ୍‌ କରିଦେଇଛି। କିନ୍ତୁ ଏହି ଭୁଲ୍‌ ମୁଁ ଆଉ ଦୋହରାଇବିନି। ପୁତୁରା ଅଜିତ ପାୱାର ତାଙ୍କ ବୟସକୁ ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ଏବଂ ତାଙ୍କୁ ସକ୍ରିୟ ରାଜନୀତିରୁ ଅବସର ନେବାପାଇଁ ଯେଉଁ ପରାମର୍ଶ ଦେଇଥିଲେ ଶରଦ ପାୱାର ଆଜି ତାହାର କଡ଼ା ଜବାବ ରଖିଛନ୍ତି। ଶରଦ ପାୱାର କହିଛନ୍ତି, ଦଳୀୟ କର୍ମୀମାନେ ଚାହୁଥିବାରୁ ମୁଁ ମୋ କାର୍ଯ୍ୟ କରିବା ଜାରି ରଖିବି। ଆପଣମାନେ ଜାଣନ୍ତି କି ମୋରାରଜୀ ଦେଶାଇ କେଉଁ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ମୁଁ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ହେବାପାଇଁ ଚାହୁନାହିଁ। କିନ୍ତୁ କେବଳ ଲୋକମାନଙ୍କର ସେବା କରିବାପାଇଁ ଚାହୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ ଉକ୍ତିକୁ ଉଦ୍ଧାର କରି ଶରଦ ପାୱାର କହିଛନ୍ତି- ନା ମୁଁ ଥକିଛି ନା ମୁଁ ଅବସର ନେଇଛି। ଏବେ ବି ମୁଁ କାର୍ଯ୍ୟ କରିପାରୁଛି।

ସମ୍ବନ୍ଧିତ ଖବର