ଗୁଜରାଟ ନିର୍ବାଚନ : ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ, ୬୦%  ମତଦାନ

ନୂଆଦିଲ୍ଲୀ : ରାଜନୈତିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ (ସର୍ବଶେଷ ସୂଚନା ଅନୁସାରେ) ୬୦.୨୦ ପ୍ରତିଶତ ଭୋଟଗ୍ରହଣ ହୋଇଛି । ଏହା ସହିତ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସିଲ୍ ହୋଇଯାଇଛି ।

ଗୁଜରାଟର ମୋଟ ୧୮୨ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ ଗ୍ରହଣ  ହୋଇଥିଲା । ଏସବୁ ଆସନ ଗୁଜୁରାଟର ୧୯ ଜିଲ୍ଲା ବିଶେଷକରି ଦକ୍ଷିଣ ଗୁଜରାଟ୍ ଓ କଚ୍ଚ-ସୌରାଷ୍ଟ୍ର ଅଂଚଳରେ ଅବସ୍ଥିତ ।

ଆଜି ମୋଟ ୧୪,୩୮୨ ଟି ମତଦାନ କେନ୍ଦ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରୁ ୩,୩୧୧ ସହରାଞ୍ଚଳରେ ଏବଂ ୧୧,୦୭୧ ଗ୍ରାମାଞ୍ଚଳରେ ଅଛି ।

୧୯ଟି ଜିଲ୍ଲାର ମତଦାନ କେନ୍ଦ୍ରରେ ୨୬,୨୬୯ ଟି ବାଲଟ୍ ୟୁନିଟ, ୨୫,୪୩୦ କଣ୍ଟ୍ରୋଲ ୟୁନିଟ ଏବଂ ୨୫,୪୩୦ ଭିଭିପାଟ୍ ମେସିନ ବ୍ୟବହାର କରାଯାଉଥିଲା ।

ପ୍ରଥମ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗାଦଭି, ଆପର ଗୁଜରାଟ ମୁଖ୍ୟ ଗୋପାଲ ଇଟାଲିଆ, କ୍ରିକେଟ ଖେଳାଳି ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ ରିଭବା ଜାଦେଜା, ବିଜେପି ର ହର୍ଷ ସାଂଘଭି ଓ ପୂର୍ଣ୍ଣେସ ମୋଦୀ ପ୍ରମୁଖ ।

ଗୁଜରାଟ ବିଧାନସଭା ନିର୍ବାଚନରେ ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର