ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ହେବାରୁ ସାମୂହିକ ବଦଳି ହେ‌ଲେ ୪୦ଜଣ ଟ୍ରାଫିକ୍‌ ପୁଲିସ

ଥାନେ: ଥାନେର ମୁମ୍ବ୍ରା ଅଞ୍ଚଳରେ ମୋଟର୍‌ ଚାଳକମାନଙ୍କଠାରୁ ଟ୍ରାଫିକ୍‌ ପୁଲିସମାନେ ଲାଞ୍ଚ ଗ୍ରହଣ କରୁଥିବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରୁ ସମୁଦାୟ ୪୦ଜଣ ଟ୍ରାଫିକ୍‌ ପୁଲିସଙ୍କୁ ବଦଳି କରାଯାଇଥିବା କଥା ରବିବାର ଦିନ ଜାରି ହୋଇଥିବା ସରକାରୀ ବିବୃତିରୁ ଜଣାପଡ଼ିଛି।

ମୁମ୍ବ୍ରା ଟ୍ରାଫିକ୍‌ ପୋଲିସ ଡିଭିଜନ୍‌ରୁ ବଦଳି ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ଇନ୍‌ପେକ୍ଟର ସୁରେଶ ଖେଡ଼େକର, ଦୁଇଜଣ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଓ କେତେକ କନେଷ୍ଟବଳ। ମୁମ୍ବ୍ରା ଅଞ୍ଚଳ ଦେଇ ଯାଇଥିବା ରାଜପଥର ଭିଡ଼ ହେଉଥିବା ଅଂଶରେ ଟ୍ରାଫିକ୍‌ ପୁଲିସମାନେ ଭାରୀଯାନଗୁଡ଼ିକର ଚାଳକମାନଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଏହି ବଦଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ମୁମ୍ବ୍ରାର ଏହି ସଙ୍କୀର୍ଣ୍ଣ ଅଞ୍ଚଳ ହେଉଛି ମୁମ୍ବାଇ ମଧ୍ୟକୁ ପ୍ରବେଶ କରିବା ଲାଗି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଥ।

Image Courtesy of Times of India

ଶନିବାର ଦିନ ପୁଲିସ ଡେପୁଟି କମିସନର୍‌ (ଟ୍ରାଫିକ୍‌) ବିଜୟକୁମାର ରାଠୋର୍‌ ଏହି ବଦଳି ଆଦେଶ ଜାରି କରିଥିଲେ। ଡେପୁଟି ପୁଲିସ କମିସନର୍‌ ଭାଇରାଲ୍‌ ହୋଇଥିବା ଭିଡିଓ ଉପରେ ତଦନ୍ତ କରିବା ପରେ ବଦଳି ନିଷ୍ପତ୍ତି ଗ୍ରହଣ କରିଥିଲେ। ଜଣେ ଯାତ୍ରୀ ଏହି ଭିଡିଓ ଉତ୍ତୋଳନ କରିଥିଲେ। ଶିଳଫଟା ଅଞ୍ଚଳରେ ଭାରୀଯାନ ଚାଳକମାନଙ୍କଠାରୁ ଟ୍ରାଫିକ୍‌ ପୁଲିସମାନେ ଲାଞ୍ଚ ଗ୍ରହଣ କରୁଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର