ଜ୍ଞାନବାପି ପରିସରରୁ ମିଳିଛି ୫୫ ହିନ୍ଦୁ ଦେବତା ମୂର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ଜ୍ଞାନବାପି ମସଜିଦ୍ ପରିସରରେ ୧୫ଟି ଶିବଲିଙ୍ଗ, ୩ଟି ‘ବିଷ୍ଣୁ’, ‘ଗଣେଶ’ଙ୍କର ୩ଟି, ନନ୍ଦିର ୨ଟି, କୃଷ୍ଣଙ୍କର ୨ଟି ଏବଂ ହନୁମାନଙ୍କର ୫ଟି ମୂର୍ତ୍ତି ସମେତ ମୋଟ ୫୫ଟି ପଥର ମୂର୍ତ୍ତି ମିଳିଛି ବୋଲି ଏଏସ୍ଆଇ ରିପୋର୍ଟରେ ଦର୍ଶାଯାଇଛି। ବାରାଣସୀ ଜିଲ୍ଲା ଅଦାଲତ ଦ୍ୱାରା ଏହି ମସଜିଦ ‘ହିନ୍ଦୁ ମନ୍ଦିରର ଏକ ପୂର୍ବ-ବିଦ୍ୟମାନ ଢାଞ୍ଚା ଉପରେ ନିର୍ମିତ ହୋଇଥିଲା କି ନାହିଁ’ ତାହା ଜାଣିବା ପାଇଁ ଏଏସ୍‌ଆଇକୁ ସର୍ଭେ ଦାୟିତ୍ୱ ଦିଆଯାଇଥିଲା। ସର୍ଭେ ପରେ ଏଏସ୍‌ଆଇ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଏଠାରେ ଏକ ମନ୍ଦିର ଥିଲା, ଯାହାକୁ ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବଙ୍କ ଶାସନ କାଳରେ ନଷ୍ଟ କରି ତା’ ଉପରେ ମସଜିଦ ନିର୍ମାଣ କରାଯାଇଥିଲା। ଏଏସ୍ଆଇ ରିପୋର୍ଟକୁ କୋର୍ଟ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କୁ ହସ୍ତାନ୍ତର କରିବା ପରେ ଗୁରୁବାର ଏହାକୁ ସାର୍ବଜନୀନ କରାଯାଇଛି। ଏହାପରେ ଜ୍ଞାନବାପିକୁ ହିନ୍ଦୁ ସଂପ୍ରଦାୟକୁ ପ୍ରଦାନ କରିବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଦାବି କରିଛି। ସର୍ବେକ୍ଷଣ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନିର ୪୦ଟି ମୁଦ୍ରା, ରାଣୀ ଭିକ୍ଟୋରିଆଙ୍କ ୨୧ଟି ମୁଦ୍ରା ଓ ୩ଟି ଶାହ ଆଲମ ବାଦଶାହ-୨ଙ୍କ ମୁଦ୍ରା ସମେତ ମୋଟ ୧୧୩ଟି ଧାତୁ ବସ୍ତୁ ଓ ୯୩ଟି ମୁଦ୍ରା ମିଳିଥିଲା।

ସମ୍ବନ୍ଧିତ ଖବର