୨୬ ବର୍ଷ ପରେ ଭାରତ ପାଲଟିବ ବୃଦ୍ଧବୃଦ୍ଧାଙ୍କ ଦେଶ: କମ୍ ସନ୍ତାନ ଜନ୍ମ କରୁଛନ୍ତି ଦମ୍ପତି

ନୂଆଦିଲ୍ଲୀ: ସମ୍ପ୍ରତି ଭାରତ ପୃଥିବୀର ସବୁଠାରୁ ଜନବହୁଳ ଦେଶ ପାଲଟିଛି। ତେବେ ଦେଶର ଜନସଂଖ୍ୟା ୨୦୫୦ ବେଳକୁ ବହୁତ କମିଯିବ। ଏହା ଦ୍ବାରା ଦେଶ ଆଗରେ ବହୁ ନୂଆ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି। ଲାସେଣ୍ଟ୍ ମ୍ୟାଗାଜିନ୍ ରେ ଏନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ୨୦୫୦ ବେଳକୁ ଦେଶର ମହିଳାଙ୍କ ପ୍ରଜନନ ହାର କମି ୧.୩ ପ୍ରତିଶତ ହେବ। ୨୦୨୧ରେ ଏହା ୧.୯ ପ୍ରତିଶତ ଥିଲା। ଏହା ଜନସଂଖ୍ୟାକୁ ସ୍ଥିର ରଖିବା ହାରଠାରୁ କମ୍ ରହିଥିଲା। ବିଶେଷଜ୍ଞଙ୍କ ଅନୁସାରେ ଯଦି ଏହି ରିପୋର୍ଟ ସତ୍ୟ ହୁଏ ତେବେ ଆଗାମୀ ୨୬ ବର୍ଷ ପରେ ଭାରତ ବୃଦ୍ଧବୃଦ୍ଧାଙ୍କ ଦେଶ ପାଲଟିଯିବ। ଦେଶରେ ମାନବସମ୍ବଳର ଅଭାବ ଦେଖାଯିବ। କାମ ପାଇଁ ଲୋକ ମିଳିବେ ନାହିଁ।

ରିପୋର୍ଟ ଅନୁସାରେ ୧୯୫୦ରେ ଦେଶର ପ୍ରଜନନ ହାର ୬.୧୮ ପ୍ରତିଶତ ଥିଲା। ୧୯୮୦ରେ ଏହା କମି ୪.୬ ହୋଇଯାଇଥିଲା। ୨୦୨୧ରେ ଏହା ପୁଣି କମି ୧.୯୧ ପ୍ରତିଶତ ହୋଇଥିଲା। ସ୍ଥିର ଜନସଂଖ୍ୟା ପାଇଁ ଏହି ହାର ୨.୧ ପ୍ରତିଶତ ହେବା ଜରୁରୀ। ମାତ୍ର ସମ୍ପ୍ରତି ଏହା ଆବଶ୍ୟକ ହାର ଠାରୁ କମ୍ ରହିଛି।
ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ପିଏଫଆଇ) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁନମ୍ ମୁର୍ତଜାଙ୍କ ଅନୁସାରେ ଦେଶର ଆର୍ଥିକ ବିକାଶ ହେବା ସହିତ ସନ୍ତାନଙ୍କ ଲାଳନପାଳନ ଖର୍ଚ୍ଚ ବଢ଼ିବାରେ ଲାଗିଛି। ‌ତେଣୁ ଦମ୍ପତି କମ୍ ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି।

ଦେଶରେ ମହିଳାମାନେ ଅଧିକ ଶିକ୍ଷିତ ଏବଂ ମହିଳା ସଶକ୍ତିକରଣ ଯୋଜନା କାର୍ଯ୍ୟକାରୀ ହେବା ଦ୍ବାରା ମହିଳାମାନେ ସନ୍ତାନ ଜନ୍ମ କରିବା ଅପେକ୍ଷା କ୍ୟାରିୟର ପ୍ରତି ଗୁରୁତ୍ବପ୍ରଦାନ କରୁଛନ୍ତି। ଏହା ସହିତ ସହରୀକରଣରେ ବୃଦ୍ଧି, ପରିବାର ନି‌ୟୋଜନ ଏବଂ ଗର୍ଭନିରୋଧର ବିକଶିତ ମାଧ୍ୟମ ଯୋଗୁ ଛୋଟ ପରିବାର ପ୍ରତି ଦମ୍ପତି ଆକୃଷ୍ଟ ହେଉଛନ୍ତି । ଏହାଦ୍ବାରା ଦେଶ ସଙ୍କଟ ମୁହାଁ ହେବାରେ ଲାଗିଛି ବୋଲି ପୁନମ୍ କହିଛନ୍ତି।

ସମ୍ବନ୍ଧିତ ଖବର