ବିମାନ ଭିତରେ ସହଯାତ୍ରୀଙ୍କ ଉପରେ ପରିସ୍ରା ମାମଲା: ଘଟଣାର ମୁକାବିଲା ପାଇଁ ଏସଓପି ପ୍ରସ୍ତୁତ କରିବାକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବର ମାସରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ପୁରୁଷ ଯାତ୍ରୀ ବିମାନ ଭିତରେ ଅନ୍ୟ ଜଣେ ୭୨ ବର୍ଷୀୟା ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣାରେ ଆଜି (ସୋମବାର) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ। ଏ ସଂପର୍କରେ ଆଗତ ଏକ ଆବେଦନର ଶୁଣାଣି କରି ଏଭଳି ଘଟଣାର ମୁକାବିଲା ପାଇଁ ଏକ ଏସ୍‌ଓପି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର, ବିମାନ ଚଳାଚଳ ନିୟାମକ (ଡିଜିସିଏ) ଓ ଏୟାରଲାଇନ୍‌ସଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍‌ ନରସିଂହ ଓ ଜଷ୍ଟିସ ଜେବି ପାର୍ଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୀଡ଼ିତା ମହିଳାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାର, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଏୟାର ଇଣ୍ଡିଆ ସମେତ ସମସ୍ତ ଏୟାରଲାଇନ୍‌ସକୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାର ଶୁଣାଣି କାଳରେ କୋର୍ଟରୁମ୍‌ରେ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏସଂକ୍ରାନ୍ତରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିିଓର (ଏସଓପି) ପ୍ରସ୍ତୁତ କରିବାରେ କୋର୍ଟଙ୍କ ସହାୟତା ଲୋଡ଼ିଥିଲେ ଏବଂ ଜୁଲାଇରେ ଗ୍ରୀଷ୍ମ ଛୁଟି ପରେ ଏହି ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

ଏହି ଘଟଣା ପରେ ଏୟାର ଇଣ୍ଡିଆ ଏବଂ ଡିଜିସିଏ ତାଙ୍କୁ  ଦାୟିତ୍ୱସମ୍ପନ୍ନ ବ୍ୟବହାର କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ସେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି ବୋଲି ଦର୍ଶାଇ ମହିଳା ଜଣକ ମାର୍ଚ୍ଚ ମାସରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।

ଉଲ୍ଲେଖଯୋଗ୍ୟ, ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ଗତ ଜାନୁଆରି ୩୧ ତାରିଖରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ। ନିମ୍ନ ଅଦାଲତ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ସମାନ ପରିମାଣର ଜାମିନ ଉପରେ ଏହି ରିଲିଫ୍‌ ପ୍ରଦାନ କରିଥିଲେ। ଏଥିସହ ସେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା କୌଣସି ପ୍ରକାରରେ ସେମାନଙ୍କ ସହ ଯୋଗାଯୋଗ କରିବେ ନାହିଁ ବୋଲି ବିଭିନ୍ନ ସର୍ତ୍ତ ରଖିଛନ୍ତି।

ଅଦାଲତଙ୍କ ବିନା ଅନୁମତିରେ ଦେଶ ଛାଡି ନଯିବା ସହ ତଦନ୍ତକାରୀ ଅଧିକାରୀ କିମ୍ବା ସମ୍ପୃକ୍ତ ଅଦାଲତ ଡାକିଲେ ତଦନ୍ତ ଓ ଶୁଣାଣିରେ ଯୋଗ ଦେବାକୁ ଶ୍ରୀ ମିଶ୍ରଙ୍କୁ କୁହାଯାଇଛି। ଅଭିଯୁକ୍ତ ମିଶ୍ରଙ୍କୁ ଜାନୁଆରି ୬ ତାରିଖରେ ବେଙ୍ଗାଲୁରୁରୁ ଗିରଫ କରାଯାଇ ଜାନୁଆରି ୭ ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗତ ବର୍ଷ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆ ବିମାନର ବିଜନେସ୍‌ କ୍ଲାସରେ ନିଶାସକ୍ତ ଅବସ୍ଥାରେ ସେ ପୀଡ଼ିତା ମହିଳା ସହଯାତ୍ରୀଙ୍କ ଉପରେ ବିମାନ ଭିତରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର