ପୁଣି ସୁପ୍ରିମ୍‌କୋର୍ଟ କଲେଜିୟମ, କେନ୍ଦ୍ର ମତଭେଦ

ପୁଣି ସୁପ୍ରିମ୍‌କୋର୍ଟ କଲେଜିୟମ, କେନ୍ଦ୍ର ମତଭେଦ

ନୂଆଦିଲ୍ଲୀ: କେରଳ ହାଇକୋର୍ଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଜଣେ ‘ସମର୍ଥକ’ଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ନେଇ କେନ୍ଦ୍ର ସରକାରଙ୍କ ଆପତ୍ତିକୁ ଖାରଜ କରି ସୁପ୍ରିମ୍‌କୋର୍ଟ କଲେଜିୟମ୍ କହିଛନ୍ତି ଯେ କେବଳ ରାଜନୈତିକ ଅତୀତ କାରଣରୁ ଜଣେ ପ୍ରାର୍ଥୀଙ୍କୁ ବିଚାରପତି ପଦରୁ ବଞ୍ଚିତ କରାଯାଇପାରିବ ନାହିଁ। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ତଥା ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ବିଆର୍ ଗୱାଇଙ୍କୁ ନେଇ ଗଠିତ କଲେଜିୟମ୍ କେରଳ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ ଅନୁସୂଚିତ ଜାତିର ଆଇନଜୀବୀ ମନୋଜ ପୁଲମ୍ବି ମାଧବନଙ୍କ ପ୍ରାର୍ଥିତ୍ୱ ଉପରେ ବିଚାର କରୁଥିବା ବେଳେ ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟ ବିଚାରପତିମାନଙ୍କ ଦ୍ବାରା ଉପଯୁକ୍ତ ସାବ୍ୟସ୍ତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ।
ସୂଚନା ଅନୁଯାୟୀ, ମନୋଜ ପୁଲମ୍ବି ମାଧବନଙ୍କୁ ସିପିଆଇ(ଏମ୍) ସମର୍ଥକ ଭାବେ ବିବେଚନା କରାଯାଏ। ତାଙ୍କୁ ୨୦୧୦ ଓ ୨୦୧୬-୨୦୨୧ରେ ଏଲ୍‌ଡିଏଫ୍ ସରକାର ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଥିଲେ। ତେଣୁ ତାଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ କେନ୍ଦ୍ର ଆପତ୍ତି ଉଠାଇଥିବା ବେ‌ଳେ କଲେଜିୟମ୍ ଏହାକୁ ଗ୍ରହଣ କରିନାହିଁ।

ପୂର୍ବରୁ କଲେଜିୟମର ସୁପାରିସ ଅନୁଯାୟୀ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଏଲ୍ ଭିକ୍ଟୋରିଆ ଗୌରୀଙ୍କୁ ୨୦୨୩ ଫେବ୍ରୁଆରିରେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୯ ଅଗଷ୍ଟରେ ଯୋଗ ଦେଇଥିବା ଗୌରୀ ବିଜେପିର ସଦସ୍ୟ ଭାବରେ ପ୍ରାୟ ଏକ ବର୍ଷ ବିତାଇଥିଲେ। ସେତେବେଳେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ଥିଲା ‘ଚୌକିଦାର ଭିକ୍ଟୋରିଆ ଗୌରୀ’, ଯେଉଁଥିରେ ସେ ତାଙ୍କୁ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ବୋଲି ପରିଚୟ ଦେଇଥିଲେ। ସେତେବେଳେ ତାଙ୍କୁ ବିଚାରପତି ନ କରିବା ପାଇଁ ହୋଇଥିବା ଦାବିକୁ କଲେଜିୟମ୍ ଗ୍ରହଣ କରି ନ ଥିଲେ। ନିକଟ ଅତୀତରେ ଜଣେ ଓକିଲ ପଦୋନ୍ନତି ପୂର୍ବରୁ ଏକ ରାଜନୈତିକ ଦଳର କର୍ମକର୍ତ୍ତା ଥିଲେ ମଧ୍ୟ ତାଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ବୋଲି କଲେଜିୟମ୍ କହିଛନ୍ତି। ପୁନଶ୍ଚ କଲେଜିୟମ୍ କହିଛନ୍ତି ଯେ ମାଧବନ ଏସ୍‌ସି ସମ୍ପ୍ରଦାୟର ଅଟନ୍ତି ଏବଂ ବାର୍‌ରେ ତାଙ୍କର ଯଥେଷ୍ଟ ଅଭ୍ୟାସ ଅଛି। ତେଣୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ ସେ ଉପଯୁକ୍ତ ଏଥିରେ ସନ୍ଦେହ ନାହିଁ। ତାଙ୍କ ବ୍ୟତୀତ କେରଳ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଁ ଅନ୍ୟ ୫ ଜଣ ଆଇନଜୀବୀ ଅବଦୁଲ ହକିମ ମୁଲ୍ଲାପଲ୍ଲୀ ଅବଦୁଲ ଅଜିଜ୍, ଶ୍ୟାମ କୁମାର ବଡ଼କ୍କେ ମୁଦାବକ୍କତ, ହରିଶଙ୍କର ବିଜୟନ ମେନନ, ମନୁ ଶ୍ରୀଧରନ ନାୟାର ଏବଂ ଈଶ୍ୱରନ ସୁବ୍ରମଣିଙ୍କୁ ମଧ୍ୟ କଲେଜିୟମ ସୁପାରିସ କରିଛି।

ସମ୍ବନ୍ଧିତ ଖବର