ରାହୁଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି: ଗରିବ ମହିଳାଙ୍କ ଆକାଉଣ୍ଟରେ ବାର୍ଷିକ ଲକ୍ଷେ ଟଙ୍କା

ଚାକିରିରେ ୫୦% ସଂରକ୍ଷଣ

ନୂଆଦିଲ୍ଲୀ: ଆର୍ଥିକ ଅନଗ୍ରସର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଏବଂ ସରକାରୀ ଚାକିରିରେ ୫୦% ସଂରକ୍ଷଣ- ଏହା ଉତ୍ତର-ପଶ୍ଚିମ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ବୁଧବାର ଏକ ରାଲିରେ ରାହୁଲ ଗାନ୍ଧୀ ଘୋଷଣା କରିଥିବା ୫ଟି ‘ମହିଳା ନ୍ୟାୟ’ ଗ୍ୟାରେଣ୍ଟିର ଶୀର୍ଷରେ ରହିଛି। ମହିଳାଙ୍କୁ କଂଗ୍ରେସର ଅନ୍ୟ ଗ୍ୟାରେଣ୍ଟି ଭିତରେ ରହିଛି- ଅଙ୍ଗନବାଡ଼ି, ଆଶା ଓ ମଧ୍ୟାହ୍ନଭୋଜନ କର୍ମୀଙ୍କ ମାସିକ ଆୟ ଏବଂ କର୍ମଜୀବୀ ମହିଳାଙ୍କ ହଷ୍ଟେଲ ପାଇଁ ସରକାରୀ ଅନୁଦାନକୁ ଦ୍ୱିଗୁଣିତ କରିବା। ଆମର ଗ୍ୟାରେଣ୍ଟି ମୋଦୀ ସରକାର ଦେଇଥିବା ପ୍ରତିଶ୍ରୁତି ଭଳି ନୁହେଁ, ଯିଏ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି। ଯଦି କଂଗ୍ରେସକୁ ନିର୍ବାଚନୀ ଜନାଦେଶ ମିଳେ, ତା’ହେଲେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଏବଂ ଆଇନଗତ ପ୍ରସଙ୍ଗରେ ସହାୟତା ଯୋଗାଇଦେବା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯିବ ବୋଲି ରାହୁଲ କହିଛନ୍ତି। କର୍ମଜୀବୀ ମହିଳାଙ୍କ ପାଇଁ ସାବିତ୍ରୀବାଇ ଫୁଲେ ହଷ୍ଟେଲ ସବୁ ଜିଲ୍ଲା ସଦର ମହକୁମାରେ ଖୋଲାଯିବ ଏବଂ ସମଗ୍ର ଦେଶରେ ଏଭଳି ସୁବିଧା ସଂଖ୍ୟା ଦ୍ୱିଗୁଣିତ କରାଯିବ ବୋଲି ରାହୁଲ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ଧୁଲେରେ କହିଛନ୍ତି।

କୃଷକ ଓ ଯୁବବର୍ଗଙ୍କ ପ୍ରତି ‘ଆର୍ଥିକ ଅନ୍ୟାୟ’ କରୁଥିବା ମୋଦୀ ସରକାର ୨୨ ଜଣ ପୁଞ୍ଜିପତିଙ୍କ ବ୍ୟାଙ୍କ ଋଣ ଛାଡ଼ କରିଛନ୍ତି ବୋଲି ୱାୟନାଡ ସାଂସଦ ଅଭିଯୋଗ କରିଛନ୍ତି। ରାଜସ୍ଥାନର ବାଂଶଵାଡ଼ାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଅନ୍ୟ ପାଞ୍ଚଟି ଗ୍ୟାରେଣ୍ଟି ଦେବାର ଗୋଟିଏ ସପ୍ତାହରୁ କମ୍ ସମୟ ପରେ ଦଳର ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରିଥିଲେ। ସେଗୁଡ଼ିକ ମଧ୍ୟରେ ୩୦ ଲକ୍ଷ ଚାକିରି ପଦବୀ ପୂରଣ ଏବଂ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଆଇନ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର