ମୁମ୍ବାଇରେ ଶେଷ ହେଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା

ଆମେ ଏକ ‘ଶକ୍ତି’ ବିରୋଧରେ ଲଢ଼ୁଛୁ: ରାହୁଲ

ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଆଜି ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି। ଯାତ୍ରାର ଉଦ୍‌ଯାପନୀ ସମାରୋହରେ ଆଜି ବହୁ ସଂଖ୍ୟାରେ ଇଣ୍ଡି ମେଣ୍ଟ ନେତାଙ୍କ ସମାଗମ ଦେଖିବାକୁ ମିଳିଥିଲା। ଲୋକସଭା ନିର୍ବାଚନ-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର ଦିନକ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି ଯେ ତାଙ୍କ ଏବଂ ସମଗ୍ର ବିରୋଧୀ ଦଳ ଏବେ ‘ଶକ୍ତି’ ବିରୋଧରେ ଲଢୁଛନ୍ତି।
ସମାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ହିନ୍ଦୁ ଧର୍ମରେ ଶକ୍ତି ଶବ୍ଦ ରହିଛି। ଆମେ ଏକ ଶକ୍ତି ବିରୋଧରେ ଲଢ଼ୁଛୁ। ପ୍ରଶ୍ନ ଉଠୁଛି, ସେ ଶକ୍ତି କ’ଣ? ଇଭିଏମ୍‌ରେ ରହିଛି ରାଜାଙ୍କ ଆତ୍ମା। ଇଭିଏମ୍ ଏବଂ ଦେଶର ପ୍ରତ୍ୟେକ ଅନୁଷ୍ଠାନ ଯଥା ଇଡି, ସିବିଆଇ ଓ ଆୟକର ବିଭାଗରେ ରାଜାଙ୍କ ଆତ୍ମା ରହିଛି। ଆମେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଲଢୁନାହୁଁ । ଆମେ ଏକ ‘ଶକ୍ତି’ ବିରୋଧରେ ଲଢ଼େଇ କରୁଛୁ। ହଜାର ହଜାର ଲୋକଙ୍କୁ ଜେଲ୍‌ ପଠାଇବାକୁ ଧମକ ଦିଆଯାଉଛି ଏବଂ ଅରାଜକତା ବ୍ୟାପିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ଲଢ଼ିବା ଆପଣମାନଙ୍କ ଦାୟିତ୍ବ। ମୁଁ ଦେଶ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଘୃଣା ବ୍ୟାପିବାକୁ ଦିଅନ୍ତୁ ନାହିଁ, ଘୃଣାର ବଜାରରେ ପ୍ରେମର ଦୋକାଲ ଖୋଲନ୍ତୁ ବୋଲି ରାହୁଲ କହିଛନ୍ତି।

ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ସମାପନୀ ସମାରୋହରେ କହିଛନ୍ତି, ୧୦ ହଜାର କିଲୋମିଟର ଅତିକ୍ରମ କରିଥିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କେବଳ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସର ଯାତ୍ରା ନୁହେଁ, ଏହା ଦେଶର ହଜାର ହଜାର ସଂଗଠନର ଯାତ୍ରା ଥିଲା ଯେଉଁମାନେ ସମ୍ବିଧାନକୁ ବଞ୍ଚାଇବାକୁ ଚାହୁଁଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପୂର୍ବରୁ ଆମେ କଂଗ୍ରେସର ‘ପାଞ୍ଚଟି ଗ୍ୟାରେଣ୍ଟି’ ଘୋଷଣା କରିଥିଲୁ ଏବଂ ପରେ ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ପାଇଁ ଆଉ ପାଞ୍ଚଟି ଗ୍ୟାରେଣ୍ଟି ଦେଇଥିଲୁ। ଏବେ ଆମେ ମେଣ୍ଟ ପକ୍ଷରୁ ୨୫ଟି ଗ୍ୟାରେଣ୍ଟି ଉପରେ ରାଜି ହୋଇଛୁ ଏବଂ ଖୁବଶୀଘ୍ର ଏହା ଘୋଷଣା କରାଯିବ। ମୋଦୀଙ୍କ ଗ୍ୟାରେଣ୍ଟି ଧନୀଙ୍କ ପାଇଁ, ଆମର ଗ୍ୟାରେଣ୍ଟି ସାଧାରଣ ଲୋକଙ୍କ ପାଇଁ ବୋଲି ଖଡ଼ଗେ କହିଛନ୍ତି। ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କହିଛନ୍ତି ଯେ ବିଜେପି ଏକ ବେଲୁନ୍ ଏବଂ ଦୁର୍ଭାଗ୍ୟବଶତଃ ଆମେ ସେଥିରେ ପବନ ଭର୍ତ୍ତି କରିଥିଲୁ। ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଙ୍କ ପଦ ହିଁ ତାଙ୍କ ପରିବାର ବୋଲି ଉଦ୍ଧବ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ, ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ସମେତ ଇଣ୍ଡି ମେଣ୍ଟର ୨୦ରୁ ଅଧିକ ନେତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର