ବିଧାନସଭା ଭଙ୍ଗ କରିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟ୍‌ନା: ବିହାରରେ ଆସନ ବୁଝାମଣା ନେଇ ଏନଡିଏର ସହଯୋଗୀ ଦଳମାନେ ଏପର୍ଯ୍ୟନ୍ତ କୌଣସି ସହମତିରେ ପହଞ୍ଚି ପାରିନାହାନ୍ତି । ସେପଟେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସହଯୋଗୀ ବିଜେପି ଉପରେ ଚାପ ପକାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଭଙ୍ଗ କରିପାରନ୍ତି । ଲୋକସଭା ନିର୍ବାଚନରେ ଆସନ ବଣ୍ଟନରେ ବିଳମ୍ବ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ନୀତୀଶ କୁମାର ଆଜିଠୁ ବିଦେଶ ଗସ୍ତରେ ଯିବେ । ଏହା ପୂର୍ବରୁ ସେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ କରିବେ ।

୨୦୨୦ ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷରୁ ଅଧିକ ରହିଛି । କିନ୍ତୁ ଲୋକସଭା ନିର୍ବାଚନରେ ଜେଡିୟୁ ମୁଖ୍ୟ ମୋଦୀ ଲହର ଆଧାରରେ ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଏହାଛଡ଼ା ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହେଲେ ନୀତୀଶଙ୍କ ଦଳ ଆସନ ବୁଝାମଣାରେ ଫାଇଦା ପାଇପାରିବ ବୋଲି ରାଜନୈତିକ ବିଶ୍ଳେଷକଙ୍କ ଏକ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିହାରରେ ୧୭ଟି ଆସନରେ ଲଢ଼ିଥିଲା । ନୀତୀଶଙ୍କ ଦଳ ୧୭ଟି ଆସନରେ ଲଢ଼ିଥିଲା । ଅବଶିଷ୍ଟ ୬ଟି ଆସନ ସ୍ୱର୍ଗତ ରାମ ବିଳାସଙ୍କ ଏଲଜେପି ହାତରେ ରହିଛି ।

ସମ୍ବନ୍ଧିତ ଖବର