ଉତ୍ତରପ୍ରଦେଶରେ ୭୭ଟି ଆସନ ଜିତିବ ବିଜେପି : ନ୍ୟୁଜ-୧୮ ସର୍ଭେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନ୍ୟୁଜ୍-୧୮ ନେଟୱର୍କ ଦେଶର ୨୧ଟି ରାଜ୍ୟରେ ଏକ ଜନମତ ସର୍ଭେ କରିଛି। ଏହି ଜନମତ ସର୍ଭେ ଅନୁଯାୟୀ, ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଏନଡିଏ ୭୭ଟିରେ ବିଜୟୀ ହେବାର ସମ୍ଭାବନା ରହିଛି। ୟୁପିରେ ଇଣ୍ଡିଆ ମେଣ୍ଟକୁ ୨ଟି ଆସନ ମିଳିଥିବା ବେଳେ ବିଏସପିକୁ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଛି । ଉତ୍ତରପ୍ରଦେଶରେ ୮୦ଟି ଲୋକସଭା ଆସନ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୭୮ଟି ଆସନରେ ଲଢ଼ିଥିବା ବେଳେ ସେଥିରୁ ଦଳ ୬୨ଟି ଆସନରେ ବିଜୟୀ ହୋଇଥିଲା।

ଭୋଟ୍ ପ୍ରତିଶତ ଦୃଷ୍ଟିରୁ ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଏନଡିଏକୁ ୫୭% ଭୋଟ୍ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୨୬% ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି। ସେହିପରି ରାଜ୍ୟରେ ବିଏସପିକୁ ୯% ଭୋଟ୍ ମିଳିଥିବା ବେଳେ ଅନ୍ୟ ଦଳକୁ ୮% ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି। ଏହି ସର୍ଭେ ଅନୁସାରେ ହରିୟାଣାରେ ବିଜେପିକୁ ୧୦ଟି ଆସନ ମିଳିବାର ସମ୍ଭାବନା ରହିଛି । ତାମିଲନାଡ଼ୁରେ ବି ଏନଡିଏର ଭୋଟ ପ୍ରତିଶତ ବଢିବ ।

ଏହି ସର୍ଭରେ ଦେଶର ୨୧ଟି ରାଜ୍ୟର ୫୧୮ଟି ଲୋକସଭା ଆସନକୁ ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ଫେବ୍ରୁଆରି ୧୨ରୁ ମାର୍ଚ୍ଚ ୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ଏବଂ ସର୍ଭେ ସମୟରେ ୧,୦୮,୭୮୦ ଜଣଙ୍କ ମତାମତ ନିଆଯାଇଥିଲା ।

ସମ୍ବନ୍ଧିତ ଖବର