ମାଂସ ଖାଇ ମନ୍ଦିର ଯିବାରୁ ବିରୋଧ କଲା ବିଜେପି, ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇ ମନ୍ଦିର ଆସିବାକୁ ଭଗବାନ କହିନଥିବା କହିଲେ ସିଦ୍ଦରମୈୟା

ନୂଆଦିଲ୍ଲୀ: ମାଂସ ଖାଇ ମନ୍ଦିର ଯିବାରୁ ବିବାଦରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଏଖବର ସାମ୍ନାକୁ ଆସିବା ପରେ ସିଦ୍ଦରମୈୟା ହିନ୍ଦୁମାନଙ୍କୁ ଏବଂ ଦେବାଦେବୀମାନଙ୍କୁ ଅପମାନିତ କରିଥିବା କହିଲା ଭାରତୀୟ ଜନତା ପାର୍ଟି (ବିଜେପି)। କର୍ଣ୍ଣାଟକର ବିଜେପି ମୁଖ୍ୟ ନଲିନକୁମାର କଟେଲ ସିଦ୍ଦରମୈୟାଙ୍କୁ ଟାର୍ଗେଟ କରି ତାଙ୍କର ଏଭଳି କାମକୁ ସମାଲୋଚନା କରିଛନ୍ତି।

ସିଦ୍ଦରମୈୟାଙ୍କ ଏଭଳି କାମକୁ ନେଇ କଟେଲ କହିଛନ୍ତି, ପୁଣି ଥରେ ସେ ହିନ୍ଦୁମାନଙ୍କ ବିଶ୍ୱାସକୁ ଅପମାନିତ କରିଛନ୍ତି। ଯେଉଁମାନେ ମନ୍ଦିରକୁ ନେଇ ଥିବା ହିନ୍ଦୁମାନଙ୍କ ଭାବନାକୁ ବୁଝନ୍ତି ନାହିଁ ସେମାନଙ୍କୁ ଜନତା ଜବାବ ଦେବେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ମନ୍ଦିରକୁ ଯିବାର ନାଟକ କାହିଁକି?

ଏହାର ଜବାବରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ, ଦିନ ୨.୩୦ରେ ସୁଦର୍ଶନ ଗେଷ୍ଟ ହାଉସରେ ମୁଁ ମଧ୍ୟାହ୍ନ ଭୋଜନ କଲି ଏବଂ ସନ୍ଧ୍ୟ‌ାରେ ମୁଁ ଏକ ମନ୍ଦିର ପରିଦର୍ଶନ କରି ପୂଜା କରିଥିଲି। ଭଗବାନ ମନ୍ଦିର ପରିଦର୍ଶନ କରିବା ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବାକରୁ ନିର୍ଦ୍ଦେଶ ଦେଇଛନ୍ତି କି? ଲୋକମାନେ ରାତିରେ ମାଂସ ଖାଇ ପରଦିନ ସକାଳେ ମନ୍ଦିର ପରିଦର୍ଶନ କରନ୍ତି। ମୁଁ କାହିଁକି ଅପରାହ୍ନରେ ମାଂସ ଖାଇ ସନ୍ଧ୍ୟାରେ ମନ୍ଦିର ପରିଦର୍ଶନ କରିପାରିବି ନାହିଁ?

ସମ୍ବନ୍ଧିତ ଖବର