ପ୍ରଫେଟଙ୍କୁ ଅପମାନ! ଭାରତୀୟ ରାଜନେତାଙ୍କୁ ହତ୍ୟା ପାଇଁ ଷଡ୍‌ଯନ୍ତ୍ର ରଚିଥିବା ଆତଙ୍କବାଦୀ ସଂଗଠନ ଆଇଏସ୍‌ର ମାନବ ବୋମା ଋଷରେ ଗିରଫ

ମସ୍କୋ: ଭାରତରେ ଆତ୍ମଘାତୀ ବିସ୍ଫୋରଣ ଘଟାଇ ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଷଡ୍‌ଯନ୍ତ୍ର ରଚିଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ଆତ୍ମଘାତୀ ମାନବ ବୋମା (ସୁଇସାଇଡ୍‌ ବମ୍ବର)କୁ ରୁଷ ପ୍ରଶାସନ ସୋମବାର ଗିରଫ କରିଛି। ଭାରତରେ ଏହି ଆତ୍ମଘାତୀ ଆକ୍ରମଣ ଘଟାଇବା ପାଇଁ ସଂପୃକ୍ତ ଆତ୍ମଘାତୀ ମାନବ ବୋମା ଭାରତ ଯାତ୍ରା କରିବା ପୂର୍ବରୁ ରୁଷ ପ୍ରଶାସନ ହାତରେ ଗିରଫ ହୋଇଛି।

ରୁଷୀୟ ଫେଡେରାଲ ସିକ୍ୟୁରିଟି ବ୍ୟୁରୋ (ଏଫ୍‌ଏସ୍‌ବି) ଦ୍ୱାରା ପ୍ରକାଶିତ ଏକ ବିବୃତି ଅନୁଯାୟୀ, ଗିରଫ ଆତଙ୍କବାଦୀକୁ ତୁର୍କୀର ଜଣେ ଆଇଏସ ନେତା ଆତ୍ମଘାତୀ ମାନବ ବୋମା ଭାବରେ ନିଯୁକ୍ତ କରିଥିଲେ ଏବଂ ଭାରତର ଜଣେ ରାଜନେତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିବାକୁ ସଂପୃକ୍ତ ଆତଙ୍କବାଦୀକୁ ଦାୟିତ୍ୱ ଦିଆଯାଇଥିଲା।

ତେବେ, ରୁଷିଆରେ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଥିବା ଇସଲାମିକ ଷ୍ଟେଟର ଏହି ଅତଙ୍କବାଦୀକୁ ଅଟକ ରଖି ଜେରା କରିବା କାଳରେ ଏଫ୍‌ଏସ୍‌ବିକୁ ଏହି ତଥ୍ୟ ମିଳିଥିଲା। ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ଆଇଏସ୍‌ ଆତଙ୍କବାଦୀ ତଥା ସୁଇସାଇଡ୍‌ ବମରକୁ ଆଜାମୋଭ ମାଶାହୋଣ୍ଟ ବୋଲି ଏଫ୍‌ଏସ୍‌ବି ଚିହ୍ନଟ କରିଛି। ଭାରତରେ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରାଯାଇଥିବା ଘଟଣାର ପ୍ରତିଶୋଧ ନେବାକୁ ଭାରତ ଆସୁଥିଲେ। ଗିରଫ ଆତଙ୍କବାଦୀର ବୟାନ ଅନୁଯାୟୀ, ସେ ଏହି ଆକ୍ରମଣ ପାଇଁ ଗତ ଏପ୍ରିଲରୁ ତୁର୍କୀରେ ନିଜକୁ ପ୍ରସ୍ତୁତ କରୁଥିଲା।

ଯୋଜନା ମୁତାବକ ଭାରତକୁ ବିମାନରେ ଆସିବା ପାଇଁ ସେ ତୁର୍କୀରୁ ରୁଷିଆ ଆସିଥିଲା। ଭାରତରେ ଏକ ବୈଠକ ନିର୍ଦ୍ଧାରିତ ହୋଇଥିଲା; ଯେଉଁଠାରେ ଭାରତୀୟ ରାଜନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରି ପ୍ରତିଶୋଧ ନେଇଥାନ୍ତା! ଏଥିପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ଆତ୍ମଘାତୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ବ୍ୟାପକ ତାଲିମ ଦିଆଯାଇଥିବା ସେ କହିଛି। ଇସ୍ତାନବୁଲରେ ଥିବା ଜଣେ ଆଇଏସ ଆତଙ୍କବାଦୀ ସହ ତା’ର ବ୍ୟକ୍ତିଗତ ବୈଠକ ହେଉଥିଲା ଏବଂ ଏହି କାର୍ଯ୍ୟ ପାଇଁ ତାକୁ ଟେଲିଗ୍ରାମ ମେସେଞ୍ଜର ଜରିଆରେ ଶିକ୍ଷାଦାନ କରାଯାଇଥିଲା ବୋଲି ଏଫଏସବି ଉଲ୍ଲେଖ କରିଛି। ଏଥିସହ ଏଫଏସବି ଏହି ଘଟଣା ସଂପର୍କରେ ଭାରତର ଗୃହ ମନ୍ତ୍ରାଳୟକୁ ଏକ ପ୍ରାଥମିକ ରିପୋର୍ଟ ଜରିଆରେ ସମସ୍ତ ତଥ୍ୟ ଜଣାଇ ଦେଇଛି।

ସମ୍ବନ୍ଧିତ ଖବର