କାନାଡା ଓ ଥାଇଲାଣ୍ଡକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଚୀନ୍‌ର ଚେଙ୍ଗଡ଼ୁଠାରେ ଆରମ୍ଭ ହୋଇଥିବା ଥୋମାସ୍‌ ଓ ଉ‌ବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଦଳ ଥାଇଲାଣ୍ଡକୁ ୪-୧ରେ ହରାଇଥିଲା ବେଳେ ମହିଳା ଦଳ ସମାନ ବ୍ୟବଧାନରେ କାନାଡାକୁ ପରାସ୍ତ କରିଛି। ଥୋମାସ କପ୍‌ର ପ୍ରଥମ ମୁକାବିଲାରେ ଏଚ୍‌ଏସ୍‌ ପ୍ରଣୟ ୨୦-୨୨, ୧୪-୨୧ରେ କୁନଲାଭତ ଭିତିଦସର୍ନଙ୍କଠୁ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୪ ମ୍ୟାଚ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ବିତୀୟ ମ୍ୟାଚ୍‌ରେ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୨୧-୧୯, ୧୯-୨୧, ୨୧-୧୨ରେ ପିରାଚାଇ ସୁକଫୁନ୍‌ ଓ ପକାପନ୍‌ ତୀରାତ୍‌ସ୍କୁଲ୍‌ଙ୍କୁ, ତୃତୀୟ ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍‌ ୨୧-୧୨, ୧୯-୨୧, ୨୧-୧୬ରେ ପାନିଚିଫାନ୍‌ ତୀରାତ୍‌ସ୍କୁଲ୍‌ଙ୍କୁ, ଚତୁର୍ଥ ମ୍ୟାଚ୍‌ରେ ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳାଙ୍କ ଯୁଗଳ ଯୋଡ଼ି ୨୧-୧୯, ୨୧-୧୫ରେ ତାନାଦନ ପୁନ୍‌ପାନିଚ୍‌ ଓ ୱାଚିରାୱିତ୍‌ ସେଥୋନ୍‌ଙ୍କୁ ହରାଇଥିଲେ। ଶେ‌ଷ ମ୍ୟାଚ୍‌ରେ କିଦାମ୍ବି ଶ୍ରୀକାନ୍ତ ୨୧-୯, ୨୧-୫ରେ ସରଣ ଜାମସ୍ରିଙ୍କୁ ହରାଇ ଭାରତକୁ ଜିତାଇଥିଲେ।

ସେହିପରି ଅସ୍ମିତା ଚାଳିହାଙ୍କ ନେତୃତ୍ବାଧୀନ ଯୁବ ଓ ଅନଭିଜ୍ଞ ଭାରତୀୟ ମହିଳା ଦଳ ଦମ୍‌ଦାର ପ୍ରଦର୍ଶନ ଦେଇଛି। ପ୍ରତିଯୋଗିତାର ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୪-୧‌ରେ କାନାଡାକୁ ହରାଇଦେଇଛି। ପ୍ରଥମ ମ୍ୟାଚ୍‌ରେ ଅସ୍ମିତା ୨୬-୨୪, ୨୪-୨୨ରେ ମିଚେଲ୍‌ ଲିଙ୍କୁ ହରାଇ ମୂଳଦୁଆ ପକାଇଥିଲା ବେଳେ ପରବର୍ତ୍ତୀ ଯୁଗଳ ମ୍ୟାଚ୍‌ରେ କେ ପ୍ରିୟା ଓ ଶ୍ରୁତି ମିଶ୍ରଙ୍କ ଯୋଡ଼ି ୨୧-୧୨, ୨୧-୧୦ରେ କାଥେରିନ୍ ଚୋଇ ଓ ଜେସଲିନ୍‌ ଚୋଙ୍କୁ ଏବଂ ଈଶାରାଣୀ ବରୁଆ ୨୧-୧୩, ୨୧-୧୨ରେ ୱେନ ୟୁ ଝାଙ୍ଗଙ୍କୁ ହରାଇ ୩-୦ରେ ଅଗ୍ରଣୀ ପାଇଥିଲେ। କିନ୍ତୁ ଚତୁର୍ଥ ମ୍ୟାଚ୍‌ରେ ସିମ୍ରନ ସିଙ୍ଘି ଓ ରିତିକା ଠକ୍କରଙ୍କ ଯୋଡ଼ି ୧୯-୨୧, ୧୫-୨୧ରେ ଜ୍ୟାକି ଡେଣ୍ଟ୍ ଓ କ୍ରିଷ୍ଟାଲ୍‌ ଲାଇଙ୍କଠୁ ପରାଜିତ ହୋଇଥିଲେ। ପଞ୍ଚମ ମ୍ୟାଚ୍‌ରେ ଅନମୋଲ ଖର୍ବ ୨୧-୧୫, ୨୧-୧୧ରେ ଏଲିନା ଝାଙ୍ଗ୍‌ଙ୍କୁ ହରାଇ ଭାରତକୁ ୪-୧ରେ ଜିତାଇଥିଲେ। ଭାରତର ପରବର୍ତ୍ତୀ ମ୍ୟାଚ୍‌ ରବିବାର ସିଙ୍ଗାପୁର ସହିତ ହେବ।

ସମ୍ବନ୍ଧିତ ଖବର