ପ୍ରାଣୀ ଚିକିତ୍ସା ଦିବସରେ ଅଘଟଣ: ଆଖିବୁଜିଲା ସିଂହୀ ଶାବକ ଆକବର

ବାରଙ୍ଗ: ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ଏଭଳି ଏକ ଭଲ ଦିନଟି କିନ୍ତୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଆଜି ପ୍ରାଣୀ ଚିକିତ୍ସାର ଉନ୍ନତିକୁ ନେଇ ବିଶ୍ବ ସାରା ଉତ୍ସବ ପାଳନ କରାଯାଉଥିବା ବେଳେ ନନ୍ଦନକାନନରେ ଘଟିଛି ଏକ ଅଘଟଣ। ଜନ୍ତୁରକ୍ଷକମାନଙ୍କ ହେପାଜତରେ ପୃଥକୀକରଣ କେନ୍ଦ୍ରରେ ଥିବା ଏକ ମାସକର ସିଂହ ଛୁଆର ମୃତ୍ୟୁ ହୋଇଛି। ଗତମାସରେ ସିଂହୀ ରେବା ଗର୍ଭରୁ ଜନ୍ମ ନେଇଥିବା ଦ୍ବିତୀୟ ଶାବକର ଅଚାନକ ମୃତ୍ୟୁ ହୋଇଛି। ଅମର-ଆକବର-ଅନ୍ଥୋନୀ ଭାବେ ଜଣାଶୁଣା ସିଂହୀ ରେବାର ୩ ଛୁଆଙ୍କ ମଧ୍ୟରୁ ଆକବର ଆଖି ବୁଜିଛି ବୋଲି କୁହାଯାଉଛି।

ଗତକାଲି ସୁଦ୍ଧା ସିଂହ ଶାବକର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥି‌ବା ସତ୍ତ୍ବେ ଆଜି ଆକସ୍ମିକ ଭାବେ ତା’ର ମୃତ୍ୟୁ ଘଟିଛି। ତେଣୁ କାରଣ ଜାଣିବା ପାଇଁ ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଶବ ବ୍ୟବଚ୍ଛେଦ ଓ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଓୟୁଏଟି ପଠାଇଛନ୍ତି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି। ସିଂହ ରାଜେଶ ସହ ମିଳନ ପରେ ସିଂହୀ ରେବା ଗର୍ଭ ଧାରଣ କରିଥିଲା। ମାର୍ଚ୍ଚ ୨୪ ତାରିଖ ଦିନ ସେ ୩ଟି ଅଣ୍ତିରା ଶାବକ ଜନ୍ମ ଦେଇଥିଲା। ତିନି ଛୁଆ ସୁସ୍ଥ ଥିଲେ। କିନ୍ତୁ ମା’ ରେବା ଉପଯୁକ୍ତ ଯତ୍ନ ନ ‌ନେବା ଦେଖି ନନ୍ଦନକାନନ କର୍ତ୍ତୃପକ୍ଷ ତିନି ଛୁଆଙ୍କୁ ମା’ଠାରୁ ଅଲଗା କରି ଜନ୍ତୁରକ୍ଷକଙ୍କ ଦାୟିତ୍ବରେ ରଖିଥିଲେ। ସେତେବେଳେ ପିସିସିଏଫ୍ ସୁଶାନ୍ତ ନନ୍ଦ ଖୁସିରେ ସେମାନଙ୍କ ନାଁ ଅମର-ଆକବର-ଆନ୍ଥୋନୀ ବୋଲି ଟ୍ବିଟ୍‌ କରିଥିଲେ। ଏହାଥିଲା ଅଣଆନୁଷ୍ଠାନିକ ନାମକରଣ। କାରଣ ନିୟମାନୁସାରେ ନନ୍ଦନକାନନରେ ଜନ୍ମିତ ଶାବକମାନଙ୍କର ନାମକରଣ ପ୍ରତିଷ୍ଠା ଦିବସ ବା ଶାବକମାନଙ୍କ ଜନ୍ମ ଦିବସରେ କରାଯାଇଥାଏ। ତେବେ ପିସିସିଏପ୍‌ ଶ୍ରୀ ନନ୍ଦଙ୍କ ଅଣଆନୁଷ୍ଠାନିକ ନାଁରେ ୩ ସିଂହ ଛୁଆ ଜଣାଶୁଣା ହୋଇଯାଇଥିଲେ।

ସମ୍ବନ୍ଧିତ ଖବର