ଭାରତ ବିରୋଧୀ ମନ୍ତବ୍ୟ ଦେଇ ଫସିଲେ ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିସ ନେତା

ଲଣ୍ଡନ: ଗତକାଲି ଆମ ଦେଶ ୬୯ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିଶ ରାଜନିତିଜ୍ଞ ଲର୍ଡ ନାଜିର ଅହମଦ ଏକ ଭାରତ ବିରୋଧୀ ଅଭିଯାନ ଆୟୋଜନ କରିଥିଲେ । ଭାରତ କାଶ୍ମୀରକୁ ଛାଡୁ , ପଂଜାବକୁ ମୁକ୍ତ କରୁ ବୋଲି ସେ ଦାବି କରିବା ସହ କଳାଦିବସ ମନେଇଥିଲେ । ଏହାକୁ କେତେକ ପାକିସ୍ତାନୀ ବ୍ରିଟିଶ ନାଗରିକ ସମର୍ଥନ କରିଥିଲେ । କିନ୍ତୁ ଏହି ଖବର ବ୍ୟାପିବା ପରେ ଲଣ୍ଡନରେ ଥିବା ଭାରତୀୟ ଲୋକମାନେ ଏକାଠି ହୋଇ ନାଜିରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ଫଳରେ ପ୍ରବାସୀ ଭାରତୀୟ ଓ ପାକିସ୍ତାନୀ ଲୋକମାନଙ୍କ ମଧ୍ୟରେ ବେଶ କିଛି ସମୟ ଛକାପଞ୍ଝା ଲାଗିରହିଥିଲା ।

 

ଭାରତୀୟ ଲୋକମାନେ କହିଥିଲେ ଯେ ଭାରତ ସମଗ୍ର ବିଶ୍ୱରେ ଶାନ୍ତିର ପ୍ରସାର କରାଉଥିବାବେଳେ ପାକିସ୍ତାନ ନିୟମିତ ଭାବେ ଛଦ୍ମଯୁଦ୍ଧ ଚଳାଇବା ସହ ଆତଙ୍କବାଦୀମାନଙ୍କୁ ଭାରତକୁ ପଠାଉଛି । ଏଣୁ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କବାଦରୁ ମୁକ୍ତି ପାଇଁ ସେମାନେ ଦାବି କରିଥିଲେ ।
ପ୍ରବାସୀ ଭାରତୀୟଙ୍କ ଏପରି ପଦକ୍ଷେପକୁ ଭାରତର ଗୃହରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ ପ୍ରସଂଶା କରିବା ସହ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅନ୍ୟପକ୍ଷରେ ଏ ସଂପର୍କରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଜଣେ ବିଫଳ ରାଜନିତିଜ୍ଞ ଏହି ହତାଶ ଉଦ୍ୟମ କରୁଛନ୍ତି । ଏହି ରାଜନିତିଜ୍ଞଙ୍କୁ ଗତ ୨୦୧୩ରେ ଲେବର ପାର୍ଟି ପକ୍ଷରୁ ନିଳମ୍ବିତ କରାଯାଇଥିଲା ।

ସମ୍ବନ୍ଧିତ ଖବର