ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ବର୍ବର ଆକ୍ରମଣ, ୧୧ଥର ଛୁରାମାଡ଼

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଅତି ବର୍ବର ଆକ୍ରମଣ କରାଯାଇଛି। ଶୁଭମ ଗର୍ଗ ନାମକ ଏହି ଛାତ୍ର ମେକାନିକାଲ ଇଂଜିନିୟରିଂରେ ପିଏଚ୍‌ଡି କରୁଥିଲେ। ଗତ ଅକ୍ଟୋବର ୬ରେ ତାଙ୍କ ଉପରେ ଅତି ନିର୍ମମ ଆକ୍ରମଣ ହୋଇଥିଲା। ତାଙ୍କୁ ୧୧ ଥର ଛୁରୀରେ ଆକ୍ରମଣ କରାଯାଇଥିଲା। ଏବେ ସେ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଶୁଭମଙ୍କ ଘର ଉତ୍ତରପ୍ରଦେଶର ଆଗ୍ରାରେ। ରଙ୍ଗଭେଦ ପାଇଁ ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ତାଙ୍କ ବାପା ମା’ ଅଭିଯୋଗ କରିଛନ୍ତି।

ଗତ ୭ ଦିନ ହେବ ସେମାନେ ପୁଅ ପାଖକୁ ଅଷ୍ଟ୍ରେଲିଆ ଯିବାପାଇଁ ଭିସା ଚାହିଥିଲେ। ୭ ଦିନ ପରେ ଆଜି‌ ସେମାନଙ୍କୁ ଭିସା ମିଳିଛି। ଶୁଭମ୍‌ ଆଇଆଇଟି ମାଡ୍ରାସରେ ପଢ଼ା ଶେଷ ପରେ ଗତ ସେପ୍ଟେମ୍ବର ୧‌ରେ ଅଷ୍ଟ୍ରେଲିଆ ଯାଇଥିଲେ। ପରିବାର ସଦସ୍ୟଙ୍କ ଅନୁଯାୟୀ ଶୁଭମଙ୍କ ମୁହଁ, ଛାତି ଏବଂ ପେଟରେ ଗଭୀର ଆଘାତ ଲାଗିଛି। ମାମଲାରେ ଜଣେ ୨୭ ବର୍ଷୀୟ ସନ୍ଦିଗ୍ଧ ଗିରଫ ହୋଇଛି। ପୀଡ଼ିତ ଛାତ୍ରଙ୍କ ବାପା ରାମନିବାସ ଗର୍ଗ‌୍ କହିଛନ୍ତି, ଅଷ୍ଟ୍ରେଲିଆରେ ଶୁଭମଙ୍କ ବନ୍ଧୁମାନେ ସ୍ପଷ୍ଟ କରିଛନ୍ତି ଯେ ଅଭିଯୁକ୍ତକୁ ଶୁଭମ କିମ୍ବା ଅନ୍ୟମାନେ ଜାଣିନଥିଲେ। ମିଳିଥିବା ସୂଚନାନୁଯାୟୀ ଅକ୍ଟୋବର ୬ରେ ଶୁଭମ ଏଟିଏମ୍‌ରୁ ଟଙ୍କା ଆଣି ଫେରୁଥିବାବେଳେ ଅଭିଯୁକ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲା ଏବଂ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା। ଭାରତର ବିଦେଶ ମନ୍ତ୍ରାଳୟ ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଭାରତୀୟ ହାଇ କମିସନ୍‌ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।

ସମ୍ବନ୍ଧିତ ଖବର